ସଂକ୍ରମିତଙ୍କ ଦେବଦୂତ, କୋଭିଡ୍‌ ସଂକ୍ରମିତଙ୍କ ଘରେ ରନ୍ଧା ଖାଦ୍ୟ ପହଞ୍ଚାଉଛି ଓଏସ୍‌ବି‌ଏଚ୍ଏ‌

ଭୁବନେଶ୍ବର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏବେ ଭୁବନେଶ୍ବରରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଅନେକ ସଂକ୍ରମିତ ଘରେ ସଂଗରୋଧରେ ମଧ୍ୟ ରହୁଛନ୍ତି। ସେମାନଙ୍କର ଖାଇବାରେ ଅସୁବିଧା ହେଉଛି। ଏଭଳି କଠିନ ସମୟରେ ବହୁ ସ୍ବେଚ୍ଛାସେବୀ ସଂଗଠନ ନିରାଶ୍ରୟ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ବିୟୁଟି ପାର୍ଲର କିମ୍ବା ସେଲୁନ କରିଥିବା ମହିଳା ବିୟୁଟିସିଆନ୍‌ମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏଭଳି ସଂକଟ ସମୟରେ ଦେବଦୂତ ସାଜିଛି ଓଡ଼ିଶା ରାଜ୍ୟ ବିୟୁଟି ଆଣ୍ଡ ହେୟାର ଆସୋସିଏସନ୍‌ (ଓଏସ୍‌ବିଏଚ୍‌ଏ)। ଆସୋସିଏସନ୍‌ କରୋନା ସଂକ୍ରମିତଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦେଉଛି।

ସାଧାରଣତଃ କୋଭିଡ୍‌ ସଂକ୍ରମିତଙ୍କ ପାଖକୁ ଲୋକମାନେ ଯିବାକୁ ଭୟ କରୁଥିବା ବେଳେ ଆସୋସିଏସନ୍‌ର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଆସୋସିଏସନ୍‌ ପକ୍ଷରୁ ସ୍ବଚ୍ଛ ଏବଂ କୋଭିଡ୍‌ର ସମସ୍ତ ନିୟମକୁ ମାନି ଖାଦ୍ୟକୁ ଭଲ ଭାବରେ ପ୍ୟାକିଂ କରାଯାଉଛି। ଏହାକୁ ନେଇ କୋଭିଡ୍‌ ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି। ଖାଲି କୋଭିଡ୍‌ ସଂକ୍ରମିତ ନୁହନ୍ତି, ଭୋକିଲା ରହୁଥିବା ନିରାଶ୍ରୟଙ୍କ ପାଖରେ ମଧ୍ୟ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି। ବସ୍ତିରେ ଥିବା ୧୦ ହଜାର ଲୋକଙ୍କୁ ଦୈନିକ ସେମାନେ ରନ୍ଧା ଖାଦ୍ୟ ସହ ପ୍ୟାକେଟ ଖାଦ୍ୟ ମଧ୍ୟ ଦେଉଛନ୍ତି। ଚୁଡ଼ା, ଚିନି ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ଦେଉଥିବା ବେଳେ ବିଶେଷକରି ରନ୍ଧା ଖାଦ୍ୟ ମଧ୍ୟ ଦେଉଛନ୍ତି। ଖାଦ୍ୟ ଯୋଗାଇଦେବା ପାଇଁ ଆସୋସିଏସନ ପକ୍ଷରୁ ସୋସିଆଲ ମିଡିଆରେ ଫୋନ୍‌ ନମ୍ବର ଦିଆଯାଇଛି।

ଏପରିକି ମେଡିକାଲରେ ରହିଥିବା ରୋଗୀଙ୍କ ଆଟେଣ୍ଡାଣ୍ଟମାନେ ଖାଇବା ପାଇଁ ହଇରାଣ ହେଉଥିବା ବେଳେ ସେମାନଙ୍କ ନିକଟରେ ଆସୋସିଏସନ ପକ୍ଷରୁ ଖାଦ୍ୟ ପହଞ୍ଚା ଯାଉଛି। ସମସ୍ତ ମହିଳା ବିୟୁଟିସିଆନ୍‌ମାନେ ମିଶି ନିଜ ରୋଜଗାରର କିଛି ଟଙ୍କାରେ ଏହି ମହତ୍‌ କାର୍ଯ୍ୟ କରୁଛନ୍ତି। କୋଭିଡ୍‌ରେ ସଂକ୍ରମିତ କୌଣସି ବ୍ୟକ୍ତି ଅଥବା ଅନ୍ୟ ଯେଉଁମାନେ ଖାଦ୍ୟ ପାଇବା ପାଇଁ ଚାହୁଛନ୍ତି, ସେମାନେ ମୋ: ୭୮୯୪୮୭୧୫୦୦, ୯୩୩୮୮୩୩୫୫୫ କିମ୍ବା ୯୪୩୭୦୧୫୪୮୧ରେ ଯୋଗାଯୋଗ କରିବା ପାଇଁ ଆସୋସିଏସନ୍‌ର ଚେୟାରପର୍ସନ୍‌ ବୈଶାଳୀ ମହାପାତ୍ର କହିଛନ୍ତି। ଆସୋସିଏସନ୍‌ର କୋର୍‌ ମେମ୍ବର ସ୍ବାଗତିକ ଦାସ, ଶୁଭ୍ରା କାନୁନ୍‌ଗୋ, ମାନସ ଦାସ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର