ରାଜଧାନୀରେ ୯୯ ସକ୍ରିୟ କରୋନା ରୋଗୀ, ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ କରୋନା ଆତଙ୍କ

ଦିନକରେ ୧୧ ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨ଶହ ନିକଟତର

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବା‌ରେ ଲାଗିଛି। ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜଧାନୀରେ କରୋନା ପଜିଟିଭ୍ ସଂଖ୍ୟା ୧୯୬ରେ ପହଞ୍ଚିଛି। ଯାହାକି ୬ଟି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୧ଜଣ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସମସ୍ତେ ଘରେ ସଙ୍ଗରୋଧରେ ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମଞ୍ଚେଶ୍ବର ଅଞ୍ଚଳରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୬ଜଣ ଗତ ୧୦ତାରିଖରେ ଉତ୍ତର ପ୍ରଦେଶରୁ ଆସିଥିବା ବେଳେ ଜଣେ ପଶ୍ଚିମବଙ୍ଗରୁ ଗତ ୧୧ତାରିଖରେ ଆସିଛନ୍ତି। ଏହାବାଦ୍ ବାଣୀବିହାରର ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିବା ପଶ୍ଚିମବଙ୍ଗର ୩୩ବର୍ଷର ଯୁବକ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ରେଳବାଇ କର୍ମଚାରୀଙ୍କ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁନର୍ବାର ୪ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି। ଫଳରେ ପୂର୍ବତଟ ରେଳବାଇର ୨୭ଜଣ କର୍ମଚାରୀ ଏବେ ସୁଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ରାଜଧାନୀରେ ସକ୍ରିୟ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୧୯୬ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୩ଜଣ ସୁସ୍ଥ ହୋଇଛନ୍ତି। ୯୯ଜଣ ସକ୍ରିୟ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ଚନ୍ଦ୍ରଶେଖରପୁର: ‌ଆଜି ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ୭ଜଣ କରୋନା ପଜିଟିଭି ଚିହ୍ନଟ ହେବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ତେଣୁ ଏଠାରେ ଥିବା ବିଭିନ୍ନ କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ବହୁ ଅସ୍ଥାୟୀ ଶ୍ରମିକ ଓ ଦିନ ମଜୁରିଆମାନେ ଆଉ ଏହି ଅଞ୍ଚଳକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ କମ୍ ଶ୍ରମିକମାନଙ୍କୁ ନେଇ କାମ ଚଳାଇଥିବା କିଛି ସଂସ୍ଥା ଏବେ ଶ୍ରମିକ ଅଭାବର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାନୁସାରେ ଏହି ଆକ୍ରାନ୍ତମାନେ କେହି ସ୍ଥାନୀୟ ଲୋକ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଉତ୍ତର ପ୍ରଦେଶ ଓ କୋଲକାତାରୁ ଆସି ଏମାନେ ଏକ ନିର୍ମାଣ କାମରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନେ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ପରେ ସନ୍ଦେହ କରି ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଥିଲା। ସେଠାରେ ସେମାନଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା ଓ ହୋ‌ମ୍‌ କ୍ବାରାଣ୍ଟିନ୍‌ରେ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଆଜି ସେମାନଙ୍କ ରିପୋର୍ଟ ଆସିବା ପରେ ତୁରନ୍ତ ସେମାନଙ୍କୁ କୋଭିଡ଼୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଏହି ଘଟଣା ପ୍ରଚାର ହେବା ପରେ କନ୍‌ଷ୍ଟ୍ରକସନ୍ କାର୍ଯ୍ୟରେ ନିୟୋଜିତ ଅନ୍ୟ ଅଧିକାରୀ ଓ ଶ୍ରମିକମାନଙ୍କର ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏଥିସହିତ ଉକ୍ତ କନ୍‌ଷ୍ଟ୍ରକସନ୍‌ ସାଇଟ୍‌ର ଆଖପାଖରେ ଥିବା ୭ଟି ପରିବାର ଓ ୩ଟି ଦୋକାନକୁ ସଂଗରୋଧରେ ରହିବା ପାଇଁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର