ଦାଉ ସାଧିଲା କରୋନା ‘ମୋ ନାତିକୁ ସାହା ହୁଅ’

ଭୁବନେଶ୍ବର: ଦଇବ ସିନା ଧନ ଦେଇନଥିଲା, କିନ୍ତୁ କୋଳରେ ୩ ସନ୍ତାନକୁ ନେଇ ତାଙ୍କ ମନରେ ଥିଲା ଢେର୍‌ ଗର୍ବ। ମୂଲ ଲାଗି ପୁଅମାନଙ୍କୁ ମଣିଷ କଲେ। ଭାବିଥିଲେ, ବୁଢ଼ା ବୟସରେ ଏଇ ପୁଅମାନେ ସାହାରା ହେବେ। ମାତ୍ର ବୟସର ଅପରାହ୍‌ଣରେ ଏବେ ନିଜ ପାଇଁ ସାହାରା ଖୋଜୁଛନ୍ତି ୭୦ ବର୍ଷୀୟ ସୁରେନ୍ଦ୍ର ସେଠୀ ଓ ୬୨ ବର୍ଷୀୟା ଶୁକ ସେଠୀ। ପୁଅମାନେ ଆଶ୍ରା ନହେବା ଯେତିକି ବାଧୁ ନାହିଁ, ଏ ପାଚିଲା ବୟସରେ ତାଙ୍କୁ ଆଶ୍ରା କରି ବଞ୍ଚୁଥିବା ୯ବର୍ଷୀୟ ନାତି ରାହୁଲ ଅବହେଳିତ ହୋଇଯିବା ତାଙ୍କୁ ବେଶି ବ୍ୟଥିତ କରିଛି। ବୃଦ୍ଧ ବୟସରେ କୋଉଠି ମୂଲ ଲାଗି ‌ସୁରେନ୍ଦ୍ର ଯାହା ଯେମିତି ଚଳି ଯାଉଥିଲେ ବି କରୋନା ଗୋଡ଼ରେ ବେଡ଼ି ପକାଇ ଦେବା ପରେ ସେ ଅଣନିଃଶ୍ବାସୀ ହୋଇଗଲେଣି। ସୁରେନ୍ଦ୍ରଙ୍କ ବୃଦ୍ଧା ପତ୍ନୀ ଶୁକ ବହୁବିଧ ରୋଗରେ ପୀଡ଼ିତ ଥିବାରୁ ସେ ଯାହା କାମ କରି ଆଣନ୍ତି ସେଥିରେ ନିଜ ପତ୍ନୀଙ୍କୁ ଔଷଧ ଟିକେ ବି ଯୋଗାଇ ପାରନ୍ତି ନାହିଁ। ପୁଣି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇଯିବା ତାଙ୍କ ପାଇଁ କାଳ ସାଜିଛି। ଏଭଳି ସ୍ଥିତିରେ ନାତିକୁ ସାହା ହେବାକୁ ସରକାରଙ୍କ ସହଯୋଗ ଭିକ୍ଷା କରିଛନ୍ତି ସୁରେନ୍ଦ୍ର।

ଜଗତସିଂହପୁର ମଣ୍ଡାସାହି ନିକଟସ୍ଥ ଉରାଳି ଗାଁ’ର ବାସିନ୍ଦା ସୁରେନ୍ଦ୍ରଙ୍କ ୩ ପୁଅ ମଧ୍ୟରୁ ୨ ପୁଅ ଅନ୍ୟତ୍ର ରହୁଥିବା ବେଳେ ପ୍ରଶାନ୍ତ ସେଠୀ ଗାଁ’ ଘରେ ବାପା ମା’ଙ୍କ ସାଙ୍ଗେ ରହୁଛନ୍ତି। ମାତ୍ର ପ୍ରଶାନ୍ତ ମାନସିକ ବିକାରଗ୍ରସ୍ତ। ରାହୁଲ ଜନ୍ମ ହେବାର କିଛି ଦିନ ପୂର୍ବରୁ ପ୍ରଶାନ୍ତଙ୍କ ମାନସିକ ବିକୃତି ଦେଖା ଦେଇଥିଲା ଯେ ଆଜି ପର୍ଯ୍ୟନ୍ତ ସେ ସ୍ବାଭାବିକ ହୋଇନାହାନ୍ତି। ବାପାଙ୍କ ସ୍ନେହ ପାଇ ପାରିନଥିଲେ ହେଁ ମା’ ଭାରତୀ ସେଠୀ ରାହୁଲଙ୍କୁ କେଉଁଥିରେ ହେଳା କରୁନଥିଲେ। କିନ୍ତୁ ଦଇବ ନିର୍ଦୟ ହେଲା। ୮ ମାସ ତଳେ କରୋନା ବ୍ୟାଧି ତାଙ୍କ ପ୍ରାଣ ନେଇଗଲା। ମା’ଙ୍କୁ ହରାଇ ରାହୁଲ ମାନସିକସ୍ତରରେ ଭାଙ୍ଗି ପଡ଼ିଛନ୍ତି। ଏଣେ କରୋନା ଯୋଗୁଁ ସୁରେନ୍ଦ୍ର ଚିନ୍ତାଗ୍ରସ୍ତ ହୋଇଗଲେଣି। ସବୁଦିନ ଆବଶ୍ୟକ ଖାଦ୍ୟ ଯୋଗାଡ଼ କରିବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ନିଜ ଅଣ୍ଟାରେ ଦମ୍ଭ ନଥିବାରୁ ତାଙ୍କ ନାତିର ଲାଳନ ପାଳନ ଓ ପାଠପଢ଼ା ପାଇଁ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସମାଜସେବୀ ଗଗନ ପାଇତାଳ ଓ ସୁରେନ୍ଦ୍ରଙ୍କ ପଡ଼ୋଶୀ ସ୍ବପ୍ନା ସେଠୀ ରାହୁଲକୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର