ଭୁବନେଶ୍ୱର : ହେଲ୍ପ୍ ଏଜ୍ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ‘ମତେ ଯେବେ ୬୪ ବର୍ଷ ହେବ’ ଶୀର୍ଷକ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରସଙ୍ଗରେ ଇଂରାଜୀ ପ୍ରବନ୍ଧ ପାଇଁ ୟୁନିଟ୍ ୮ ଡିଏଭି ସ୍କୁଲର ସାନା ଆଫ୍ରିନ୍, ଓଡ଼ିଆ ପ୍ରବନ୍ଧ ପାଇଁ ବିନୋଦ ବିହାରୀ ହାଇସ୍କୁଲ, ଯାଜପୁରର ଆଶିଷ କୁମାର, ଚିତ୍ରାଙ୍କନ ବିଭାଗରେ ଡିପିଏସ୍, ଅନୁଗୁଳର ବନ୍ଦିତା ମହାନ୍ତଙ୍କୁ ପୁରସ୍କୃତ କରାଯାଇଛି।
ଏହି ପ୍ରତିଯୋଗିତାରେ ୧୯ଟି ଜିଲ୍ଲାର ହାଇସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇ ୬୪ ବର୍ଷରେ ଜଣେ ବରିଷ୍ଠ ନାଗରିକଙ୍କ ସ୍ଥିତି ସମ୍ପର୍କରେ ଅବତାରଣା କରିଥିଲେ। ଆଜିର ଉତ୍ସବରେ ପ୍ରାଥମିକ ଶିକ୍ଷା ନିର୍ଦେଶକ ଚୂଡ଼ାମଣି ସେଠ୍ ମୁଖ୍ୟ ଅତିଥି, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପିସି ଅଗ୍ରଓ୍ଵାଲ ମୁଖ୍ୟବକ୍ତା, ବରିଷ୍ଠ ସାମ୍ବାଦିକା ମିନତି ଅଗ୍ରଓ୍ଵାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ହେଲ୍ପ୍ ଏଜ୍ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ର, ପ୍ରୋଗ୍ରାମ ମ୍ୟାନେଜର୍ ରଞ୍ଜୟ କୁମାର ଦାସ ଓ ସଙ୍ଗୀତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।