ସାଇବର ଅପରାଧ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପୁଲିସ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଅପରାଧୀଙ୍କ ମୁକାବିଲା କରୁ

କଟକ: ସାଇବର ଅପରାଧୀଙ୍କ ନୂଆ ଅପରାଧଶୈଳୀ ଓ ଜ୍ଞାନକୌଶଳ ଏବେ ପୁଲିସ ଆଉ ତଦନ୍ତକାରୀ ସଂସ୍ଥାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ବିଭିନ୍ନ ଦେଶରେ ପୃଥକ୍‌ ବୈଷୟିକ ଓ ଆଇନଗତ ବ୍ୟବସ୍ଥା ରହିଥିବାରୁ ତଦନ୍ତ ପାଇଁ ଅନେକ ସମୟରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। କିନ୍ତୁ ଏଭଳି ସ୍ଥିତିକୁ ବ୍ୟବହାର କରି ଅପରାଧୀ ଆଇନ ହାତରୁ ଖସି ଯାଇପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ସାଇବର ଅପରାଧ ସଂପର୍କିତ ଏକ ଘଟଣାରେ ତଦନ୍ତକାରୀ ଅଧିକାରୀ ଜାରି କରିଥିବା ନୋଟିସ୍‌କୁ ଚାଲେଞ୍ଜ କରି କମଳାକାନ୍ତ ତ୍ରିପାଠୀ ଦାୟର କରିଥିବା ମାମଲାରେ ବିଚାରପତି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ଦେଇଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଫେ‌ଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟି‌ଗେସନ୍‌ (ୟୁଏସଏ) ଇଣ୍ଟରନେଟ୍ କ୍ରାଇମ କଂପ୍ଲେଣ୍ଟ ସେଣ୍ଟର ପକ୍ଷରୁ ୨୦୧୯ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟ ଅନୁସାରେ, ସାଇବର ଅପରାଧ ପୀଡ଼ିତ ପ୍ରମୁଖ ୨୦ଟି ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୨୦୧୮ରେ ୮୪୩ଟି ଏପରି ମାମଲା ରୁଜୁ ହୋଇଥିଲା। ସାଇବର ଅପରାଧ ଦିନକୁ ଦିନ ବଢ଼ି ଚାଲିଛି। ସାଇବର୍ଅ ପରାଧୀ ଅଧିକ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ଅପରାଧ କରୁଛନ୍ତି। ଏପରି ଅପରାଧୀ ପରସ୍ପରକୁ ସହଯୋଗ ବି କରୁଛନ୍ତି। ତେଣୁ ପୁଲିସ୍ ନୂଆ ବୈଷୟିକ ଜ୍ଞାନକୌଶଳ ସହ ସେମାନଙ୍କର ମୁକାବିଲା କରିବା ଆବଶ୍ୟକ।

ମାମଲାର ବିବରଣୀରୁ ପ୍ରକାଶ ଯେ ତତ୍କାଳୀନ ପରିବହନ କମିସନର୍‌ ମଧୁସୂଦନ ପାଢ଼ୀ ୨୦୧୭, ସେପ୍ଟେମ୍ବର ୧୧ରେ ତାଙ୍କ ଇ-ମେଲ ଆଇଡି ହାକିଂ ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ କରିଥିଲେ। ସାଇବର କ୍ରାଇମ ଥାନାରେ ଆଇପିସି ଦଫା ୪୬୫, ୪୬୯ ଓ ଇନଫରମେସନ୍ ଟେକନୋଲୋଜି ଆଇନର ଧାରା ୬୬ରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ଅଭିଯୁକ୍ତ ନିଜ ପରିଚୟ ଗୋପନ ରଖି ଅନ୍ୟଜଣଙ୍କ ନାଁରେ ଜାଲ୍ ଇ-ମେଲ ଆଇଡି ଖୋଲି ଏପରି କାର୍ଯ୍ୟରେ ଲିପ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହି ମାମଲାରେ କମଳାକାନ୍ତ ତ୍ରିପାଠୀଙ୍କୁ ସିଆରପିସିର ଧାରା ୧୬୧ରେ ନୋଟିସ୍ ଜାରି ତଦନ୍ତକାରୀ ଅଧିକାରୀ ହାଜର ହେବା ପାଇଁ କହିଥିଲେ। ୨୦୧୮, ମାର୍ଚ୍ଚ ୫ରେ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ତା’ ପରଦିନ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ୨୦୧୮, ମାର୍ଚ୍ଚ ୧୭ରେ କମଳାକାନ୍ତଙ୍କ ତିନୋଟି ଲାପଟପ୍ ତଦନ୍ତକାରୀ ଅଧିକାରୀ ଜବତ କରିଥିଲେ। ଏହି ଲାପଟପରୁ ତିନୋଟି ସନ୍ଦିଗ୍ଧ ଇ-ମେଲ ଯାଇଥିବା ସନ୍ଦେହ କରାଯାଉଥିଲା। ଜବତ ପରେ ସେହି ଦିନ ତିନୋଟି ଯାକ ଲାପଟପ୍ କମଳାକାନ୍ତଙ୍କୁ ଜିମାନାମା କରି ହସ୍ତାନ୍ତର କରାଯାଇଥିଲା। ଯେତେବେଳେ ଆବଶ୍ୟକ ପଡ଼ିବ, ଲାପଟପ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ତାଙ୍କୁ କୁହାଯାଇଥିଲା। ଏହାପରେ ତଦନ୍ତକାରୀ ଅଧିକାରୀ ବିଏସ୍ଏନ୍‌ଏଲ୍‌ ନିକଟରୁ କେତେକ ତଥ୍ୟ ହାସଲ କରି ଏହି ପ୍ରସଙ୍ଗ‌ରେ ପ୍ରମାଣ ପାଇଥିଲେ। ଓମଫେଡ୍‌ ଦାୟିତ୍ବରେ ଥିବା ବେଳେ ଅଭିଯୋଗକାରୀ ଶ୍ରୀ ପାଢ଼ୀ ଓ କମଳାକାନ୍ତଙ୍କ ମଧ୍ୟରେ ଗୋଟିଏ ଘଟଣାକୁ ନେଇ ବିବାଦ ‌ରହିଥିବା ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଥିଲେ। ଏହାପରେ କମଳାକାନ୍ତଙ୍କୁ ସେହି ତିନୋଟି ଲାପଟପ୍‌ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀ ୨୦୨୦, ମେ’ ୧୨ରେ ନୋଟିସ୍ ଜାରି କରିଥିଲେ। କିନ୍ତୁ ଏଭଳି ନିର୍ଦ୍ଦେଶକୁ ଚାଲେଞ୍ଜ କରି କମଳକାନ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର