ପୁରୁଣା ଭୁବନେଶ୍ୱର: ଚୈତ୍ର ମାସ କୃଷ୍ଣ ପକ୍ଷର ଦଶମୀ ତିଥି ଉପଲକ୍ଷେ ମା’ ପାର୍ବତୀଙ୍କ ହେରା ଦଶମୀ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଛନ୍ତି। କିନ୍ତୁ ସାଙ୍ଗରେ ପତ୍ନୀ ମା’ ପାର୍ବତୀଙ୍କୁ ନେଇ ନଥିଲେ। ଏହି ରାଗରେ ମା’ ଆଜି ରୁକୁଣା ରଥର କାଠ ଭାଙ୍ଗିଛନ୍ତି। ଲିଙ୍ଗରାଜ ମନ୍ଦିରରେ ସନ୍ଧ୍ୟା ଧୂପ ପରେ ମା’ପାର୍ବତୀ ପାଲିଙ୍କିରେ ସେବାୟତଙ୍କ ଗହଣରେ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ତାଙ୍କୁ ସାଙ୍ଗରେ ନ ଆଣି ପ୍ରଭୁ କଣ କରୁଛନ୍ତି ସେ ବୁଝିବାକୁ ଆସିଥିଲେ।
ମା’ ପାର୍ବତୀ ରାମେଶ୍ୱର ମନ୍ଦିରରେ ପହଞ୍ଚିବା ବେଳକୁ ସେଠାରେ ମହାପ୍ରଭୁଙ୍କ ପହୁଡ଼ ପଡ଼ି ସନ୍ଧ୍ୟା ଧୂପ ଚାଲିଥିଲା। ମା’ ଏନେଇ ବାହାରେ ଅପେକ୍ଷା କରିଥିଲେ। ପହୁଡ଼ ଖୋଲିବା ପରେ ସେବାୟତଙ୍କ ମଧ୍ୟରେ ବଚନିକା ହୋଇଥିଲା। ଏହା ପରେ ଦେବାଦେବୀଙ୍କ ଭେଟ ଆଳତୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ମା’ ରାଗରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିବା ବେଳେ ବାଟରେ ଥିବା ରୁକୁଣା ରଥର ଏକ କାଠକୁ ରାଗରେ ଭାଙ୍ଗିଦେଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆସନ୍ତା କାଲି ମଙ୍ଗଳବାର ରୁକୁଣା ରଥର ସିଂହାସନ ଓ ଘୋଡ଼ାର ମୋଡ଼ ବଦଳାଯିବ ବୋଲି ଜଣାପଡ଼ିଛି।