ସହାୟତା ପାଇଁ ‌କେଉଁ ନମ୍ବରରେ ଯୋଗଯୋଗ କରିବେ

ସାଲିଆସାହିରେ ସଚେତନତା ବୈଠକ, ବନ୍ଦ ହେବନି ପାଣି ଯୋଗାଣ, ୩୦ରୁ ଅଧିକ ଟ୍ୟାଙ୍କର ପ୍ରସ୍ତୁତ

ବାତ୍ୟା ସମୟରେ ରାଜଧାନୀବାସୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ବିଏମ୍‌ସିର ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ନମ୍ବର ୧୮୦୦୦୩୪୫୦୦୬୧ ଏବଂ ୦୬୭୪୨୪୩୧୨୫୩ରେ ଯୋଗାଯୋଗ କରିପାରିବେ। ନଚେତ୍‌ କମିସନରେଟ୍ ପୁଲିସର କଣ୍ଟ୍ରୋଲ ରୁମ୍‌ ନମ୍ବର ୧୦୦ ବା ଅଗ୍ନିଶମ ବିଭାଗର କଣ୍ଟ୍ରୋଲ ରୁମ୍ ନମ୍ବର ୧୦୧ରେ ଯୋଗାଯୋଗ କରିପାରିବେ।

ସାଲିଆସାହିରେ ସଚେତନତା ବୈଠକ

ବାତ୍ୟା ଫନିର ପ୍ରଭାବକୁ ନଜରରେ ରଖି ୱାର୍ଡ ନମ୍ବର ୩୯ର ମଙ୍ଗଳାବସ୍ତି, ବେହେରାସାହି ବସ୍ତି, ସୀତାପୁର ବସ୍ତି, ଆଖଣ୍ଡଳମଣି ବସ୍ତି, ଗୌଡ଼ ବସ୍ତିର ପାଖାପାଖି ୫ଶହ ଲୋକଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବିଏମ୍‌ସି କର୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାଠାରୁ ଆରମ୍ଭ କରି ରହିବା, ଖାଇବା ପିଇବାର ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ନୂଆପଲ୍ଲୀ କସ୍ତୁରବା ଶିକ୍ଷାଶ୍ରମରେ ସେମାନଙ୍କୁ ଥଇଥାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ପ୍ରଶାସକ ଶୁଭ୍ରାଂଶୁ ମିଶ୍ର, ପୂର୍ବତନ କର୍ପୋରେଟର ନବ କିଶୋର ବେହେରା ସ୍କୁଲ୍‌ରେ ପହଞ୍ଚି ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ସେହିପରି ସାଲିଆସାହିରେ ଘନ ଘନ ବୈଠକ କରି ସଚେତନ କରାଯାଉଛି। ବସ୍ତିବାସିନ୍ଦାଙ୍କ ସୁରକ୍ଷା ପାଇଁ ଲୈଲା ସ୍କୁଲ, ବିଜୁ ପଟ୍ଟନାୟକ କଲେଜ ଏବଂ ଜିଆଇଟି ଫାର୍ମାସି କଲେଜରେ ସେମାନଙ୍କ ରହିବା ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପାଇଁ ୫ଶହ ଲୋକଙ୍କ ବ୍ୟବସ୍ଥା କରାଯାଇଛି ବୋଲି ଦାୟିତ୍ବରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପ ସଚିବ ଦୀପକ ରାଉତରାୟ କହିଛନ୍ତି।

ଆଶ୍ରୟସ୍ଥଳୀ ପ୍ରସ୍ତୁତ

ବାତ୍ୟା ବେଳେ ନିରାଶ୍ରିତମାନେ ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି ସେଥିପାଇଁ ଓଡ଼ିଶା ପତିତା ଉଦ୍ଧାର ସମିତି (ଓପୁସ)ପକ୍ଷରୁ ବିଏମ୍‌ସି ସହଯୋଗରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜଧାନୀରେ ବାସହୀନଙ୍କ ପାଇଁ ୭ଟି ଆଶ୍ରୟସ୍ଥଳୀ ରହିଛି। ଓଡ଼ିଶା ପତିତା ଉଦ୍ଧାର ସମିତି ଅଧୀନରେ ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଅଶୋକନଗର, ମାଳିସାହି, ଭୀମପୁରରେ ଏବଂ ବିକାଶ ସଂସ୍ଥା ଅଧୀନରେ ପରିଚାଳିତ ଘାଟିକିଆ ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ୨ଟି ଆଶ୍ରୟସ୍ଥଳୀ ରହିଛି। ଏହି ଆଶ୍ରୟସ୍ଥଳୀମାନଙ୍କରେ ବହୁ ସଂଖ୍ୟାରେ ବୃଦ୍ଧବୃଦ୍ଧା ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳୀମା‌ନଙ୍କରେ ଖାଦ୍ୟ ସହ ପ୍ରାଥମିକ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକୀୟ ଔଷଧ ରଖାଯାଇଛି। ଓପୁସର ଆଭାରାଣୀ ଚୌଧୁରୀଙ୍କ କହିବା ମୁତାବକ, ବାତ୍ୟା ସମୟରେ ଯଦି କେହି ନିରାଶ୍ରିତ ବ୍ୟକ୍ତି ଆଶ୍ରୟସ୍ଥଳୀକୁ ହଠାତ୍ ଆସି ପ‌ହଞ୍ଚେ ତାଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ହୋଇଛି। କିଛି ଅଘଟଣ ଘଟିଲେ ଆବଶ୍ୟକସ୍ଥଳେ ନିରାଶ୍ରିତଙ୍କୁ ସ୍ଥାନାନ୍ତର ପାଇଁ ଏକ ଭ୍ୟାନ୍‌ ଓ ୪ ଜଣ ଡ୍ରାଇଭରଙ୍କୁ ପ୍ରସ୍ତୁତ ରଖିଛୁ। ଏଥିସହ ସମସ୍ତ ଆଶ୍ରୟସ୍ଥଳୀରେ ଆମର କର୍ମଚାରୀମାନେ ରାତିଦିନ ଉପସ୍ଥିତ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଏନେଇ ପ୍ରତି ଘଣ୍ଟାଏଁ ଲେଖାଏଁ ଅନ୍ତରରେ ଖବର ରଖାଯାଉଛି। ସେହିପରି ବାତ୍ୟା ବେଳେ ବର୍ଷା ଯୋଗୁଁ କୌଣସି ନିରାଶ୍ରିତଙ୍କ ଆଶ୍ରୟସ୍ଥଳୀରେ ଯେପରି ପାଣି ନପଶେ ସେନେଇ ମାଳିସାହିସ୍ଥିତ ଆଶ୍ରୟସ୍ଥଳୀ ନିକଟରେ ଚୋକ୍‌ ହୋଇଯାଇଥିବା ନାଳକୁ ସଫା କରାଯାଇଛି।

