ରାସ୍ତାକଡ଼ର ଅସହାୟ ଲୋକଙ୍କ ନାରାୟଣ

0

ଅସହାୟ ଲୋକଙ୍କ ପାଇଁ ସେ ପାଲଟିଛନ୍ତି ଦେବଦୂତ। ପେଟକୁ ଦାନା, ଦେହକୁ କନା ଓ ମୁଣ୍ଡ ଉପରକୁ ଛତା ଦେଇ ଖରା, ବର୍ଷାରୁ ରକ୍ଷା କରୁଛନ୍ତି। ପୁଣି ମଶାଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇଁ ମଶାରି ଏବଂ ଶୀତ ଦାଉରୁ ବର୍ତିବାକୁ କମ୍ବଳ ଯୋଗାଇ ଦିଅନ୍ତି। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଦୁର୍ଘଟଣା ଯୋଗୁଁ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଆହତଙ୍କୁ ଲୋକ ମୁହଁ ଆଡ଼େଇ ଚାଲିଯାଉଥିବା ବେଳେ ସେ ନିଜର ସମୟ କାଢ଼ି, ନିଜ ପକେଟ ଖର୍ଚ୍ଚରେ ଦୁଃଖୀରଙ୍କିଙ୍କ ସାହାରା ପାଲଟୁଛନ୍ତି। ଏହି ଦରଦୀ ମଣିଷ ଜଣକ ହେଉଛନ୍ତି ନାରାୟଣ ପୃଷ୍ଟି। ବୟସ ପାଖାପାଖି ୩୦। ପେସାରେ ଗୋଡ଼ି, ବାଲି ସପ୍ଲାୟର। ମାତ୍ର ନାଁଟି ଭଳି ମଣିଷଟି ଭିତରେ ଭରି ରହିଛି ଦେବତ୍ୱ। ପ୍ରତିଦିନ ରାତିରେ ଷ୍ଟେସନ୍‌ ଓ ଫୁଟ୍‌ପାଥ୍‌ର ଅସହାୟ ଲୋକଙ୍କୁ ଖେଚୁଡ଼ି ବାଣ୍ଟିବା ତାଙ୍କ ନିତିଦିନିଆ ଅଭ୍ୟାସ। କେବଳ ଖାଦ୍ୟ ନୁହେଁ, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ୍‌ ଓ ରାଜଧାନୀର ଫୁଟପାଥ୍‌ରେ ଆଶ୍ରୟ ନେଉଥିବା ଲୋକଙ୍କୁ ପିନ୍ଧା ବସ୍ତ୍ର, କମ୍ବଳ, ମଶାରି ଓ ଛତା ଆଦି ମଧ୍ୟ ଯୋଗାଉଛନ୍ତି।

ନାରାୟଣଙ୍କ ଏଭଳି ଖାଦ୍ୟ ବାଣ୍ଟିବା ପଛରେ ରହିଛି ଏକ ଛୋଟ କାହାଣୀ। ସେ କୁହନ୍ତି, ଗତ ବର୍ଷ ଜୁଲାଇ ମାସରେ ସେ ତାଙ୍କ ଭିଣୋଇଙ୍କୁ ଛାଡ଼ିବାକୁ ଷ୍ଟେସନ୍‌କୁ ଆସିଥିଲେ। ଏହି ସମୟରେ ଅନେକ ଅସହାୟ ଓ ବୟସ୍କ ବ୍ୟକ୍ତି ବର୍ଷାରେ ଓଦା ହୋଇ ଥରୁଥିବା ତାଙ୍କ ନଜରରେ ପଡ଼ିଥିଲା। ଭୋକ ବିକଳରେ ସେମାନେ ଆଉଟୁ ପାଉଟୁ ହେଉଥିବା ବେଳେ ଆଉ କିଛି ବ୍ୟକ୍ତି ଭୋକ ଦାଉରୁ ରକ୍ଷା ପାଇଁ ନିଶା ନେଉଥିଲେ। ପୁଣି କିଛି ଭିକ୍ଷାବୃତ୍ତି ବି କରୁଥିଲେ। ଏଭଳି ଦୃଶ୍ୟ ନାରାୟଣଙ୍କ ହୃଦୟକୁ ଓ ତାଙ୍କ ମାନବିକତାକୁ ଆନ୍ଦୋଳିତ କରିଥିଲା। ଏସବୁ ଆସି ସେ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ଓ ଏହି ଅସହାୟମାନଙ୍କୁ ସାହାଯ୍ୟ କରିବାକୁ ସତେ ଯେପରି ପ୍ରତିଜ୍ଞାବଦ୍ଧ ହୋଇଥିଲେ। ସେହି ଦିନଠାରୁ ପ୍ରତିଦିନ ରାତି ପ୍ରାୟ ୧୦ଟାରେ ରନ୍ଧାଖାଦ୍ୟ ବଣ୍ଟନ ଆରମ୍ଭ କରିଥିଲେ। ନିଜ ପକେଟ୍‌ ଖର୍ଚ୍ଚ କାଟି ଚାଉଳ, ଡାଲି ଓ ପରିବା ପତ୍ର ଆଣି ଖେଚୁଡ଼ି ତିଆରି କରି ବାଣ୍ଟିଲେ। ମଝିରେ ମଝିରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ରାଜମହଲ ଛକ ମଧ୍ୟରେ ଥିବା ଫୁଟପାଥ୍‌ ଏବଂ ରାଜମହଲ ଓଭରବ୍ରିଜ୍‌ ତଳେ ରାତି କାଟୁଥିବା କେତେକ ବାସହରା ଲୋକଙ୍କୁ ରନ୍ଧାଖାଦ୍ୟ ଦେଉଛନ୍ତି।

