ଭୁବନେଶ୍ୱର: ‘ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ସଚେତନତା ଦିବସ’ ଅବସରରେ, ହେଲ୍ପଏଜ୍ ଇଣ୍ଡିଆ ଆଜି ଏହାର ଜାତୀୟ ରିପୋର୍ଟ ‘ଏଜିଙ୍ଗ୍ ଇନ୍ ଇଣ୍ଡିଆ: ଆବଶ୍ୟକ ଯତ୍ନ ଆହ୍ୱାନର ଅନୁସନ୍ଧାନ ଏବଂ ପଦକ୍ଷେପ’ ଉନ୍ମୋଚନ କରିବା ସହିତ ଏ ଦିଗରେ କାର୍ଯ୍ୟରତ ବେସରକାରୀ ସଂସ୍ଥା, ସରକାରୀ କର୍ମକର୍ତ୍ତା, ସାଧାରଣ ବ୍ୟକ୍ତିବିଶେଷ ଏବଂ ଅନ୍ତର୍ଜାତୀୟ ସାମାଜିକ କ୍ଷେତ୍ରର ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିଛି। ୧୦ଟି ରାଜ୍ୟର ୫୧୬୯ ଜଣ ବୟସ୍କ ଏବଂ ୧୩୩୩ ଜଣ ଓ ପ୍ରାଥମିକ ପରିବାର ସଦସ୍ୟଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏକାଧିକ କ୍ଷେତ୍ରରେ ମୌଳିକ ସେବା ପାଇବା, ସମ୍ମାନଜନକ ଜୀବନ ଯାପନ କରିବାର ଉପଲବ୍ଧତା ଏବଂ ସଚେତନତା ଦୃଷ୍ଟିରୁ ଭାରତରେ ବୟସ୍କମାନଙ୍କ ମଧ୍ୟରେ ‘ଅପ୍ରସ୍ତୁତତା ଏବଂ ଅସହାୟତା’ ବିଷୟରେ ଏହି ରିପୋର୍ଟରେ ଆଲୋକପାତ କରାଯାଇଛି। ରିପୋର୍ଟରୁ ଜଣାପଡିଛି ଯେ, ପ୍ରତି ତିନିଜଣ ବୟସ୍କଙ୍କ ମଧ୍ୟରୁ ଜଣେ ବୟସ୍କଙ୍କ କୌଣସି ରୋଜଗାର ନାହିଁ। ଏଥିରେ ୨୭ ପ୍ରତିଶତ ପୁରୁଷ ଥିବା ବେଳେ ୩୮% ମହିଳା ରହିଛନ୍ତି। ପାଖାପାଖି ୬୫% ବୟସ୍କ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ନୁହନ୍ତି। ୩୨% ବୟସ୍କ କିମ୍ବା ସେମାନଙ୍କ ଜୀବନସାଥୀଙ୍କର ବାର୍ଷିକ ଆୟ ୫୦ ହଜାର ଟଙ୍କାରୁ କମ୍ ଏବଂ କେବଳ୨୯% ବୟସ୍କ ମାନେ ସାମାଜିକ ସୁରକ୍ଷା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ଯୋଗଦାନକାରୀ ପେନସନ, ଭବିଷ୍ୟନିଧି ପାଣ୍ଠିର ସୁବିଧା ପାଇଛନ୍ତି। ୩୨% ପରିବାର ଯତ୍ନଦାତା ବୃଦ୍ଧମାନଙ୍କୁ ଯତ୍ନ ଯୋଗାଇବାରେ ଆର୍ଥିକ ଆହ୍ବାନର ସମ୍ମୁଖୀନ ହୋଇଥିବା ସୂଚନା ଦେଇଛନ୍ତି । ମାତ୍ର ୧୦% ବୟସ୍କ ଲୋକ ସେମାନଙ୍କ ଘର ନିକଟରେ ବାର୍ଦ୍ଧକ୍ୟ ଗୃହ, ଡେ’ କେୟାର ସେଣ୍ଟର, ପାଲିଏଟିଭ୍ କେୟାର ଇତ୍ୟାଦି ବିଷୟରେ ଜାଣିଛନ୍ତି। ୭% ବୟସ୍କ ଲୋକ ନିର୍ଯାତନାର ଶିକାର ହୋଇଥିବା ସ୍ୱୀକାର କରିଥିବା ବେଳେ ୫% ବୟସ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଛନ୍ତି। ୪୨% ପୁଅ ଏଥିପାଇଁ ଦୋଷୀ ବୋଲି କହିଥିବା ବେଳେ ୨୮% ବୋହୂ ଏଥିପାଇଁ ଦାୟୀ ବୋଲି କହିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ଏକବର୍ଷ ମଧ୍ୟରେ ନିର୍ଯାତନାର ସମ୍ମୁଖୀନ ହୋଇଥିବା ବୟସ୍କଲୋକଙ୍କ ମଧ୍ୟରୁ ଅଧିକ ପ୍ରତିଶତ ନିରକ୍ଷର ଥିଲେ ଏବଂ ବୟସ୍କଙ୍କ ଆୟ କମିବା ସହିତ ନିର୍ଯାତନା ବୃଦ୍ଧି ପାଇଥିଲା, କାରଣ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଧିକାଂଶ ଉତ୍ତରଦାତା (୭୩%) ବାର୍ଷିକ ଆୟ ୧,୦୦,୦୦୦ ଟଙ୍କାରୁ କମ୍ ବୋଲି ଜଣାଇଥିଲେ। ଏହାବ୍ୟତୀତ, ଅଧିକାଂଶ ବୟସ୍କ ଯେଉଁମାନେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ, ସେମାନେ ଏନ୍ସିଡିରେ ପୀଡ଼ିତ ଥିଲେ। ପ୍ରାୟ ୯୪% ବୟସ୍କ ଅତିକମ୍ରେ ଗୋଟିଏ କ୍ରନିକ ରୋଗ ବିଷୟରେ ଜଣାଇଛନ୍ତି। ଡିଜିଟାଲ ସଶକ୍ତୀକରଣ କ୍ଷେତ୍ରରେ ମାତ୍ର ୪୧% ବୟସ୍କଙ୍କ ପାଖରେ ଡିଜିଟାଲ ଡିଭାଇସ୍ ଉପଲବ୍ଧ। ୪୮% ପୁରୁଷ ବୟସ୍କଙ୍କ ପାଖରେ ଡିଜିଟାଲ୍ ଡିଭାଇସ୍ ଉପଲବ୍ଧ ଥିବାବେଳେ ୩୩% ମହିଳା ବୟସ୍କଙ୍କ ପାଖରେ ଏହା ରହିଛି। ଏଥିରେ ହେଲ୍ପଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର, ଏସ୍ଏସ୍ଇପିଡି ବିଭାଗ ନିର୍ଦେଶିକା ନିୟତି ପଟ୍ଟନାୟକ, ନୀତି ଆୟୋଗ ସଦସ୍ୟ ଜଗଦାନନ୍ଦ, ଦକ୍ଷିଣ ଏସିଆ ଆଞ୍ଚଳିକ ମୁଖ୍ୟ ଉମି ଡାନିଏଲ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସାଂସ୍କୃତିକ ମାନବ ବିଜ୍ଞାନର ପ୍ରଫେସର ଅନ୍ନପୁର୍ଣ୍ଣା ଦେବୀ ପାଣ୍ଡେ, ସାମ୍ବାଦିକ ସନ୍ଦୀପ ସାହୁ, ଆଇଆଇପିଏଚ୍ର ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀଧର କଦମ, ଜନସଂଖ୍ୟା ବିଜ୍ଞାନୀ ସ୍ୱସ୍ତିକା, ଇଣ୍ଡିଆ ଏଜ୍ କେୟାର ଟ୍ରଷ୍ଟର ପ୍ରତିଷ୍ଠାତା ମନୋଜ ଦାସ ପ୍ରମୁଖ ନିଜର ମତ ରଖିଥିଲେ। ହେଲ୍ପଏଜ୍ ଇଣ୍ଡିଆର ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର ସଞ୍ଜୟ ଦାସ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sffhsfshshfh.jpg)