ବନ୍ଦ ହେବନି ପାଣି ଯୋଗାଣ, ୩୦ରୁ ଅଧିକ ଟ୍ୟାଙ୍କର ପ୍ରସ୍ତୁତ

ବାତ୍ୟା ସମୟରେ ରାଜଧାନୀରେ ପାନୀୟ ଜଳ ଯୋଗାଣ ଯେପରି ସ୍ବାଭାବିକ ହେବ ସେଥିପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତିନିଟି ଯାକ ଜଳବିଶୋଧନାଗାର ମୁଣ୍ଡଳି, ପଳାସୁଣୀ ଏବଂ ସାମନ୍ତରାପୁରରେ ଡିଜି ସେଟ୍‌ ରଖାଯାଇଥିବାବେଳେ ସହରର ବିଭିନ୍ନ ସ୍ଥାନକୁ ଯେଉଁଠାରୁ ପାନୀୟ ଜଳ ଯୋଗାଣ ହେଉଛି ସେଠାରେ ଡିଜି ସେଟ୍‌ ଲଗାଇ ପାଇପ୍ ପାଣି ପ୍ରତି ଘରେ ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। ଏହାବାଦ୍ ୩୦ରୁ ଅଧିକ ଟ୍ୟାଙ୍କର୍‌ ମାଧ୍ୟମରେ ପାଣି ଯୋଗାଇବା‌ର ବ୍ୟବସ୍ଥା ହୋଇଛି ବୋଲି ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତ ରଂଜନ ଜେନା କହିଛନ୍ତି। ଲୋକମାନେ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କଲେ ତୁରନ୍ତ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ବାତିଲ ହେଲା ୭ ନିର୍ବନ୍ଧ

ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିରରେ ହେବାକୁ ଥିବା ୭ ନିର୍ବନ୍ଧକୁ ବାତିଲ କରାଯାଇଛି। ୭ ତାରିଖରେ ଅକ୍ଷୟ ତୃତୀୟା ସହ ୩ ଓ ୪ ତାରିଖରେ ବାସୁଦେବ ମନ୍ଦିରରେ ବିଭିନ୍ନ ଲୋକଙ୍କ ନିର୍ବନ୍ଧ ହେବାର ଥିଲା। ବାସୁଦେବ ମନ୍ଦିରରେ ଅବଢ଼ା ବରାଦି ମଧ୍ୟ ବାତିଲ କରାଯାଇଛି ବୋଲି ସେବାୟତମାନେ କହିଛନ୍ତି। ବାତ୍ୟା ପରେ ବିନ୍ଦୁସାଗର ଜଗତିରେ କୌଣସି କ୍ଷତି ହେଲେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ଥିଲା। ଦିନକୁ ୪୦ରୁ ୫୦ଟି ଟୁରିଷ୍ଟ ବସ୍‌ ଆସୁଥିବା ବେଳେ ବାତ୍ୟା ପ୍ରଚାର ଯୋଗୁଁ ପର୍ଯ୍ୟଟକ ସଂଖ୍ୟା କମିଛି। ଆଜି ମାତ୍ର ଦୁଇଟି ବସ୍‌ ଆସିଥିବା ଜଣାପଡ଼ିଛି। ସେହିପରି ନିକଟରେ ଥିବା ଧର୍ମଶାଳା ଓ ଗେଷ୍ଟ ହାଉସ୍‌ରେ ମଧ୍ୟ ପର୍ଯ୍ୟଟକ ନାହାନ୍ତି।

ସମ୍ବନ୍ଧିତ ଖବର