ବାଲିପାଟଣା: ବୁଧବାର ରାତି ପ୍ରାୟ ସାଢ଼େ ୭ଟା ବେଳେ ବାଲିପାଟଣା ନରଦା ବଜାରରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଜନଗହଳିପୂର୍ଣ୍ଣ ବଜାରରେ ଭିଣୋଇକୁ ବୀଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛି ସାନ ଶଳା। ମୃତକ ହେଲେ ନିମାପଡ଼ା ଥାନା ରେଙ୍ଘୋଳ ଗାଁର ମୁସ୍ତାକିନ୍‌ ଅଲ୍ଲୀ(୫୦) ଏବଂ ହତ୍ୟାକାରୀ ଥିଲା ମିର୍‌ ସୟଦ୍‌ ଅଲ୍ଲୀ ଓରଫ ଗୁଟୁ। ଗୁଟୁର ଖଣ୍ଡା ଚୋଟରେ ମୁସ୍ତାକିନ୍‌ଙ୍କ ମୁଣ୍ଡ କାନ୍ଧରେ ଝୁଲି ପଡ଼ିଥିଲା ଏବଂ ଡାହାଣ ହାତ ପାପୁଲି ପୂରା ଛିଡ଼ିଯାଇଥିଲା। ହତ୍ୟାକାଣ୍ଡସ୍ଥଳରୁ ପଳାଉଥିବା ବେଳେ ଲୋକେ ହତ୍ୟାକାରୀ ମିର୍‌ ସୟଦ୍‌ ଅଲ୍ଲୀ(୨୫)କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଘଟଣା ପରେ ନରଦା ବଜାରରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଆଖି ଆଗରେ ଛାତିଥରା ହତ୍ୟାକାଣ୍ଡ ଦେଖିଥିବା ଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ଏବଂ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ପଳାଇଥିଲେ। ବାଲିପାଟଣା ଥାନା ପୁଲିସ ହତ୍ୟା ଅଭିଯୁକ୍ତ ମିର୍‌ ସୟଦ୍‌କୁ ଅଟକ ରଖିଛି ଏବଂ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି। 

Advertisment

ଶଳାକୁ କାବୁ କରି ପୁଲିସ ଜିମାଦେଲେ

ନରଦାର ମିର୍‌ ରହମତ୍‌ ଅଲ୍ଲୀଙ୍କ ଝିଅ ମୁସ୍‌ଲିମା ବିବି ନିମାପଡ଼ା ଥାନା ରେଙ୍ଘୋଲ ଗାଁର ମୁସ୍ତାକିମ୍‌ ଅଲ୍ଲୀଙ୍କୁ ବିବାହ କରିଛନ୍ତି। ରହମତ୍‌ଙ୍କ ବଡ଼ ପୁଅ ମିର୍‌ ତୟାବ୍‌ ନରଦା ବଜାର ତ୍ରିନାଥ ମନ୍ଦିର ଓ ଗଜଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଏକ ପାନ ଦୋକାନ କରିଛନ୍ତି। ସାନ ପୁଅ ମିର୍‌ ସୟଦ୍‌ ଓରଫ ଗୁଟୁ କିଛି ମାସ ତଳେ ବିବାହ କରିଥିଲା। କୌଣସି କାରଣରୁ ଗୁଟୁର ସ୍ତ୍ରୀ ଛାଡ଼ି ଚାଲିଯିବା ସହ କୋର୍ଟରେ କେସ୍‌ କରିଛି। ଏହାକୁ ନେଇ ଗୁଟୁର ମାନସିକ ସ୍ଥିତି ଭଲ ନଥିଲା। ଏହା ଭିତରେ ଗୁଟୁ ଏକ ଜମି ବିକିବାକୁ ଚାହୁଥିଲା। କିନ୍ତୁ ଭି‌ଣୋଇ ମୁସ୍ତାକିନ୍‌ ଜମି ବିକାକୁ ବିରୋଧ କରୁଥିଲେ। ତେଣୁ ଏ‌ହାକୁ ନେଇ ଶଳା ଓ ଭିଣୋଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏମିତିକି ଶଳା ଓ ଭିଣୋଇ ମଧ୍ୟରେ ବହୁଥର ପାଟିତୁଣ୍ଡ ହୋଇଥିଲା। ଏଣେ ପରିବାର ଲୋକେ ବିଶେଷକରି ବଡ଼ଭାଇ ମିର୍‌ ତୟାବ୍‌ ଭିଣୋଇ କଥାରେ ଯାଉଥିବାରୁ ଜମି ବିକ୍ରି ହୋଇପାରି ନଥିଲା। ତେଣୁ ଭିଣୋଇ ମୁସ୍ତାକିନ୍‌ ବଞ୍ଚିଥିବା ଯାଏ ତା’ ବାଟରେ କଣ୍ଟା ହୋଇ ରହିଥିବ ବୋଲି ଗୁଟୁ ଧରିନେଇଥିଲା। ତେଣୁ ଭିଣୋଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଗୁଟୁ ସୁଯୋଗ ଅପେକ୍ଷାରେ ଥିଲା। ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ମୁସ୍ତାକିନ୍‌ ତାଙ୍କ ବଡ଼ ଶଳା ତୟାବ୍‌ ପାନ ଦୋକାନ ଆଗରେ ଠିଆ ହୋଇଥିଲେ। ଏତିକିବେଳେ ହଠାତ୍ ଗୁଟୁ ସେଠି ପହଞ୍ଚିଥିଲା ଏବଂ ଖଣ୍ଡାରେ ତାଙ୍କ ବେକରୁ ଶକ୍ତ ପାହାର ପକାଇଥିଲା। ଗୋଟିଏ ଚୋଟରେ ମୁସ୍ତାକିନ୍‌ଙ୍କ ବେକ ଅଧା ଛିଡ଼ି ଯାଇଥିଲା ଏବଂ ସେ ଟଳି ପଡ଼ିଥିଲେ। ରକ୍ତମୁଖା ଗୁଟୁ ପୁଣି ଏକ ଖଣ୍ଡା ଚୋଟ ପକାଇଥିଲା ଏବଂ ସେଥିରେ ମୁସ୍ତାକିନ୍‌ଙ୍କ ପାପୁଲି ଛିଡ଼ି ଅଲଗା ହୋଇ ଯାଇଥିଲା। ଏହାପରେ ସେ ବାଗଲପୁର ନାରାୟଣୀ ଛକ ଦିଗରେ ଧାଇଁଥିଲା। ପ୍ରଥମେ ଭୟ କରିଯାଇଥିବା ଲୋକେ ତାକୁ ପିଛା କରିନଥିଲେ। କିନ୍ତୁ କିଛି ସମୟ ପରେ କିଛି ଯୁବକ ସାହସ କରି ପିଛା କରିଥିଲେ ଏବଂ ବାଗଲପୁରରେ ତାକୁ ଧରିଥିଲେ।