ଲାଗୁ ହେଲା ଏସ୍‌ଓପି, ବିମାନବନ୍ଦରରେ ହାଇ ଆଲର୍ଟ

ଟର୍ମିନାଲରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା, ୧୨୦ ବାଟାଲିଅନ ଓ ସିଆରପିଏଫ୍ କ୍ୟାମ୍ପସରେ ବି ସୁରକ୍ଷା ବ୍ୟବସ୍ଥା ବଢ଼ିଲା

ଭୁବନେଶ୍ବର: ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଛି। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦର, ୧୨୦ ଆର୍ମି ବାଟାଲିଅନ, ସିଆରପିଏଫ୍‌ କ୍ୟାମ୍ପସ୍‌ର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏପରିକି ଏହି ତିନିଟି ସ୍ଥାନରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯାଇଛି। ତିନିଟି କ୍ୟାମ୍ପସ୍‌ର ପ୍ରବେଶ ପଥକୁ ସିଲ୍‌ କରାଯାଇ କଡ଼ା ଚେକି˚ ହେଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଆଉ ପ୍ରତି ଵାଚ୍‌ ଟାଵାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟା ମୁତୟନ କରାଯାଇଛି। ଏହାସହ କମିସନରେଟ୍‌ ପୁଲିସ ପକ୍ଷରୁ ଜୋରଦାର‌୍‌ ଚେକି˚ ଆରମ୍ଭ ହୋଇଛି। ଏହିଭଳି ଭାବେ ଆଜିଠାରୁ ଭୁବନେଶ୍ବରରେ ଷ୍ଟାଣ୍ତାର୍ଡ ଅପରେଟିଙ୍ଗ ପ୍ରୋସିଜିଓର‌୍‌ (ଏସ୍‌ଓପି) ଲାଗୁ ହୋଇଛି। ଗୃହ ମନ୍ତ୍ରଣାଳୟରୁ ସବୁଜ ସଂକେତ ମିଳିବା ପର୍ଯ୍ୟନ୍ତ ଏସ୍‌ଓପି ଲାଗୁ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଆମେ ଗତ ୨୩ତାରିଖରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ। କିନ୍ତୁ ଆଜିଠାରୁ ଏହାକୁ ଅଧିକ କଡ଼ାକଡ଼ି କରାଯାଇଛି। ବିମାନବନ୍ଦର ପାଇଁ ଥିବା ଏସ୍‌ଓପିକୁ ଲାଗୁ କରିଛୁ। ଆମେ ସର୍ବଦା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥାଉ। କିନ୍ତୁ ଏବେ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରିବା ସହ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରିଛୁ। ଏବେ ଆମେ ସବୁ ପୋଷ୍ଟରେ ସିଆଇଏସ୍‌ଏଫ୍‌ ମୁତୟନ ବଢ଼ାଇ ଦେଇଛୁ। ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରବେଶ ପଥରେ ୪ଜଣ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବାବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହେଉଛି। ଆମର ଡୋମେଷ୍ଟିକ ଟର୍ମିନାଲରେ ୬୭ଟି ସିସିଟିଭି ଲାଗିଛି। ଟର୍ମିନାଲ-୨ରେ ୪୪ଟି ସିସିଟିଭି ଲାଗିଛି। କୌଣସି ପରିସ୍ଥିତିରେ ବି କେହି ଆମ ନଜରରୁ ଖସିପାରିବେନି। ଏହାସହିତ ଆମର କୁଇକ୍‌ ରେସ୍ପନ୍‌ସ ଟିମ୍‌ (କ୍ୟୁଆରଟି)ରେ ଅଧିକ ଯବାନ ସାମିଲ୍‌ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଆମର ଟର୍ମିନାଲ ଭିତରେ ଯଦି କୌଣସି ବ୍ୟାଗ କି ସାମଗ୍ରୀ ୧୫ମିନିଟରୁ ଅଧିକ ରହିବ ଏବ˚ ଏହାର କେହି ଦାବିଦାର ନଥିବେ ତେବେ ଆଲାରାମ ବାଜିବ। ଆଉ ଆମ ଯବାନ ତୁରନ୍ତ ଏହାର ଯାଞ୍ଚ୍‌ କରିବେ। ବିମାନ ବନ୍ଦରକୁ ଚାରିପଟୁ ସୁରକ୍ଷା ଯୋଗାଇବା ପାଇଁ ୧୩ଟି ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟିଆ ମୁତୟନ କରାଯାଇଛି। ସେହିପରି ଏବେ ଇଣ୍ଟେନସିଭ୍‌ ସିକ୍ୟୁରିଟି ଡ୍ରିଲ୍‌, ଆଣ୍ଟି ହାଇଜାକି˚ ଟ୍ରାକି˚ ବ୍ୟବସ୍ଥା ଜୋରଦାର୍‌ କରାଯାଇଛି। ଏଥିରେ ବିମାନ ବନ୍ଦରକୁ ଆସୁଥିବା ଲୋକର ପ୍ରୋଫାଇଲ୍‌, ଉଦ୍ଦେଶ୍ୟ ସବୁ ଯାଞ୍ଚ କରାଯାଉଛି। ଯେପରି କେହି କୌଣସି ଅସ୍ତ୍ର ନେଇ ବିମାନରେ ନ ଯିବେ ସେଥିପାଇଁ ଯବାନମାନେ ଯାଞ୍ଚ କଡ଼ାକଡ଼ି କରିଛନ୍ତି। ଏପରିକି ବିମାନବନ୍ଦର ମୁଖ୍ୟ ଫାଟକ ନିକଟରୁ ଆମର ସମସ୍ତ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ସହ ଯବାନ ମୁତୟନ ହୋଇଛନ୍ତି। ବିମାନ ବନ୍ଦରକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଓ ଗାଡ଼ିର କଡ଼ାକଡ଼ି ଯାଞ୍ଚ ହେଉଛି। ଏବେ ସିଆଇଏସ୍‌ଏଫ୍‌ ଯବାନମାନେ ବିମାନବନ୍ଦରକୁ ଚାରିପଟୁ ଘେରିକି ରଖିଛନ୍ତି। ଆମକୁ ସବୁଜ ସଙ୍କେତ ମିଳିଲେ ପୂର୍ବ ଭଳି ସୁରକ୍ଷା ବ୍ୟବସ୍ଥା ବଦଳିବ ବୋଲି ଶ୍ରୀ ହୋତା କହିଛନ୍ତି। ବିମାନବନ୍ଦର ପକ୍ଷରୁ ଉପଦେଶ ଜାରି ହୋଇଛି ଯେ, ଏବେ ଯାଞ୍ଚ୍‌ ବ୍ୟବସ୍ଥା କଡ଼ାକଡ଼ି ହୋଇଥିବାରୁ ଯାତ୍ରୀମାନେ ଧାର୍ଯ୍ୟ ସମୟ ପୂର୍ବରୁ ଚେକ୍‌ ଇନ୍‌ କରିନେବା ଦରକାର। ନଚେତ୍‌ ଚେକି˚ରେ ଫସି ବିମାନ ମିସ୍‌ କରିବାର ସମ୍ଭାବନା ଅଛି। ଯାତ୍ରୀମାନେ ଆଗୁଆ ଆସି ବୋର୍ଡି˚ ପାସ୍‌ କରିବାକୁ ବିମାନ ବନ୍ଦର ନିର୍ଦେଶକ ପରାମର୍ଶ ଦେଇଛନ୍ତି।

ଅପରପକ୍ଷେ ଶାସ୍ତ୍ରୀ ନଗରସ୍ଥିତ ୧୨୦ ବାଟାଲିଅନ୍‌ରେ ମଧୢରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏଠାରେ ଥିବା କ୍ୟାଣ୍ଟିନକୁ ଆସୁଥିବା ଲୋକ ଏବ˚ ଗାଡ଼ି ଉପରେ କଡ଼ା ନଜର ରଖାଯାଉଛି। ଦ୍ବିସ୍ତରୀୟ ଚେକି˚ ପରେ ଭିତରକୁ ଛଡ଼ାଯାଉଛି। ପ୍ରାୟ ୧୫ଟି ଵାଚ୍‌ ଟାଵାର ଉପରେ ଦୁଇଜଣ ଲେଖାଏଁ ବନ୍ଧୁକଧାରୀ ଯବାନଙ୍କୁ ୨୪ଘଣ୍ଟିଆ ମୁତୟନ କରାଯାଇଛି। କମର୍ଚାରୀଙ୍କ ସମ୍ପର୍କିୟଙ୍କୁ ମଧୢ କଡ଼ା ତନଖି ପରେ ଭିତରକୁ ଛଡ଼ାଯାଉଛି। ଅପରପକ୍ଷେ ସିଆରପି ଛକସ୍ଥିତ ସିଆରପିଏଫ୍‌ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ହୋଇଛି। ପୁଲୱାମା ଆକ୍ରମଣ ଦିନଠାରୁ ମୁଖ୍ୟ ଗେଟ୍‌ ଦେଇ ଯାତାୟାତ କରିବାକୁ ଥିବା ଅନୁମତି ଦିଆଯାଉଥିବାବେଳେ ପଛପଟ ଗେଟ୍‌ରେ ଯାତାୟ‌ାତ ଉପରେ ରୋକ୍‌ ଲାଗିଛି। ପ୍ରାୟ ୨୦ଟି ଵାଚ୍‌ ଟାଵାରରେ ବନ୍ଧୁକଧାରୀ ଯବାନ ମୁତୟନ ହୋଇଛନ୍ତି। ଆଉ କର୍ମଚାରୀ ଏବ˚ ତାଙ୍କ ପରିବାର ବିନା କାହାକୁ କ୍ୟାମ୍ପସ ଭିତରକୁ ଛାଡ଼ିବା ଉପରେ ନିଷେଧାଦେଶ ଲାଗିଛି ବୋଲି ଜଣାପଡ଼ିଛି। ଏହି ଦୁଇଟି ସ୍ଥାନରେ ମଧୢ ଏସ୍‌ଓପି ଲାଗୁ ହୋଇଛି। କମିସନରେଟ୍ ପୁଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ ରାତ୍ରୀକାଳୀନ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି। ରାତିରେ ସହରକୁ ଭିତରକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିର ଚେକିଂ କରାଯାଉଥିବାବେଳେ ସିସିଟିଭି ମାଧ୍ୟମରେ ପୂରା ସହର ଉପରେ ନଜର ରଖାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର