ଖୋର୍ଦ୍ଧା: ଅଶାନ୍ତ ଛଣଗିରିରେ ଶାନ୍ତି ଫେରାଇ ଆଣିବା ପାଇଁ ଗତ ୧୨ ଘଣ୍ଟା ଭିତରେ ପୁଲିସ ଫୋର୍ସ ସଂଖ୍ୟା ୯ରୁ ୧୩ ପ୍ଲାଟୁନ୍‌କୁ ବଢ଼ାଇ ଦିଆଯାଇଛି। ଖୋଦ୍‌ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ରାତାରାତି ଛଣଗିରି ଗସ୍ତରେ ଆସି ଗାଁର ଆଇନ୍‌ଶୃଙ୍ଖଳା ପରିସ୍ଥିତି ତନ୍ନତନ୍ନ ଯାଞ୍ଚ କରିଛନ୍ତି। ଘଟଣା ଯେମିତି ଆଉ ସମ୍ବେଦନଶୀଳ ନ ହୁଏ, ସେଥିପାଇଁ ୫ ଜଣ ଆଇପିଏସ୍‌ ଅଫିସର ମଧ୍ୟ ଘଟଣାସ୍ଥଳରେ ଆଜି ପଇଁତରା ମାରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗୋରୁ ଚାଲାଣକୁ କେନ୍ଦ୍ର କରି ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗାଁରେ ତୁମୁଳକାଣ୍ଡ ଘଟିଥିଲା। ବାଇକ୍‌ ଭଙ୍ଗାରୁଜା, ଜଳାପୋଡ଼ା ସହିତ ବହୁ ଦୋକାନ ଘରେ ନିଆଁ ଲଗାଇ ଦିଆଯାଇଥିଲା। ରାଜଧାନୀ ଜିଲ୍ଲାରେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଥିଲା। ଗତକାଲି ଅତିରିକ୍ତ ପୁଲିସ ଡିଜି (ଆଇନ୍‌ଶୃଙ୍ଖଳା) ସଞ୍ଜୟ କୁମାର ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ପୁଲିସ ଡିଜି ଶ୍ରୀ ଷଡ଼ଙ୍ଗୀ ଘଟଣାସ୍ଥଳକୁ ଯାଇ ଏଭଳି ପରିସ୍ଥିତି କାହିଁକି ଘଟିଲା, କେଉଁମାନେ ଏହାର ସୂତ୍ରଧର; ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏହି ଘଟଣା ଯେମିତି ଆଉ ଆଗକୁ ନ ବଢ଼େ ସେଥିପାଇଁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ତତ୍କାଳ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପୁଲିସ ଡିଜି ସ୍ଥିତି ସମୀକ୍ଷା କରି ଫେରିଲା ପରେ ଅତିରିକ୍ତ ଡିଜି (ଆଇନ୍‌ଶୃଙ୍ଖଳା) ସଞ୍ଜୟ କୁମାର ସାରା ରାତି ଗାଁ ଉପରେ ତୀକ୍ଷ୍ମ ନଜର ରଖିଥିଲେ। ଅନ୍ୟପକ୍ଷରେ ଆଜି ଦିନତମାମ ଏଡିଜିଙ୍କ ସହିତ ଆଇଜି (କେନ୍ଦ୍ରାଞ୍ଚଳ) ସଞ୍ଜୟ କୌଶଲ, ଡିଆଇଜି ତଥା ଖୋର୍ଦ୍ଧା ଏସ୍‌ପି ଅବିନାଶ କୁମାର, କଟକ ପୁଲିସ ମୁଖ୍ୟାଳୟର ବି.ଯୁଗଳ କିଶୋର, ବିବେକାନନ୍ଦ ଶର୍ମା ପ୍ରମୁଖ ପାଞ୍ଚ ଜଣ ଆଇପିଏସ୍‌ ଅଫିସର ଖୋର୍ଦ୍ଧାରେ ଡେରା ପକାଇଛନ୍ତି। ଶନିବାର ଖୋର୍ଦ୍ଧା ଏସ୍‌ପି ଅବିନାଶ କୁମାର ଛଣଗିରିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ୧୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।