ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ଦୁଇ ଦିନ ପରେ ଆଜି ଚୈତ୍ର କୃଷ୍ଣପକ୍ଷ ଦଶମୀ ତିଥିରେ ମା’ ପାର୍ବତୀଙ୍କ ହେରା ଦଶମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧି ଅନୁସାରେ ଆଜି ସନ୍ଧ୍ୟାରେ ମା’ ପାର୍ବତୀ ଏକାକୀ ରାମେଶ୍ବର ମନ୍ଦିରକୁ ଆସି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜବାବ ମାଗିବା ସହ ରାଗ, ଅଭିମାନରେ ଫେରିବା ବେଳେ ରୁକୁଣା ରଥକୁ ଭାଙ୍ଗିଛନ୍ତି। ଦେବ ଦମ୍ପତିଙ୍କ ଏହି କଳିଝଗଡ଼ା ଦେଖିବାକୁ ଆଜି ଶହଶହ ଶ୍ରଦ୍ଧାଳୁ ରାମେଶ୍ବର ମନ୍ଦିରରେ ଭିଡ଼ କରିଥିଲେ।
ସୂଚନାଯୋଗ୍ୟ ଯେ ରୁକୁଣା ରଥରେ ଭଉଣୀ ଦେବୀ ମା’ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ରାମେଶ୍ୱର ମନ୍ଦିରକୁ ଅଷ୍ଟମୀ ତିଥିରେ ଯାତ୍ରା କରିଥିଲେ। କିନ୍ତୁ ସାଙ୍ଗରେ ପତ୍ନୀ ମା’ ପାର୍ବତୀଙ୍କୁ ନେଇ ନଥିଲେ। ସ୍ବାମୀଙ୍କ ଏଭଳି କାମରେ ମା’ ପାର୍ବତୀ ମନେମନେ ରାଗି ଯାଇଥିଲେ। ଆଜି ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ଧୂପ ପରେ ମା’ ପାର୍ବତୀ ଏକ ସୁସଜ୍ଜିତ ପାଲିଙ୍କି ବସି ସେବାୟତଙ୍କ ଗହଣରେ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ। ତାଙ୍କୁ ସାଙ୍ଗରେ ନ ଆଣି ପ୍ରଭୁ କଣ କରୁଛନ୍ତି ବୋଲି ସେ ବୁଝିବାକୁ ଆସିଥିଲେ।
ମା’ ପାର୍ବତୀ ରାମେଶ୍ୱର ମନ୍ଦିରରେ ପହଞ୍ଚିବା ବେଳକୁ ମହାପ୍ରଭୁଙ୍କ ପହୁଡ଼ ପଡିଥିଲା ଏବଂ ସନ୍ଧ୍ୟା ଧୂପ ଚାଲିଥିଲା। ତେଣୁ ମା’ ପାର୍ବତୀଙ୍କୁ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏଥିରେ ମା’ଙ୍କ କ୍ରୋଧ ଆହୁରି ବଢ଼ିଯାଇଥିଲା। ତେବେ ପହୁଡ଼ ଖୋଲିବା ପରେ ଦେବ ଦମ୍ପତିଙ୍କ ଭେଟଘାଟ ହୋଇଥିଲା। କାହିଁକି ଏହି ଯାତ୍ରା ବେଳେ ତାଙ୍କୁ ଆଣିନଥିଲେ ବୋଲି ମା’ ସେବାୟତମାନେ ବଚନିକାରେ କହିଥିଲେ। ବଚନିକା ସରିବା ପରେ ଦେବ ଦମ୍ପତିଙ୍କ ଭେଟ ଆଳତି ଅନୁଷ୍ଠିତ ହୋଇଥିଲା ଏବଂ ମା’ ରାଗରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିବା ବେଳେ ବାଟରେ ଥିବା ରୁକୁଣା ରଥର ଏକ କାଠକୁ ମା’ ରାଗରେ ଭାଙ୍ଗିଦେଇଥିଲେ। ଆସନ୍ତାକାଲି ଶନିବାର ରୁକୁଣା ରଥର ମରାମତି କରାଯିବା ସହ ସିଂହାସନ ଓ ୪ ଅଶ୍ବଙ୍କ ମୋଡ଼ ବଦଳାଯିବ।