ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ପ୍ରଫୁଲ୍ଲ

ସହାୟତା ପାଇଁ ପତ୍ନୀଙ୍କ ନିବେଦନ

ଚନ୍ଦ୍ରଶେଖରପୁର : ପାଦରୁ ଲିଭିନି ଅଳତାର ଗାର। ଏଯାଏଁ ମଉଳିନି ଦୋଳମୁକୁଟ। ବିବାହକୁ ମାସେ ବି ପୂରିନି। ମାତ୍ର ସିନ୍ଦୂର ଲିଭିଯିବାର ଭୟ ଦେଖାଦେଇଛି। ଯାହା ହାତ ଧରି ସାରା ଜୀବନ ଚାଲିବାର ସ୍ୱପ୍ନ ଦେଖିଥିଲେ ସେ ଆଜି ହସ୍ପିଟାଲରେ ମୃତ୍ୟୁ ସହିତ ସଂଘର୍ଷ କରୁଛି। ଭଗବାନ ଏମିତି ନିର୍ଦ୍ଦୟ କେମିତି ହେଲେ। ଏପରି ଭାବି ଭାବି ପିଙ୍କିନାର ଆଖିରୁ ଲୁହ ଶୁଖୁନି। ଓସିସି କଲୋନି ରସୁଲଗଡ଼ର ବାସିନ୍ଦା ପ୍ରଫୁଲ୍ଲ ସାହୁ(୨୮)ଙ୍କୁ ନଭେମ୍ବର ମାସ ୧୨ ତାରିଖରେ ବିବାହ କରିଥିଲେ ପିଙ୍କିନା ସାହୁ। ବିବାହ ପରେ ସ୍ୱାମୀ ଆଉ ଶାଶୂ ଶ୍ୱଶୁରଙ୍କୁ ନେଇ ବେଶ୍‌ ଖୁସି ଥିଲେ ପିଙ୍କିନା। ମାତ୍ର କିଏ ଜାଣିଥିଲା କାଳ କରାଳ ଗତି। କିଏ ଜାଣିଥିଲା ହସିଲା ପୂରିଲା ସଂସାର ଭିତରକୁ ଅଦିନିଆ ଝଡ଼ ଧସେଇ ପଶିଯିବ ବୋଲି।

ଚଳିତ ମାସ ୨ ତାରିଖରେ କୌଣସି କାମରେ କଳାପଥର ଯାଇଥିବା ସମୟରେ ଭୟଙ୍କର ଦୁର୍ଘଟଣା ଶିକାର ହୋଇଛନ୍ତି ପ୍ରଫୁଲ୍ଲ। ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଫୁଲ୍ଲ ବର୍ତ୍ତମାନ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ଏଯାଏଁ ହୋସ୍‌ ଫେରିନି। ବାପ ମା’ଙ୍କ ଗୋଟିଏ ବୋଲି ପୁଅ ପ୍ରଫୁଲ୍ଲଙ୍କ ପରିବାରର ଆର୍ଥିକ ଅବସ୍ଥା ଆଦୌଁ ସ୍ୱଚ୍ଛଳ ନୁହେଁ। ଘରେ ଏକମାତ୍ର ରୋଜଗାରିଆ ପୁଅର ଏପରି ଅବସ୍ଥାରେ ବାପ ମା’ ମଧ୍ୟ କଥା କହିବା ଅବସ୍ଥାରେ ନାହାନ୍ତି। କ’ଣ କହି ନୂଆ ବୋହୂକୁ ଆଶ୍ୱାସନା ଦେବେ ତା’ର କୌଣସି ଉପାୟ ମଧ୍ୟ ପାଉନାହାନ୍ତି। ବୋହୂ ଭାବରେ ଶାଶୂ ଘରକୁ ଝିଅ ହୋଇ ଆସିଥିବା ପିଙ୍କିନା ମଧ୍ୟ ପରିସ୍ଥିତିକୁ ଦେଖି ମୂକ ପାଲଟିଯାଇଛନ୍ତି।

ଡାକ୍ତର ବାବୁ କହିଛନ୍ତି ଉନ୍ନତମାନର ଚିକିତ୍ସାର ଆବଶ୍ୟକତା ରହିଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର। ନିଜର ସମସ୍ତ ଗହଣାଗାଣ୍ଠି ବିକି ସ୍ୱାମୀଙ୍କୁ ମରଣ ମୁହଁରୁ ଛଡ଼ାଇଆଣିବାକୁ ପଣ କରିଛନ୍ତି ପିଙ୍କିନା। ତଥାପି ଆହୁରି ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଏତେବଡ଼ ଦୁନିଆରେ ସେ ଯେପରି ଏକୁଟିଆ ହୋଇଯାଇଛନ୍ତି। କେମିତି ଏତେଗୁଡ଼ାଏ ଟଙ୍କା ଯୋଗାଡ଼ କରିବ ସେ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ସ୍ୱାମୀଙ୍କର ଜୀବନ ବଞ୍ଚେଇବା ପାଇଁ ସମସ୍ତଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ପ୍ରଫୁଲ୍ଲଙ୍କୁ ଏକ ନୂତନ ଜୀବନ ଦେବା ପାଇଁ ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିବା ସହୃଦୟ ବ୍ୟକ୍ତି ୯୦୪୦୬୦୦୯୦୪ ନମ୍ବରରେ ଯୋଗାଯୋଗ କରିବାକୁ ପିଙ୍କିନା ବିନମ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର