ଖବରକାଗଜ ବିତରକଙ୍କ ଭଉଣୀଙ୍କୁ ସହାୟତା

ବାଲିଅନ୍ତା: ସ୍ଥାନୀୟ ଖମଙ୍ଗଶାସନ ଗ୍ରାମର ଖବରକାଗଜ ବିତରକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସାନ ଭଉଣୀ ଭାରତୀ ଦାଶଙ୍କ ଚିକିତ୍ସା ପାଇଁ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଛନ୍ତି। ଭାରତୀଙ୍କ ପେଟରେ ଷ୍ଟୋନ୍‌ ହୋଇଥିବାରୁ ଅସ୍ତ୍ରୋପଚାର ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ହେଉଥିଲା। ମାତ୍ର ଅର୍ଥ ଯୋଗାଡ଼ କରିବାକୁ ଅସମର୍ଥ ଭାଇ ପୂର୍ଣ୍ଣଚନ୍ଦ୍ର ସବୁ ଆଶା ଛାଡ଼ି ଦେଇଥିବାବେଳେ ଏବେ ମିଳୁଥିବା ଆର୍ଥିକ ସହଯୋଗ ଭାରତୀଙ୍କ ଜୀବନରେ ନୂଆ ଆଶା ସଂଚାର କରିଛି।

ଭାରତୀଙ୍କ ରୋଗ ଓ ଗରିବ ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସମ୍ପର୍କରେ ଗତ ୮ ତାରିଖ ‘ସମ୍ବାଦ‌’ରେ ଖବର ପ୍ରକାଶ ପାଇଥିଲା। ଖବର ପଢ଼ି ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଛନ୍ତି। ପ୍ରଥମତଃ କିମ୍‌ସ ହସ୍ପିଟାଲ ପକ୍ଷରୁ ଭାରତୀଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ଓ ହସ୍ପିଟାଲ କର୍ତ୍ତୃପକ୍ଷ ପୂର୍ଣ୍ଣଚନ୍ଦ୍ରଙ୍କ ସହ ଯୋଗାଯୋଗ କରିଛନ୍ତି। ଏହା ଭିତରେ ଭାରତୀଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ଭାରତୀଙ୍କ ଅପରେସନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ସେହିଭଳି ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଆମ ସଂଗଠନ’ର ପ୍ରତିଷ୍ଠାତା ଚନ୍ଦନ କୁମାର ପାତ୍ରଙ୍କ ତତ୍ବାବଧାନରେ ଗତକାଲି ଅପରାହ୍ନରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି ଓ ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର କୁମାର ଜେନା ପ୍ରମୁଖ ଭାରତୀଙ୍କୁ ନଗଦ ୧୫ ହଜାର ଟଙ୍କା ଓ ୬ ମାସର ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ପଞ୍ଚାୟତ ସଭାପତି ଶରତ କୁମାର ମିଶ୍ର, ପୂର୍ବତନ ସମିତି ସଭ୍ୟା ରୀନାରାଣୀ ଜେନା, ପବିତ୍ର ପଟେଲ, ଦେବବ୍ରତ ସ୍ବାଇଁ, କରୁଣାକର ପରିଡ଼ା ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭାରତୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆବଶ୍ୟକସ୍ଥଳେ ଭବିଷ୍ୟତରେ ସହଯୋଗ ଜାରି ରହିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ବାମୀ ପରିତ୍ୟକ୍ତା ଭାରତୀଙ୍କ ପେଟରେ ବଢ଼ୁଥିବା ଷ୍ଟୋନ୍‌ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିନପାରି ଭାଇ ପୂର୍ଣ୍ଣଚନ୍ଦ୍ର ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ସମ୍ବନ୍ଧିତ ଖବର