କାର୍ତ୍ତିକକୁ ଡର, ଆକାଶଛୁଆଁ ପରିବା ଦର

ଆଳୁ ୪୦, ପିଆଜ ୭୦

ଭୁବନେଶ୍ବର: କାର୍ତ୍ତିକ ନ ଆସୁଣୁ ପ୍ରାୟେ ମାସେ ପୂର୍ବରୁ ପରିବ‌ା ଦର ଅହେତୁକ ବୃଦ୍ଧି ପାଇଥିଲା। କୌଣସି ପରିବା ୫୦ ଟଙ୍କା ତଳେ ନଥିବା ବେଳେ କଲରା, କାକୁଡ଼ି, ବିନ୍‌ସ୍‌, ଝୁଡ଼ୁଙ୍ଗ, ପୋଟଳ ଓ କାଙ୍କଡ଼ ଆଦି ପରିବା ୮୦ ଟଙ୍କା ପାର ହୋଇ ୧୦୦, ୧୨୦ ଟଙ୍କାରେ ପହଞ୍ଚିଥିଲା। ଏପରିକି ଆଳୁ କେଜି ପ୍ରତି ୩୫ ଟଙ୍କାରେ ପହଞ୍ଚିଥିଲା। ଦର ଆକାଶଛୁଆଁ ଥିବା ବେଳେ ଏହାକୁ ଆହୁରି ଇନ୍ଧନ ଯୋଗାଇଛି ଧର୍ମ ମାସ କାର୍ତ୍ତିକ। ଅନେକଙ୍କ ଘରେ କାର୍ତ୍ତିକ ମାସସାରା ଆମିଷ ନିଷେଧ ଥିବାରୁ ସାତ୍ବିକ ଭୋଜନ ପାଇଁ ପରିବା ଏକ ମାତ୍ର ବିକଳ୍ପ। ତେଣୁ କାର୍ତ୍ତିକ ଆସିଲେ ଚାହିଦା ବୃଦ୍ଧି ପାଉଥିବାରୁ ପରିବା ଦର ଆକାଶଛୁଆଁ ରୁହେ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଓ ଲଗାତାର ଲଘୁଚାପ ବର୍ଷା କାରଣରୁ ଗତ କିଛି ଦିନ ହେଲା ପରିବା ଦର ଥମୁନାହିଁ। ପୁଣି ଆଜି କାର୍ତ୍ତିକ ପ୍ରବେଶ କରିଥିବାରୁ ପରିବା ଦରକୁ ନେଇ ଗ୍ରାହକଙ୍କୁ ଚିନ୍ତା ଘାରିଲାଣି। ଏପରିକି ଆଗକୁ ପରିବା ଦର ଆହୁରି ବଢ଼ିପାରେ ବୋଲି ବ୍ୟବସାୟୀମାନେ କହିଲେଣି।

