ଅଧଘଣ୍ଟାରେ ବନ୍ୟା

ଘର, ମନ୍ଦିର ସବୁଠି ପାଣି ପଶିଲ

ଭୁବନେଶ୍ୱର: ପଦାରେ ପଡ଼ିଗଲା ରାଜଧାନୀର ପରିମଳ ବ୍ୟବସ୍ଥା। ମୌସୁମୀର ଗୋଟିଏ ବଡ଼ ବର୍ଷା ରାଜଧାନୀରେ ବନ୍ୟା ସୃଷ୍ଟି କରିଦେଲା। ମାତ୍ର ଅଧଘଣ୍ଟା ପାଇଁ ୧୬.୨ମିମି ବର୍ଷା ହୋଇଥିବା ବେଳେ ଏଥିରେ ରାଜଧାନୀର ଅଧିକାଂଶ ଜଳମଗ୍ନ ହୋଇଯାଇଛି। ଜାତୀୟ ରାଜପଥରୁ ଆରମ୍ଭ କରି ନୂଆପଲ୍ଲୀ, ଚିନ୍ତାମଣିଶ୍ୱରରୁ ଆରମ୍ଭ କରି ନବୀନ ନିବାସ ପର୍ଯ୍ୟନ୍ତ; ସବୁଠି ଆଜି ବନ୍ୟାର ଲାଇଭ୍‌ ଦୃଶ୍ୟ ଦେଖିଛନ୍ତି ରାଜଧାନୀବାସୀ। ଏପରିକି ଏହି ବନ୍ୟା ପାଇଁ ରାଜଧାନୀର ପରିମଳ ବ୍ୟବସ୍ଥା ଯେ ସଂପୂର୍ଣ୍ଣ ଦାୟୀ ତାହା ଜଳଜଳ ଦିଶୁଥିଲା। ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଭାସୁଥିବା ବେଳେ ପ୍ଲାଷ୍ଟିକ ବୋତଲ, ପଲିଥିନ୍‌, ବ୍ୟାଗ୍‌ ଆଦି ଡ୍ରେନ୍‌ ମୁହଁରେ ଗଦା ହୋଇଥିଲା। କିନ୍ତୁ ବର୍ଷା ଜଳ ତୁରନ୍ତ ନିଷ୍କାସନ କରିବାରେ ପ୍ରଶାସନ ଫେଲ୍‌ ମାରିଥିଲା।
ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ହୋଇଥିବା ବର୍ଷାରେ ରାଜଧାନୀର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଯାଇଥିଲା। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଜାତୀୟ ରାଜପଥ। ଏନ୍‌ଏଚ୍‌-୧୬ର ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିବା ବେଳେ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟାଏ ଉଚ୍ଚରେ ପାଣି ଜମିଥିଲା। ଏପରିକି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ବର୍ଷା ସମୟରେ ଯିଏ ଏହି ରାସ୍ତା ଦେଇ ଯାଉଥିଲେ ସେମାନେ ଅଧା ରାସ୍ତାରେ ଫସି ଯାଇଥିଲେ। କେତେକ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଗାଡ଼ିଗୁଡ଼ିକୁ ଠେଲି ଠେଲି ମୁକୁଳାଇବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଗାଡ଼ି ବାହାରି ନଥିଲା। ଏପରିକି କେତୋଟି କାର୍‌ ଓ ଅଟୋ ଭାସି ଯାଇଥିଲା। କେତେକ ବସ୍‌ରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ବରମୁଣ୍ଡା, ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼, ପାହାଳ ଛକରେ ଆଜି ଆଣ୍ଠୁଏ ଉଚ୍ଚରେ ପାଣି ଜମା ହୋଇଥିଲା।

ଇସ୍କନ୍‌ ସମ୍ମୁଖରେ କାର୍‌, ଅଟୋ ଭାସିଲା

ପାଣିରେ ବୁଡ଼ିଲେ ଠାକୁର
ପୁରୁଣା ଭୁବନେଶ୍ୱର: ୪ ଦିନ ହେଲା ପାଣିରେ ବୁଡ଼ି ରହିଛନ୍ତି ଶ୍ରୀମେଘେଶ୍ୱର। ବର୍ଷା ହେଲେ ଏହି ମନ୍ଦିର ଗର୍ଭ ଗୃହରେ ପାଣି ଜମିବା ସାଧାରଣ କଥା ହୋଇଛି। ବର୍ଷା ହେଲେ ମନ୍ଦିରରେ ଥିିବା ଶିବଲିଙ୍ଗ ଜଳରେ ସଂପୂର୍ଣ୍ଣ ବୁଡ଼ି ଯିବା କଥା ଏଏସ୍‌ଆଇ ଜାଣିଥିଲେ ମଧ୍ୟ ଏହି ସମସ୍ୟାକୁ ସୁଧାରିବାକୁ କୁହାଯାଉଥିବା ବେଳେ ଯଥା ପୂର୍ବଂ ତଥା ପରଂ। ଏହି ମନ୍ଦିର କଡ଼ରେ ଆର୍‌ ଏଣ୍ଡ୍‌ ବି ବିଭାଗ ପକ୍ଷରୁ ରୋଡ୍‌ ଉଚ୍ଚା ସହ ଏଠାରେ ନିର୍ମାଣ କରାଯାଇଥିବା ଡ୍ରେନ୍‌ ଉଚ୍ଚା ଯୋଗୁଁ ଏପରି ସମସ୍ୟା ଦେଖା ଦେଇଛି ବୋଲି କୁହନ୍ତି ମନ୍ଦିର ପୂଜାରୀ ଗଙ୍ଗାଧର ରଥ। ସେହିପରି କେଦାର ଗୌରୀ ମନ୍ଦିର ଅବସ୍ଥା ମଧ୍ୟ ସମାନ। ଏଠାରେ କେଦାରେଶ୍ୱର ମହାଦେବ ୩ ଦିନ ହେଲା ପାଣିରେ ବୁଡ଼ି ରହିଛନ୍ତି। ଏଠାରେ ଥିବା ୪ଟି କୁଣ୍ଡର ମଇଳା ପାଣି ନିଷ୍କାସିତ ହୋଇ ପାରୁ ନଥିବାରୁ ଏହି ସମସ୍ୟା ଲାଗି ରହିଛି। ପାଣି ନିଷ୍କାସନ ପାଇଁ ଏକ ଛୋଟ ପାଣି ପମ୍ପ ବ୍ୟବହାର ହୋଇଥିବା ବେଳେ ଏହା ପାଣି ଉଠାଇବାକୁ ସକ୍ଷମ ହୋଇ ପାରୁ ନାହିଁ ବୋଲି ମନ୍ଦିର ପୂଜକ ନରେନ୍ଦ୍ର କୁମାର ମହାପାତ୍ର କହିଛନ୍ତି।

ନୂଆପଲ୍ଲୀରେ ଘରେ ପଶିଲା ପାଣି
ନୂଆପଲ୍ଲୀର ଓ୍ଵାର୍ଡ ୩୭ର ବିଭିନ୍ନ ଅଞ୍ଚଳରେ ଆଜି ପାଣି ସୁଅ ଛୁଟିଥିଲା। ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲା। ମେଟ୍ରୋ ସିଟି ଆପାର୍ଟମେଣ୍ଟ ପଛପଟ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ବାସିନ୍ଦାମାନେ କଲବଲ ହୋଇଥିଲେ। ବିଏମ୍‌ସି କି ଅଗ୍ନିଶମ ବିଭାଗ ଜଳ ନିଷ୍କାସନ କରି ନପାରିବାରୁ ଲୋକମାନେ ବେଲା, ଥାଳି ଓ ବାଲ୍‌ଟିରେ ପାଣି କାଢ଼ିଥିଲେ। ଏପରିକି କାହାର ରୋଷେଇ ଘରେ ତ କାହାର ଶୋଇବା ଘରେ ପାଣି ପଶି ଯାଇଥିଲା। ଲୋକ କିଛି ଉପାୟ ନପାଇ ଖଟ, ଟେବୁଲ୍‌ ଉପରକୁ ଅତ୍ୟାବଶ୍ୟକ ସାମଗ୍ରୀ ଟେକିବାରେ ଲାଗି ପଡ଼ିଥିଲେ। କେବଳ ଏତିକି ନୁହେଁ, ଏହି ଅଞ୍ଚଳରେ ଥିବା ଆଖଣ୍ଡଳମଣି ମନ୍ଦିରରେ ପାଣି ପଶିଯିବାରୁ ଆଜି ସନ୍ଧ୍ୟାରେ ମନ୍ଦିରକୁ ଶ୍ରଦ୍ଧାଳୁ ଯାଇପାରିନାହାନ୍ତି।

ପୁଣି ଏନ୍‌ଏଚ୍‌ଏଆଇକୁ ଚିଠି ଲେଖିଲା ବିଏମ୍‌ସି
ଇସ୍କନ୍‌ ମନ୍ଦିର ସମ୍ମୁଖରେ ଅଣ୍ଟେ ଉଚ୍ଚରେ ପାଣି ଜମିବାରୁ ବିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୋଷତ୍ରୁଟି ଯୋଗୁଁ ବିଏମ୍‌ସି କର୍ତ୍ତୃପକ୍ଷ ଅପଦସ୍ତ ହେଉଥିବାରୁ ଆଜି ପୁଣି ଏନ୍‌ଏଚ୍‌ଏଆଇକୁ ଚିଠି ଲେଖାଯାଇଛି। ଏନ୍‌ଏଚ୍‌ଏଆଇର ମୁଖ୍ୟ ମହାପ୍ରବନ୍ଧକଙ୍କୁ ବିଏମ୍‌ସିର ଡ୍ରେନେଜ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ଚିଠି ଲେଖିଛନ୍ତି ଯେ, ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମୁଛି। ୪ବର୍ଷ ହେଲା ଏନେଇ ବିଏମ୍‌ସି ପକ୍ଷରୁ ବାରମ୍ବାର କୁହାଯାଉଥିଲେ ହେଁ କିଛି ପଦକ୍ଷେପ ନିଆଯାଉନି। ବିଏମ୍‌ସିର ଡ୍ରେନେଜ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆଙ୍କ କହିଛନ୍ତି ଯେ ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ୍‌କୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସଫା କରୁନାହାନ୍ତି। ଇସ୍କନ୍‌ ପାର୍ଶ୍ୱରୁ ବେହେରା ସାହି ପାର୍ଶ୍ୱକୁ ପାଣି ଯିବା ପାଇଁ ରାସ୍ତା କଡ଼ରେ ପ୍ରାୟ ୨ମିଟର ଗୋଲେଇର ଏକ ଗାତ ଖୋଳା ଯାଇଛି। କିନ୍ତୁ ଏହି ଗାତରୁ ଆବର୍ଜନା କଢ଼ା ଯାଉନଥିବାରୁ ପାଣି ନିଷ୍କାସନ ହୋଇପାରୁନି। ଏହାର ସ୍ଥାୟୀ ସମାଧାନ କରିବାକୁ ଆମେ ଚିଠି ଲେଖିଛୁ ବୋଲି ଶ୍ରୀ ଦୁରିଆ କହିଛନ୍ତି।

ନବୀନ ନିବାସ ସମ୍ମୁଖରେ ଢେଉ
ପୂର୍ବରୁ ବର୍ଷା ହେଲେ ନବୀନ ନିବାସରୁ ପୁରୁଣା ବିମାନବନ୍ଦର ଛକ ମଧ୍ୟରେ ପାଣି ଜମୁଥିଲା। କିନ୍ତୁ ଆଜି ନବୀନ ନିବାସ ସମ୍ମୁଖରେ ଆଣ୍ଠୁଏ ଉଚ୍ଚରେ ପାଣିର ସୁଅ ଛୁଟୁଥିଲା। ସମୁଦ୍ର ଲହଡ଼ି ପରି ପାଣି ମାଡ଼ୁଥିଲା। ପାଣିର ସୁଅ ଏପରି ଥିଲା ଯେ ଏହି ରାସ୍ତାରେ ଲୋକ ଯାତାୟାତ କରିବାକୁ ଡରିଥିଲେ। ପାଣି ନବୀନ ନିବାସ ମଧ୍ୟରେ ବି ପଶି ଯାଇଥିଲା। ପ୍ରଥମ କରି ନବୀନ ନିବାସ ସମ୍ମୁଖରେ ଏପରି ସ୍ଥିତି ହୋଇଥିବାରୁ ପୂର୍ତ୍ତ ବିଭାଗ ଏବଂ ବିଏମ୍‌ସି ଅଧିକାରୀଙ୍କ ନିଦ ହଜି ଯାଇଛି।

ନୂଆପଲ୍ଲୀରେ ଘରେ ପଶିଲା ପାଣି
ନୂଆପଲ୍ଲୀର ଓ୍ଵାର୍ଡ ୩୭ର ବିଭିନ୍ନ ଅଞ୍ଚଳରେ ଆଜି ପାଣି ସୁଅ ଛୁଟିଥିଲା। ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲା। ମେଟ୍ରୋ ସିଟି ଆପାର୍ଟମେଣ୍ଟ ପଛପଟ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ବାସିନ୍ଦାମାନେ କଲବଲ ହୋଇଥିଲେ। ବିଏମ୍‌ସି କି ଅଗ୍ନିଶମ ବିଭାଗ ଜଳ ନିଷ୍କାସନ କରି ନପାରିବାରୁ ଲୋକମାନେ ବେଲା, ଥାଳି ଓ ବାଲ୍‌ଟିରେ ପାଣି କାଢ଼ିଥିଲେ। ଏପରିକି କାହାର ରୋଷେଇ ଘରେ ତ କାହାର ଶୋଇବା ଘରେ ପାଣି ପଶି ଯାଇଥିଲା। ଲୋକ କିଛି ଉପାୟ ନପାଇ ଖଟ, ଟେବୁଲ୍‌ ଉପରକୁ ଅତ୍ୟାବଶ୍ୟକ ସାମଗ୍ରୀ ଟେକିବାରେ ଲାଗି ପଡ଼ିଥିଲେ। କେବଳ ଏତିକି ନୁହେଁ, ଏହି ଅଞ୍ଚଳରେ ଥିବା ଆଖଣ୍ଡଳମଣି ମନ୍ଦିରରେ ପାଣି ପଶିଯିବାରୁ ଆଜି ସନ୍ଧ୍ୟାରେ ମନ୍ଦିରକୁ ଶ୍ରଦ୍ଧାଳୁ ଯାଇପାରିନାହାନ୍ତି।

ସମ୍ବନ୍ଧିତ ଖବର