ହେଲ୍ପମେଟ୍‌ର ବାର୍ଷିକୋତ୍ସବ ‘ଜାଗ୍ରତ ହେଉ ଭାଷା ପ୍ରୀତି’; ଓଡ଼ିଶାବାସୀ ଓଡ଼ିଆ କହିଲେ ଭାଷା ମରିବ ନାହିଁ: ଦେବୀପ୍ରସନ୍ନ

ଭୁବନେଶ୍ବର: ଓଡ଼ିଶାରେ ଆମେ ସାଢ଼େ ୪ କୋଟି ଓଡ଼ିଆ। ପ୍ରତ୍ୟେକେ ଯଦି ଓଡ଼ିଆ ଭାଷା କହିବା, ଲେଖିବା ଓ ପ୍ରତିଟି କ୍ଷେତ୍ରରେ ବ୍ୟବହାର କରିବା; ତେବେ ଏ ଭାଷାଟି ମରିବ କିପରି? କେବଳ ଭାଷା ପ୍ରୀତିର ମିଛ ଛଳନା ନ କରି ପ୍ରକୃତରେ ଯଦି ଆମେ ଚାହିବା ତେବେ ଆମ ଭାଷା ଚିରଅମର ହୋଇ ରହିବ। କିନ୍ତୁ ଦୁଃଖର ବିଷୟ ଆମ ଉଚ୍ଚାରଣ ଓ ଆଚରଣରେ ତାଳମେଳ ରହୁନାହିଁ। ଦୀର୍ଘ ଦିନ ଧରି ଓଡ଼ିଆ ଭାଷାକୁ ରାଜ୍ୟ ଭାଷା କରିବାକୁ ଦାବି କରାଯାଉଥିବା ବେଳେ ତାହା ବି ଏଯାଏ ସମ୍ଭବ ହେଲା ନାହିଁ। କେ‌ବଳ ରୋଜଗାରର ମାଧ୍ୟମ ହେଉଥିବା ଭାଷା ଉପରେ ଆମେ ଏବେ ଅଧିକ ଗୁରୁତ୍ବ ଦେଉଥିବା‌ ବେଳେ ଧୀରେଧୀରେ ମାତୃଭାଷାରୁ ବିମୁଖ ହେଲେଣି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ। ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପମେଟ୍‌ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠାନର ବାର୍ଷିକୋତ୍ସବ ‘ଜାଗ୍ରତ ହେଉ ଭାଷା ପ୍ରୀତି’ ସୋମବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଥିଲେ।

କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ନିଜ ପୁସ୍ତକ ‘ଜେଜେ ମଲା ପରେ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଭାଷାର ଉନ୍ନତି ଭାବ ସହ ଜଡ଼ିତ ବୋଲି ସେ କହିଥିଲେ। ଅନୁଷ୍ଠାନର ସଭାପତି ଅଞ୍ଜଳି ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦିକା ନିବେଦିତା ଭଞ୍ଜ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଭାଷାବିତ୍‌ ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଭାଷାକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ର ସାମ୍ବାଦିକା ସସ୍ମିତା ସାହୁ ଓ ‘ନିତିଦିନ’ର ସାମ୍ବାଦିକ ଦେବୀପ୍ରସାଦ ବିଶ୍ବାଳ ପ୍ରମୁଖଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ଏଥିସହ ରକ୍ତଦାତା ବିଶ୍ବରଞ୍ଜନ ପ୍ରଧାନ ଓ ମଲ୍ଲିକ ଆୱେଶଙ୍କ ସମେତ ସଂସ୍କୃତିପ୍ରେମୀ କାବେରୀ ପଟ୍ଟନାୟକ, ଶଶିପ୍ରଭା ଦାସ, ବର୍ଣ୍ଣନା ମହାନ୍ତି, ବବିତା ମହାନ୍ତି, ମୋନିକା ମହାପାତ୍ର ଓ ଲିନା ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତ‌ାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର