ଗରିବ, ନିରାଶ୍ରିତଙ୍କ ନେତା ଥିଲେ ହେମାନନ୍ଦ

ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ବର: ଗରିବ, ନିରାଶ୍ରୟ, ଆଦିବାସୀ ଦଳିତମାନଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିବା ରାଜନେତା ହେଉଛନ୍ତି ହେମାନନ୍ଦ ବିଶ୍ବାଳ। ସେ କ୍ଷମତା ଲୋଭ ପାଇଁ ରାଜନୀତି କରୁ ନଥିଲେ, ଦଳିତଙ୍କ ମୁହଁରେ ହସ ଫୁଟାଇବା ତାଙ୍କର ଲକ୍ଷ୍ୟ ଥିଲା। ସେ ଭାରି ସ୍ବାଭିମାନୀ ଥିଲେ। ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରି କ୍ରୀଡ଼ା, କଳା, ସାହିତ୍ୟ ଓ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇପାରିଥିଲେ। ଭୁବନେଶ୍ବର ଆମ୍ବେଦକର କଲେଜ ଓ ଏଜି ଛକଠାରେ ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଆମ୍ବେଦକର ଛକର ନାମକରଣ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା।

ହେମାନନ୍ଦ ବିଶ୍ବାଳ ସ୍ମୃତି କମିଟି ପକ୍ଷରୁ ୟୁନିଟ୍-୩ସ୍ଥିତ ବୁଦ୍ଧମନ୍ଦିରଠାରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏହା କହିଛନ୍ତି।

ଯୁବନେତା ବିଦ୍ୟାଧର ଦେହୁରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଭଜମନ ବେହେରା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବିଶ୍ବାଳଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ସମାଜସେବୀ ଅମିୟ ପାଣ୍ଡବ, ଅବଦୁଲ୍‌ କଲାମ ଆଜାଦ, ସମାଜସେବୀ ମାନସ ଜେନା, ସମାଜବାଦୀ ପାର୍ଟି ନେତା ସୁଦର୍ଶନ ପ୍ରଧାନ, ବିକ୍ରମ ସ୍ବାଇଁ, ମାନଗୋବିନ୍ଦ ସେଠୀ, ସୁନାକର ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ସ୍ମୃତି କମିଟି ସଂଯୋଜକ ଲକ୍ଷ୍ମଣ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ନାରୀନେତ୍ରୀ ପ୍ରତିମା ମଲ୍ଲିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର