ନୂଆଦିଲ୍ଲୀ: ଆଜି ସ୍ଥାନୀୟ କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ୪୨ ଜଣ ଡ୍ରାଇଭରଙ୍କୁ ମର୍ଯ୍ୟାଦାଜନକ ‘ହିରୋଜ୍‌ ଅନ୍‌ ଦ ରୋଡ୍‌’ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସଚିବ ଅଳକା ଉପାଧ୍ୟାୟ ଏହି ପୁରସ୍କାର ପ୍ରଦାନ କରିଥିଲେ।

Advertisment

ମନ୍ତ୍ରାଳୟ ଓ ରାଜ୍ୟ ସଡ଼କ ପରିବହନ ଅଣ୍ଡରଟେକିଂ ଆସୋସିଏନର ମିଳିତ ସହଯୋଗରେ ପ୍ରଦାନ କରାଯାଇଥିବା ପୁରସ୍କାରରେ ଓଡ଼ିଶାରୁ ଶେଖ୍ ଦୟାନ୍‌ଙ୍କୁ ଏହି ପୁରସ୍କାର ମିଳିଛି। ଶେଖ୍ ଦୟାନ୍‌ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଭୁବନେଶ୍ବରରେ ୧୯୮୮ରୁ ଡ୍ରାଇଭର ଭାବେ କାର୍ଯ୍ୟକରୁଛନ୍ତି। ଯଦୁପୁର ବାସିନ୍ଦା ଶେଖ୍ ଦୟାନ୍‌ ତାଙ୍କର ୩୪ ବର୍ଷର ଡ୍ରାଇଭିଂ ପେସାରେ ଦୁର୍ଘଟଣାମୁକ୍ତ ସେବା ପ୍ରଦାନ କରିଛନ୍ତି। ଏଥି ସହିତ ଡ୍ରାଇଭିଂ ସମୟରେ ତୈଳ ସଂଚୟର ନଜିର ମଧ୍ୟ ସୃଷ୍ଟି କରିଛନ୍ତି। ଗୋଟିଏ ଲିଟରରେ ୫ କିମି ଯାନ ଚଳାଇବା ତାଙ୍କର ବିଶେଷତ୍ବ ରହିଛି। ଏଥି ସହିତ ସଡ଼କ ସୁରକ୍ଷା ସଚେତନତା ପାଇଁ ତାଙ୍କର ଅଗ୍ରଣୀ ଭୂମିକା ରହିଛି। ଏହି ପୁରସ୍କାର ଆଗକୁ ତାଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣା ଯୋଗାଇବ ବୋଲି ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀ ଦୟାନ୍ ତାଙ୍କ ପ୍ରତିକ୍ରିୟାରେ କହିଥି‌ଲେ।