ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀ ଓ ଭିନ୍ନ ଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ବିଭିନ୍ନ ନୂଆ ରୋଗ ସୃଷ୍ଟି ହେଉଛି। ଯେପରିକି ଚର୍ମରୋଗ, ମଧୁମେହ, ଅମ୍ଳ, ଶ୍ୱାସରୋଗ, ମେଦବହୁଳତା। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ହେଲେ ପ୍ରାକୃତିକ ବନୌଷଧିର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ବର୍ତ୍ତମାନ ଏହାର ଚାହିଦା ବଢ଼ିବାରେ ଲାଗିଛି। ବିଶେଷକରି କରୋନା ମହାମାରୀ ପରଠାରୁ ଆୟୁର୍ବେଦିକ ଔଷଧର ଚାହିଦା କ୍ରମାଗତ ବୃଦ୍ଧି ହେବାରେ ଲାଗିଛି। ସେଥିପାଇଁ ବିଭିନ୍ନ ମେଳା, ମହୋତ୍ସବ ତଥା ଦୋକାନରେ ବନଜାତ ସାମଗ୍ରୀର ବିକ୍ରି ବଢ଼ୁଛି। ବର୍ତ୍ତମାନ ରାଜଧାନୀରେ ଚାହିଦାରେ ଥିବା ସେହିଭଳି କିଛି ବନୌଷଧିକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା...
ରକ୍ତଚାପ ଓ ମଧୁମେହ ରୋଗୀଙ୍କ ପସନ୍ଦ ଭୂଇଁନିମ୍ବ ଓ ଗୁଡ଼ମାରୀ
ପାଟିକୁ ପିତା ଲାଗୁଥିରେ ମଧ୍ୟ ଭୂଇଁନିମ୍ବ ଦେହକୁ ହିତ। ଏହି ଗଛର ପତ୍ର, ଡାଳ, କାଣ୍ଡ ସବୁ ଶରୀର ପାଇଁ ଉପକାରୀ ହୋଇଥାଏ। ଅସନ୍ତୁଳିତ ଆହାର, ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା ଯୋଗୁ ବର୍ତ୍ତମାନ ସହରରେ ମେଦବହୁଳତା ଓ ମଧୁମେହ ବଢ଼ିବାରେ ଲାଗିଛି। ଏଥିପାଇଁ ଲୋକମାନେ ଔଷଧ ଖାଇବା ସହିତ ପ୍ରାକୃତିକ ଉପଚାର ମଧ୍ୟ କରୁଛନ୍ତି। ଏଥିରେ ଭୂଇଁନିମ୍ବ ସହରବାସୀଙ୍କ ପସନ୍ଦ ପାଲଟିଛି। ଆଦିବାସୀ ମହୋତ୍ସବରେ ଷ୍ଟଲ୍ ପକେଇଥିବା ମୟୁରଭଞ୍ଜର ମଞ୍ଜୁସ୍ମିତା ବେହେରାଙ୍କ କହିବା ଅନୁଯାୟୀ ରକ୍ତଚାପ, ପକ୍ଷାଘାତ ଓ ମଧୁମେହ ରୋଗୀ ଏହାକୁ ବହୁଳ ଭାବରେ କ୍ରୟ କରୁଛନ୍ତି। ସେ ମଧ୍ୟ ରାଜଧାନୀର ବ୍ୟବସାୟୀମାନଙ୍କୁ ଏହି ନିମ୍ବ ପଠାଉଛନ୍ତି। ବିଶେଷ କରି ଭୁଇଁନିମ୍ବ ଗୁଣ୍ଡ ବେଶୀ ବିକ୍ରି ହେଉଛି। ୧୦୦ଗ୍ରାମକୁ ୫୦ଟଙ୍କାରେ ବିକ୍ରି ହେଉଛି। ସେହିପରି ଗୁଡ଼ମାରୀ ପତ୍ର ଶ୍ୱାସ, ଅର୍ଶ, ହୃଦୟ ସମ୍ବନ୍ଧୀୟ ରୋଗ, କଫ, କୃମି, କୁଷ୍ଠ, ଚକ୍ଷୁରୋଗ, ଦନ୍ତରୋଗ, ମଧୁମେହ ଆଦି ବହୁ ରୋଗ ପାଇଁ ଭଳ ହୋଇଥିବାରୁ ଏହାକୁ ମଧ୍ୟ ବହୁ ଲୋକ କିଣୁଛନ୍ତି।
ସ୍ୱାଦ ସହିତ ସ୍ୱାସ୍ଥ୍ୟ ହିତରେ ଜାମୁକୋଳି
ଜାମୁକୋଳି ସମସ୍ତଙ୍କର ପସନ୍ଦ ହୋଇଥାଏ। ସ୍ୱାଦ ସହିତ ଏହା ଶରୀରକୁ ପ୍ରଚୁର ଭିଟାମିନ ଦିଏ। ସେହିପରି ଜାମୁକୋଳି ମଞ୍ଜି ଗୁଣ୍ଡ ମଧୁମେହ ଓ ରକ୍ତଚାପ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ଏହି ପାଉଡର ଖାଇବା ଦ୍ୱାରା ପାଚନ ଏବଂ ମେଟାବୋଲିଜିମ୍ ବୃଦ୍ଧି ହୋଇଥାଏ।। ଜାମୁକୋଳି ପାଉଡର ଶରୀରରେ ଇନସୁଲିନ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରୁଛି ବୋଲି ବହୁ ଲୋକ ଏହାକୁ କିଣନ୍ତି ବୋଲି ବ୍ୟବସାୟୀମାନେ କହିଛନ୍ତି।
କେଶ ପାଇଁ ଶିକାକାଇ ଓ ରିଠା
ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କେଶ ଝଡ଼ିବା ବନ୍ଦ କରିବା ପାଇଁ ରସାୟନିକ ସାମ୍ପୁ ବଦଳରେ ବନୌଷଧି ସହରବାସୀଙ୍କ ପସନ୍ଦ ପାଲଟିଛି। ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଆୟୁର୍ବେଦିକ ଔଷଧରେ ଶିକାକାଇ, ରିଠା ଓ ଅଳାଁର ବ୍ୟବହାର ଦେଖି ବର୍ତ୍ତମାନ ଘରେ ଏହି ସାମଗ୍ରୀ ଆଣି ପେଷ୍ଟ ପ୍ରସ୍ତୁତ କରୁଛନ୍ତି ସହରବାସୀ। ତେବେ ଏନେଇ ଆୟୁର୍ବେଦ ଚିକିତ୍ସକ ବାସୁଦେବ ପ୍ରଧାନଙ୍କ ମତରେ ବନୌଷଧି ବ୍ୟବହାର କରି ଆମ ପୂର୍ବଜମାନେ ସୁସ୍ଥ ଓ ନିରୋଗ ରହିଥିଲେ। ଯଦିଓ ବର୍ତ୍ତମାନ ଏହାର ଚାହିଦା ବଢ଼ିଛି, ହେଲେ କିଛି ବ୍ୟବହାର କରିବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ।