କୋଭିଡ ପରେ ରାଜ୍ୟରେ ଶିଶୁଙ୍କଠାରେ ବଢ଼ିଛି ଏଚ୍‌ଏଫ୍‌ଏମ୍‌ଡି ରୋଗ

ଭୁବନେଶ୍ବର: କୋଭିଡ୍‌ ପରେ ରାଜ୍ୟରେ ହଠାତ୍ ହ୍ୟାଣ୍ଡ, ଫୁଟ୍ ଓ ମାଉଥ୍ ଡିଜିଜ୍ ବା ଏଫ୍‌ଏଚ୍‌ଏମ୍‌ଡି ରୋଗ। ଛୋଟ ଶିଶୁଙ୍କ ହାତ, ଗୋଡ଼ ଓ ପାଟିରେ ଛୋଟ ଫୋଟକା ଭଳି ଦେଖାଦେଉଛି। ଗୋଟିଏ ଦିନ ପାଇଁ ଜ୍ବର ହେବା ସହିତ ରୋଗ ଭଲ ହେବା ପରେ ଶିଶୁଙ୍କଠାରେ ଚିହ୍ନ ରହୁଛି। କୋଭିଡ୍‌ ପରେ ହଠାତ୍ ଏଭଳି ରୋଗୀ ଶିଶୁଙ୍କ ସଂଖ୍ୟା ବଢ଼ିଥିବା କୁହାଯାଉଛି। ଏପରିକି କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ୫/୬ଜଣ ଏଭଳି ଏଫ୍‌ଏଚ୍‌ଏମ୍‌ଡି ରୋଗୀଙ୍କୁ ଚିହ୍ନଟ କରାଯାଉଛି।

ଗତ କିଛିଦିନ ହେବ ଦେଶବ୍ୟାପୀ ଟମାଟୋ ଫ୍ଲୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଛୋଟ ପିଲାଙ୍କ ହାତଗୋଡ଼ରେ ଏହା ନାଲି ଫୋଟକା ଭଳି ଦେଖା ଯାଉଥିବାରୁ ଅନେକ ଏହାକୁ ଟମାଟୋ ଫ୍ଲୁ ବୋଲି କହୁଛନ୍ତି। ମାତ୍ର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଏଫ୍‌ଏଚ୍‌ଏମ୍‌ଡି ରୋଗ। ଏହା ଏକ ସାଧାରଣ ଫ୍ଲୁ। ମୁଖ୍ୟତଃ ଏହା ୫ବର୍ଷର କମ୍ ଶିଶୁଙ୍କଠାରେ ଦେଖିବାକୁ ମିଳୁଥିବା ବେଳେ ଅନେକ କ୍ଷେତ୍ରରେ ଏଥିରେ ୧୨ବର୍ଷର ଶିଶୁ ଆକ୍ରାନ୍ତ ହେଉଥିବା ନଜରକୁ ଆସିଲାଣି। ତେବେ କୋଭିଡ୍‌ ପରବର୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଶୁଙ୍କଠାରେ ଏହି ରୋଗ ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି କଟକସ୍ଥିତ ଶିଶୁଭବନରେ ଏଥିପାଇଁ ଏକ ଆଇସୋଲେସନ୍ ୱାର୍ଡ ଖୋଲାଯାଇଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏହା ଆରମ୍ଭ ହୋଇନାହିଁ।

କ୍ୟାପିଟାଲ ହସ୍ପିଟାଲ ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ ମତରେ, ଖୋର୍ଧା, ନୟାଗଡ଼ ଓ ଅନ୍ୟାନ୍ୟ ଜିଲ୍ଲାରୁ ଆକ୍ରାନ୍ତ ଶିଶୁମାନେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ମାତ୍ର ଏହି ଶିଶୁଙ୍କଠାରେ ନାଲି ରଂଗର ଫୋଟକା ଦେଖିବାକୁ ମିଳୁନାହିଁ। ଏଫ୍‌ଏଚ୍‌ଏମ୍‌ଡି ରୋଗ ମୁଖ୍ୟତଃ କକ୍‌ସାକି ଭୂତାଣୁ ଦ୍ବାରା ହୋଇଥାଏ। ଯେହେତୁ ଶିଶୁମାନଙ୍କୁ ଆଡ୍‌ମିଟ୍‌ କରି ରଖିବାକୁ ପଡ଼ୁନାହିଁ, ତେଣୁ ଏମାନଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଉପଲବ୍ଧ ହେଉନାହିଁ। ମାତ୍ର ଲଗାତାର ଭାବେ ଏଥିରେ ବୃଦ୍ଧି ଦେଖିବାକୁ ମିଳୁଛି। ଓଡ଼ିଶାରେ ପୂର୍ବରୁ ଏତେ ସଂଖ୍ୟକ ଏଫ୍‌ଏଚ୍‌ଏମ୍‌ଡି ଶିଶୁଙ୍କ ସଂଖ୍ୟା ଦେଖିବାକୁ ମିଳୁ ନ ଥିଲା। ମାତ୍ର କାହିଁକି ଏହା ବଢ଼ୁଛି ତାହା ସଂପର୍କରେ ଗବେଷଣା କରିବା ଲାଗି ଆରଏମ୍‌ଆରସି ସହିତ ଏକ ମୌଖିକ ଆଲୋଚନା ହୋଇଛି। ଗବେଷଣା ପରେ ଏହା ସଂପର୍କରେ ସବିଶେଷ ତଥ୍ୟ ମିଳିପାରିବ।

କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ଆସୁଛନ୍ତି ୫/୬ ଶିଶୁ ରୋଗୀ
ରାଜ୍ୟରେ ଏଫ୍‌ଏଚ୍‌ଏମ୍‌ଡି ରୋଗର ଗବେଷଣା କରିବ ଆରଏମ୍‌ଆରସି
ଟମାଟୋ ଫ୍ଲୁ ନେଇ କେନ୍ଦ୍ରରୁ କୌଣସି ନିର୍ଦେଶନାମା ଆସିନାହିଁ: ସ୍ବାସ୍ଥ୍ୟ ବିଭାଗ

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଟମାଟୋ ଫ୍ଲୁ ପାଇଁ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡ ଖୋଲିବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ସ୍ବାସ୍ଥ୍ୟ ବିଭାଗରୁ ଏ ନେଇ ନିର୍ଦେଶନାମା ଆସିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ମାତ୍ର ହସ୍ପିଟାଲର ଶିଶୁରୋଗ ୱାର୍ଡରେ କକ୍‌ସାକି ରୋଗ ପାଇଁ ବହୁ ସଂଖ୍ୟାରେ ଶିଶୁ ଆସୁଥିବା ସଂପର୍କରେ କୌଣସି ସୂଚନା ନ ଥିବା ଡା.ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ମେଡିକାଲ ପାଠ୍ୟକ୍ରମରେ ଟମାଟୋ ଫ୍ଲୁ ବୋଲି କୌଣସି ରୋଗ ନାହିଁ। ଶିଶୁଙ୍କଠାରେ ଏଫ୍‌ଏଚ୍‌ଏମ୍‌ଡି ରୋଗ ଦେଖିବାକୁ ମିଳିଥାଏ। ତେବେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସିଠାରୁ ଏ ସଂପର୍କରେ କୌଣସି ପ୍ରକାର ନିର୍ଦେଶନାମା ଆସିନାହିଁ। ତଥାପି ରାଜ୍ୟର କେଉଁ ସ୍ଥାନରେ ଏଫ୍‌ଏଚ୍‌ଏମ୍‌ଡି ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କୁହାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର