ଭୁବନେଶ୍ବର: ଏକାମ୍ର ବନ ଡିଜାଇନ୍ରେ ପ୍ରସ୍ତୁତ ହେବ ସରକାରୀ ଆୟୁର୍ବେଦିକ ଓ ଡ.ଅଭିନ ଚନ୍ଦ୍ର ହୋମିଓପାଥିକର ହର୍ବାଲ ଗାର୍ଡେନ୍। ସିଟି ଫରେଷ୍ଟ ଡିଭିଜନ୍ ଏହି ଗାର୍ଡେନ୍ ପ୍ରସ୍ତୁତ କରିବ। ଏଥିପାଇଁ ଆବଶ୍ୟକ ଟଙ୍କା ଦିଆସରିଛି। ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ସହିତ ଡ. ଅଭିନ ଚନ୍ଦ୍ରରେ ଥିବା ଔଷଧୀୟ ବଗିଚା ବେଶ୍ କିଛି ବର୍ଷ ହେବ ଉଜୁଡ଼ି ଯାଇଛି। ରକ୍ଷଣାବେକ୍ଷଣା ଅଭାବରୁ ଔଷଧୀୟ ବଗିଚା ଟାଙ୍ଗରା ଭୂମି ପାଲଟି ଯାଇଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଏକ ପ୍ରାକୃତିକ ପରିବେଶରୁ ବଞ୍ଚିତ ହେଉଛନ୍ତି। ତେବେ ଏହି ଔଷଧୀୟ ବଗିଚାକୁ ପୁଣିଥରେ ଠିଆ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ବା ନାମ୍ ଅଧୀନରେ ଗୋଟିଏ ଲେଖାଏଁ କଲେଜ୍କୁ ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଭୁବନେଶ୍ବରର ଦୁଇ ସ୍ବାସ୍ଥ୍ୟାନୁଷ୍ଠାନ ସମେତ ରାଜ୍ୟର ମୋଟ ୮ଟି ସ୍ବାସ୍ଥ୍ୟାନୁଷ୍ଠାନରେ ଔଷଧୀୟ ବଗିଚା ପାଇଁ ସମୁଦାୟ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।
ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏହି ଔଷଧୀୟ ବଗିଚାରେ ସମୁଦାୟ ୩୦୦ ପ୍ରକାରର ଗଛ ଲାଗିବ। କର୍ପୂର ତୁଳସୀ, ରାମ ତୁଳସୀ, କନକ ଚମ୍ପା, ଅଶ୍ବଗନ୍ଧା, ବ୍ରାହ୍ମୀ, ଥାଲକୁଡ଼ି, ମେହେନ୍ଦୀ, ବାସୁଙ୍ଗ, ଜୁଆଣି ଭଳି ଔଷଧୀୟ ବୃକ୍ଷ ଲାଗିବ। ଔଷଧୀୟ ବଗିଚାରେ ପାଣିର ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ବୋରୱେଲ ନିର୍ମାଣ କରାଯିବ। ଏହାସହ ବଗିଚାର ରକ୍ଷଣାବେକ୍ଷଣା ପାଇଁ ମଧ୍ୟ ମାଳି ନିଯୁକ୍ତ ହେବେ। ଠିକ ଏକାମ୍ର ବନ ଡିଜାଇନ୍ରେ ଏହି ଔଷଧୀୟ ବଗିଚାକୁ ପ୍ରସ୍ତୁତ କରାଯିବ ବୋଲି ହସ୍ପିଟାଲର ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
ଡ.ଅଭିନ ଚନ୍ଦ୍ର ହୋମିଓପାଥିକ କଲେଜ୍ରେ ୧.୪୧ ଏକର ଜାଗାରେ ଔଷଧୀୟ ବଗିଚା ସୃଷ୍ଟି କରିବା ଲାଗି ଯୋଜନା ରହିଛି। ଏହାର ମଧ୍ୟ ଡିଜାଇନ୍ ପ୍ରସ୍ତୁତ ସରିଛି। ସିଟି ଫରେଷ୍ଟ ଡିଭିଜନ୍ ଖୁବଶୀଘ୍ର ବଗିଚା କାମ ଆରମ୍ଭ କରିବ। ଅନ୍ୟ ଆୟୁଷ କଲେଜ୍ ଗୁଡ଼ିକରେ ସ୍ଥାନୀୟ ବନ ବିଭାଗ ଔଷଧୀୟ ବଗିଚା ସୃଷ୍ଟି କରିବା ଲାଗି ନିଷ୍ପତ୍ତି ନିଆଯାଇଛି।