୧ ନମ୍ବର ହାଟରୁ ମିଳିଥିବା ସୂଚନା ମୁତାବକ ଏବେ ମଣ୍ଡିରୁ ବ୍ୟବସାୟୀମାନେ ପରିବା କିଲୋ ପିଛା ୧୦ରୁ ୨୦ ଟଙ୍କା ଅଧିକ ଦେଇ କିଣୁଛନ୍ତି। ଖୁଚୁରା ଦର ୧୫ରୁ ୨୦ ଟଙ୍କା ଅଧିକରେ ବିକ୍ରି ହେଉଛି। ମଣ୍ଡିର ଦାମ୍‌ ଅନୁସାରେ ପୋଟଳ କିଲୋ ପିଛି ୫୦ରୁ ୫୫ଟଙ୍କା ରହିଥିବା ବେଳେ ଜହ୍ନି କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ ୪୫, ବାଇଗଣ ୪୫, କଖାରୁ କିଲୋ ୨୦-୨୨, ଭେଣ୍ଡି ୫୦, ବିନ୍‌ ୬୦, କଲରା ୬୦, କାଙ୍କଡ଼ ୫୫, ବିଟ୍‌ ୭୦, ଗାଜର ୫୫, ଆଳୁ ୪୦, ପିଆଜ କିଲୋ ୭୦, ଟମାଟୋ ୫୫ ଟଙ୍କା ରହିଛି। ଅନ୍ୟପଟେ ହବିଷ ଡାଲ୍‌ମାର ମୁଖ୍ୟ ପରିବା ସାରୁ କେଜି ପ୍ରତି ଅନ୍ୟ ଦିନରେ ୨୦ ଟଙ୍କା ରହୁଥିବା ବେଳେ ଏବେ ୪୦ଟଙ୍କା ରହିଛି। ଶାଗ ବିଡ଼ା ୨୦ଟଙ୍କା ରହିଛି ବୋଲି ମଣ୍ଡିରୁ ସୂଚନା ମିଳିଛି। ବିଭିନ୍ନ ମାଧ୍ୟମ ଦେଇ ଖୁଚୁରା ବଜାରରେ ପହଞ୍ଚିବା ବେଳକୁ ଦର ଆକାଶଛୁଆଁ ହୋଇଯାଉଛି ବୋଲି ପରିବା ବ୍ୟବସାୟୀମାନେ କହିଛନ୍ତି। କୋଚିଲେଇ ହାଟ ପରିବା ବ୍ୟବସାୟୀ ଅଶୋକ ବେହେରା କହିଛନ୍ତି, ଆମେ ମଣ୍ଡିରୁ ପରିବା ମୋଟା ଅଙ୍କରେ ବସ୍ତା ବସ୍ତା କିଣୁ। ତା’ ଭିତରେ ପଚାସଢ଼ା ଓ ‌ପୋକରାରେ କିଛି ଚାଲିଯାଏ। ପରିବହନ ଖର୍ଚ୍ଚ ସବୁ ମିଶାଇ ୧୦ରୁ ୧୫ ଟଙ୍କା ଅଧିକରେ ନ ବିକିଲେ ଲାଭ ତ’ ଦୂରର କଥା ମୂଳ ପଇସା ବି ବାହାରିବା କଷ୍ଟ ହୋଇଯିବ। କାର୍ତ୍ତିକ ମାସରେ ସାରୁର ଚାହିଦା ବଢ଼େ। ଏହି ସମୟ ସାରୁ ଅମଳ ସମୟ। କିନ୍ତୁ ମଣ୍ଡିରେ ବି ସାରୁ ଦର ୩୦ରୁ ୩୫ ଟଙ୍କା ଭିତରେ ରହୁଛି। ଫଳରେ ଆମେ ଏଠାରେ ୪୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ।

ପରିବା କିଣିବାକୁ ଆସିଥିବା ମଧୁସ୍ମିତା ପାଇକରାୟ କହିଛନ୍ତି, ଏବେ କାର୍ତ୍ତିକ ଆସିଯାଇଛି। ଘରେ ଆମିଷ ପଶିବ ନାହିଁ। ମାସ ସାରା ପରିବା ଉପରେ ହିଁ ନିର୍ଭରଶୀଳ। କିନ୍ତୁ ୫୦୦ ଟଙ୍କାର ପରିବାରେ ବି ବ୍ୟାଗ୍‌ ଭର୍ତି ହେଉନାହିଁ। ପୁଣି ଭାତ, ଡାଲି ଓ ଆଳୁ ସିଝାରେ ଚଳିବା କଷ୍ଟକର। ଆଳୁ ଦର ଯାଇ ୪୦ ଟଙ୍କାରେ ପହଞ୍ଚିଲାଣି। ପିଆଜ ୭୦ ଟଙ୍କା। କ’ଣ ଖାଇବୁ ଓ କେମିତି ଚଳିବୁ ସେ ନେଇ ଚିନ୍ତା ଘାରିଲାଣି।

ସମ୍ବନ୍ଧିତ ଖବର