କାଳିଆ ଯୋଜନା ସହାୟତା ଅର୍ଥ ପାଇବା ଦାବିରେ ଚାଷୀଙ୍କ ପ୍ରତିବାଦ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଉଭୟ ପ୍ରତାପରୁଦ୍ରପୁର ଓ ଜୟଦେବ ପଞ୍ଚାୟତର ଅନେକ ଚାଷୀ ପରିବାରକୁ ସରକାରଙ୍କ କାଳିଆ ଯୋଜନାରେ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା ଏଯାଏ ମିଳିନି। ସେମାନଙ୍କ ଜମା ଖାତାକୁ ଟଙ୍କା ଆସି ନଥିବା ଜାଣିବାକୁ ପାଇ ଶତାଧିକ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ନିରାଶ ହୋଇଛନ୍ତି। ଏନେଇ ସଂପୃକ୍ତ ଚାଷୀ ପରିବାର ମଧ୍ୟରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଆଜି ପୂର୍ବାହ୍ନରେ ଉପରୋକ୍ତ ଦୁଇ ପଞ୍ଚାୟତର ଶତାଧିକ ଚାଷୀ ଆଖଣ୍ଡଳେଶ୍ବର ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ପ୍ରତାପରୁଦ୍ରପୁର ପଞ୍ଚାୟତ ଓ ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ପରିସରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମା’ ତାରିଣୀ କୃଷକ କ୍ଲବର ସଭାପତି କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ଷୁଦ୍ରଚାଷୀ ପୀତବାସ ପଣ୍ଡା, ଶ୍ରୀଧର ରାଉତ, ସୁଧୀର ପ୍ରଧାନ, ପୂର୍ବତନ ସରପଞ୍ଚ ବାବୁଲି ନନ୍ଦ, ନିରଞ୍ଜନ ନନ୍ଦ ଓ ଜୟଦେବ ପଞ୍ଚାୟତର ଭଗବାନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀମାନେ ଏକ ଦାବିପତ୍ରକୁ ପଞ୍ଚାୟତର ସରପଞ୍ଚ ବାମନ ଚରଣ ଭୋଇଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭିକାରୀ ଚରଣ ଜେନାଙ୍କୁ ପ୍ରଦାନ କରିଥିଲେ। ଏ ସଂପର୍କରେ ବ୍ଲକର ବରିଷ୍ଠ ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କୁ ପଚାରିବାରେ ବ୍ଲକର ମୋଟ ଯୋଗ୍ୟ ବିବେଚିତ ୨୫ହଜାର ଚାଷୀଙ୍କ ମଧ୍ୟରୁ ଏଯାଏ ୧୫ ହଜାର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ଚାଷୀଙ୍କୁ ଟଙ୍କା ପ୍ରଦାନ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର