୨୪ ଘଣ୍ଟିଆ ହେଲା ୧୯୨୯ ହେଲ୍ପ ଲାଇନ୍
ବିଏମ୍ସି, ବିଏସ୍ସିଏଲ୍, ବିଡିଓ ଓ କ୍ରୁଟ୍ ସମ୍ପର୍କିତ ଅଭିଯୋଗ ପାଇଁ ପ୍ରସ୍ତୁତ
ଭୁବନେଶ୍ୱର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ଦ୍ବାରା ପରିଚାଳିତ ୧୯୨୯ ହେଲ୍ପ ଲାଇନ୍ ନମ୍ବର ୨୪ ଘଣ୍ଟିଆ ହୋଇଛି। ଏଣିକି ରାତିଦିନ ଯେତେବେଳେ ଚାହିଲେ ଏହି ନମ୍ବରରେ ଅଭିଯୋଗ କରି ହେବ। ପୂର୍ବରୁ କେବଳ କରୋନା ପାଇଁ ବ୍ୟବହାର ହେଉଥିବା ଏହି ହେଲ୍ପ ଲାଇନ୍ ନମ୍ବରରେ ଏଥର ବିଏମ୍ସି, ବିଡିଏ, କ୍ରୁଟ୍ ଓ ବିଏସ୍ସିଏଲ୍ ୪ଟି ବିଭାଗ ସମ୍ପର୍କିତ ଅଭିଯୋଗ କରିହେବ। ୪ଟି ବିଭାଗ ପାଇଁ ଗୋଟିଏ ନମ୍ବର; ତାହା ପୁଣି ୨୪ ଘଣ୍ଟିଆ ହୋଇଥିବାରୁ ବିଭିନ୍ନ ମହଲରୁ ଏହାକୁ ପ୍ରଶଂସା କରାଯାଇଛି।
ଉଲ୍ଲେଖଯୋଗ୍ୟ, କରୋନା ସମୟରେ ଏହି ନମ୍ବର କେବଳ କରୋନା ସମ୍ବନ୍ଧିତ ସମସ୍ୟା ପାଇଁ ବ୍ୟବହାର କରାଯାଉଥିଲା। ଏହି ନମ୍ବର ଜରିଆରେ ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଦିଆଯିବା ସହ ଡାକ୍ତରଖାନା, ନମୁନା ପରୀକ୍ଷା ରିପୋର୍ଟ ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଉଥିଲା। ଗୋଟିଏ ସିଫ୍ଟରେ ୧ ହଜାରରୁ ଅଧିକ ଫୋନ୍ କଲ୍ ଆସୁଥିବା ବେଳେ ଦିନକୁ ପ୍ରାୟ ୩ ହଜାର କଲ୍ ଆସୁଥିଲା। ହେଲ୍ପ ଲାଇନ୍ରୁ ୨ ହଜାରରୁ ଊର୍ଦ୍ଧ୍ବ କଲ୍ ଯାଉଥିଲା। ଦୁଇ ସିଫ୍ଟ୍ରେ ୨୦ଟି ଫୋନ୍ ଲାଇନ୍ରେ ୨୯ ଜଣ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ରାତି ୧୦ଟା ପରେ ଏହି ସେବା ଉପଲବ୍ଧ ନ ଥିଲା। ସେତେବେଳେ ଏହି ହେଲ୍ପ ଲାଇନ୍ ବେଶ୍ ଲୋକପ୍ରିୟ ହୋଇ ପାରିଥିଲା।
ଏବେ ୪ଟି ବିଭାଗକୁ ଏହି ଗୋଟିଏ ଲାଇନ୍ରେ ସଂଯୋଗ କରାଯାଇଛି। ବିଏମ୍ସି, ବିଡିଏ, ବିଏସ୍ସିଏଲ୍ ଓ କ୍ରୁଟ୍ ସମ୍ପର୍କିତ ସମସ୍ତ ଅଭିଯୋଗ ଏଠାରେ ପଞ୍ଜୀକୃତ ହେବ। ପଞ୍ଜୀକୃତ ହେବା ପରେ ଫୋନ୍ କରିଥିବା ବ୍ୟକ୍ତିର ମୋବାଇଲ ନମ୍ବରକୁ ଏସ୍ଏମ୍ଏସ୍ ଯିବ। ଏହି ଏସ୍ଏମ୍ଏସ୍ ପାଇଁ କଲରକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ମିଳିଥିବା ପଞ୍ଜୀକରଣ ନମ୍ବର ଜରିଆରେ ଯେ କୌଣସି ସମୟରେ ଅଭିଯୋଗର ସ୍ଥିତି ସମ୍ବନ୍ଧରେ ଜାଣି ହେବ। ପୂର୍ବାପେକ୍ଷା ଏହି ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି। ପ୍ରତ୍ୟେକ ଅଭିଯୋଗ ଯେଭଳି ପଞ୍ଜୀକୃତ ହେବ ସେଥିପାଇଁ ବିଏସ୍ସିଏଲ୍ ଯତ୍ନବାନ ଥିବା କହିଛନ୍ତି ବିଏସ୍ସିଏଲ୍ ଜିଏମ୍ କମଲଜିତ ଦାସ।