ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ପାରିବାସୁଦେଇପୁର ଗ୍ରାମସ୍ଥିତ ପ୍ରଭୁ ନୃସିଂହନାଥ ଦେବଙ୍କ ମନ୍ଦିର ହେଉଛି ଏହି ଅଞ୍ଚଳର ବହୁ ପ୍ରାଚୀନ କୀର୍ତ୍ତିରାଜି ମଧ୍ୟରୁ ଅନ୍ୟତମ। ଖ୍ରୀଷ୍ଟାବ୍ଦ ଦଶମ ଓ ଏକାଦଶ ଶତାବ୍ଦୀର ଏହି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର କିନ୍ତୁ ଏବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ମନ୍ଦିରର ଦଧିନଉତି ଫାଟି ଯାଇଥିବାରୁ ବର୍ଷା ହେଲେ ଭିତରେ ପାଣି ଗଳି ଗମ୍ଭୀରା ଭିତରେ ଲହଡ଼ି ଭାଙ୍ଗୁଛି। ମୁଖଶାଳା ଅବସ୍ଥା ତା’ଠାରୁ ବଳି ପଡ଼ିଛି। ମନ୍ଦିରର ଭିତର ପାର୍ଶ୍ୱ ଭଳି ଉପର ଭାଗ ବି ଅନାବନା ଗଛଲତାରେ ଲୁଚିଗଲାଣି। କେବଳ ସେତିକି ନୁହେଁ, ଦେବୋତ୍ତର ବିଭାଗର ଚରମ ଅବହେଳା ଯୋଗୁଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ଦୁଇବର୍ଷ ତଳେ ମଂଜୁର ହୋଇଥିବା ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନପାରି ଫେରିଯିବାର ଆଶଙ୍କା ଦେଖାଦେଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଉକ୍ତ ମନ୍ଦିର ପରିସରରେ ସୁଲଭ ଶୌଚାଳୟ ସହିତ ଗେଷ୍ଟହାଉସ୍‌ ନିର୍ମାଣ ଲାଗି ୨୦୧୬-୧୭ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ଟଙ୍କା ମଂଜୁର ହୋଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ଟେଣ୍ଡର ମଧ୍ୟ ଡକା ସରିଛି। ହେଲେ ଏହା ଭିତରେ ଦୀର୍ଘ ଦେଢ଼ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ମାର୍ଫତଦାରଙ୍କ ଜମି ଅଡ଼ୁଆ ତୁଟିପାରିନି। ଫଳରେ ଘର ନିର୍ମାଣ କାମ ଆଗେଇ ପାରୁନି। ଏନେଇ ଆବଶ୍ୟକ ୨୪ ଡିସିମିଲ ଜମିର ମାଲିକାନାସତ୍ତ୍ୱ ମାର୍ଫତଦାରମାନେ ଗତ ମାର୍ଚ୍ଚମାସରେ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇପାରିନି। ଅନ୍ୟପକ୍ଷରେ ଦେବୋତ୍ତର ବିଭାଗଠୁ ଏନେଇ ସ୍ୱୀକୃତି ପତ୍ର ଏଯାଏ ମିଳିପାରିନଥିବାରୁ ଠିକାଦାର କାମ ଆରମ୍ଭ କରିପାରୁନି ବୋଲି କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ମହାଲ। ତେବେ ଅଧିକ ତଥ୍ୟ ପାଇବାକୁ ଦେବୋତ୍ତର ବିଭାଗୀୟ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନି। ସ୍ଥାନୀୟ ବାସିନ୍ଦା ବନମାଳି ଜେନାଙ୍କ କହିବାନୁସାରେ, ଦୁଇ ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ଏଭଳି ସମସ୍ୟା ଉପୁଜିଛି। ଫଳରେ ଏହି ଐତିହ୍ୟ ନିଜର ସତ୍ତା ହରାଇବା ସ୍ଥିତିରେ ଆସି ପହଞ୍ଚିଛିି। ଏଦିଗରେ ସରକାର ଓ ବିଭାଗୀୟ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।