ସେ କୁହନ୍ତି, ସେବା ମନୋବୃତ୍ତି ଥିଲେ ଈଶ୍ୱର ବି ସାଙ୍ଗରେ ଥାଆନ୍ତି। ଦିନକୁ ମାତ୍ର ୩୦୦ଟଙ୍କା ଖର୍ଚ୍ଚରେ ବହୁ ବେସାହାରାଙ୍କ ପେଟ ଭରିବା ସମ୍ଭବ ହେଉଛି। ପୁଣି ବେଳେବେଳେ ବାହାଘର ଭୋଜି କିମ୍ବା ଜନ୍ମଦିନ ପାର୍ଟିରୁ ମୁଁ ଯାଇ ଖାଦ୍ୟ ନେଇ ଆସେ। କାରଣ ରାଜଧାନୀର ପ୍ରାୟ ଭୋଜିରେ ଖାଦ୍ୟ ବଳକା ହୋଇ ଫୋପଡ଼ାଯାଏ। ଯାହା ଅନେକଙ୍କ ଭୋକିଲା ପେଟକୁ ଶାନ୍ତ କରିଦିଏ।

ଏମିତି ଖାଦ୍ୟ ଦେବା ବେଳେ ତାଙ୍କ ନଜର ପଡ଼ିଥିଲା ସେମାନେ ପିନ୍ଧିଥିବା ଓଦା ବସ୍ତ୍ର ଉପରେ। ତେଣୁ ସାଙ୍ଗସାଥୀଙ୍କୁ କହି ଘର ଘର ବୁଲି ସମସ୍ତଙ୍କର ପୁରୁଣା ଲୁଗାପଟା ଆଣି ସେମାନଙ୍କୁ ଦେବା ଆରମ୍ଭ କରିଦେଲେ। ଛତା, ଜୋତା, ଲୁଗା ଯାହାର ଯାହା ଦରକାର ବିନା ଦ୍ୱିଧାରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ନାରାୟଣ। ସେ କୁହନ୍ତି, ଲୋକମାନେ ନିଜ ପୁରୁଣା ଲୁଗାପଟା କିମ୍ବା ଟଙ୍କା ସାହାଯ୍ୟ କରିବାକୁ ପଛାଉନାହାନ୍ତି। ମୁଁ ଯାହାକୁ ମାଗେ ପ୍ରାୟ ସମସ୍ତେ ଦିଅନ୍ତି। ତେବେ ଏହି ସେବା ପରୋକ୍ଷ ଭାବେ ନ କରି ସମସ୍ତେ ଯଦି ସିଧାସଳଖ ଅସହାୟଙ୍କ ସେବା କରନ୍ତେ, ତେବେ ସଂସାରରେ କେହି ଅସହାୟ ଭୋକରେ ମରନ୍ତେନି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.