ଆଜି ଆସିବ ଦେଶର ଶ୍ରେଷ୍ଠ ‌ଶହେ ଶିକ୍ଷାନୁଷ୍ଠାନ ତାଲିକା: ଉତ୍କଳ ଉପରେ ନଜର

ଭୁବନେଶ୍ବର: ଗୁରୁବାର ପ୍ରକାଶ ପାଇବ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌) ପକ୍ଷରୁ ମୋଟ ୯ଟି ବିଭାଗରେ ପ୍ରକାଶ ପାଇବାକୁ ଥିବା ଏହି ତାଲିକାକୁ ମଧ୍ୟାହ୍ନ ୧୨ଟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିବେ। ସାମଗ୍ରିକ ସଫଳତାକୁ ନେଇ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକା ଆସିବାକୁ ଥିବା ବେଳେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ସାଧାରଣ କଲେଜ, ମ୍ୟାନେଜ୍‌ମେଣ୍ଟ, ଫାର୍ମାସି, ଲ’, ଆର୍କି‌ଟେକଚର୍‌, ମେଡିକାଲ କଲେଜକୁ ନେଇ ଅଲଗା ଅଲଗା ତାଲିକା ପ୍ରକାଶ କରାଯିବ।

୨୦୧୬ରୁ ପ୍ରକାଶ ପାଉଥିବା ଏହି ତାଲିକାରେ ଓଡ଼ିଶାର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଏପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଆଇଆଇଟି ଭୁବନେଶ୍ବର, ଏନ୍‌ଆଇଟି ରାଉରକେଲା ସମେତ ଦୁଇ ଘରୋଇ ବିଶ୍ବବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌), ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଶ୍ରେଷ୍ଠ ଶହେରେ ପ୍ରତିବର୍ଷ ସ୍ଥାନ ବଜାୟ ରଖୁଛନ୍ତି। ୨୦୧୮ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଥିବା ବେଳେ ୨୦୨୦ରେ ଉତ୍କଳ ବିଶ୍ବବିଦ୍ୟାଳୟ ଏହି ବର୍ଗରେ ଶ୍ରେଷ୍ଠ ଶହେ ମଧ୍ୟକୁ ଆସିପାରିଥିଲା। ୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ପାଇବା ସହ ଜାତୀୟସ୍ତରରେ କାଟାଗୋରି-୧ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ନେଇ ଏଥର ବହୁ କିଛି ଆଶା କରାଯାଉଛି। ୨୦୨୦ରେ ରାଜ୍ୟର ଏହି ପ୍ରମୁଖ ତଥା ପୁରାତନ ଶିକ୍ଷାନୁଷ୍ଠାନ ବିଶ୍ବବିଦ୍ୟାଳୟ ବର୍ଗରେ ୯୬ ସ୍ଥାନରେ ରହିଥିଲା। ଏଥର ଆହୁରି ଉପରକୁ ଉଠିଥିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି। ବିଶେଷକରି ବିଶ୍ବବିଦ୍ୟାଳୟର ଦୁଇ ପୁରାତନ ଛାତ୍ର ଏବେ କେନ୍ଦ୍ର ଓ ରାଜ୍ୟ ସରକାରରେ ଶିକ୍ଷା ମନ୍ତ୍ରୀ ରହିଥିବାରୁ ଏଥର ଉନ୍ନତ ପ୍ରଦର୍ଶନ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୨୦ରେ ପ୍ରକାଶ ପାଇଥିବା ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ପୂର୍ବଭଳି ସ୍ଥାନ ବଜାୟ ରଖିଥିଲେ। ଏନ୍‌ଆଇଟି ରାଉରକେଲା ୩୨ତମ ସ୍ଥାନରେ ଥିବା ବେଳେ ସୋଆ ଡିମ୍‌ଡ ବିଶ୍ବବିଦ୍ୟାଳୟ ୩୮ତମ, କିଟ୍‌ ଡିମ୍‌ଡ ବିଶ୍ବବିଦ୍ୟାଳୟ ୪୪ତମ ସ୍ଥାନକୁ ଉନ୍ନୀତ ହୋଇଥିଲେ। ତେବେ ଆଇଆଇଟି ଭୁବନେଶ୍ବର ୫୬ତମ ସ୍ଥାନକୁ ଖସି ଯାଇଥିଲା। ଏହି ବର୍ଗରେ ଉତ୍କଳ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ତମ ଓ ଭିସୁଟ୍‌ ବୁର୍ଲା ୧୫୧ରୁ ୨୦୦ତମ ସ୍ଥାନ ମଧ୍ୟରେ ସ୍ଥାନ ପାଇଥିଲା। ‌ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ପ୍ରସ୍ତୁତ ହୋଇଥିବା ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ତାଲିକାରେ ସୋଆ ୨୦ତମ, କିଟ୍‌ ୨୪ତମ ଏବଂ ଓଡ଼ିଶାର ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ୯୬ତମ ସ୍ଥାନରେ ରହିଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଭିସୁଟ୍‌, ବୁର୍ଲା ଏହି ବର୍ଗରେ ୧୦୧ରୁ ୧୫୦ତମ ସ୍ଥାନରେ ରହିଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ରୢାଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଇଞ୍ଜିନିୟରି˚ ବର୍ଗରେ ଓଡ଼ିଶାରୁ ୫ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିବା ବେଳେ ମ୍ୟାନେଜମେଣ୍ଟ ବର୍ଗରେ ୪ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ତାଲିକାରେ ଥିଲେ। ମେଡିକାଲ ଓ ଡେଣ୍ଟାଲ ବର୍ଗରେ ସୋଆ ଓ କିଟ୍‌ ସ୍ଥାନ ପାଇଥିବା ବେଳେ ଲ’ ବର୍ଗରେ କିଟ୍‌ ବିଶ୍ବବିଦ୍ୟାଳୟ ୧୨ତମ ସ୍ଥାନରେ ରହିଥିଲା। ଫାର୍ମାସି, କଲେଜ ଓ ଆର୍କିଟେକ୍‌ ବର୍ଗରେ ଓଡ଼ିଶାରୁ କୌଣସି ବି ଗୋଟିଏ ବି ଶିକ୍ଷାନୁଷ୍ଠାନ ତାଲିକାରେ ନ ଥିବା ଦେଖିବାକୁ ମିଳି ନ ଥିଲା।

ସମ୍ବନ୍ଧିତ ଖବର