କଟକ: କୁୁମ୍ଭମେଳା ଅବସରରେ ଭୁବନେଶ୍ୱ ଉପକଣ୍ଠ ଖଣ୍ଡଗିରିରେ ଯାତ୍ରା ପରିବେଷଣ ନିମନ୍ତେ ଜାଗମରା ସ୍ଥିତ ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦକୁ ତୁରନ୍ତ ଅନୁମତି ପ୍ରଦାନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିଷଦର ସାଧାରଣ ସଂପାଦକ କିତାବ ପଟ୍ଟନାୟକଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବା ବେଳେ ମନୋଜ ମହାନ୍ତି, ଜୟନ୍ତୀ ନାୟକ, ସୁରେନ୍ଦ୍ର ରାଉତ, ଅନୀଲ ଦଳାଇ ତାଙ୍କୁ ସହାୟତା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ଖଣ୍ଡଗିରି କୁମ୍ଭମେଳା କେଉଁ କାଳରୁ ଖଣ୍ଡଗିରିଠାରେ ଆୟୋଜିତ ହୋଇଆସୁଛି। ଖଣ୍ଡଗିରି ମେଳା ସମୟରେ ଜୈନ ଧର୍ମାବଲମ୍ବୀଙ୍କ ବ୍ୟତୀତ ଅନ୍ୟ ଧର୍ମୀୟ ଗୁରୁମାନେ ସମବେତ ହୁଅନ୍ତି। ବିଗତ କିଛି ବର୍ଷ ଧରି ଓଡ଼ିଶାର ଲୋକପ୍ରିୟ ଯାତ୍ରାପାର୍ଟିଗୁଡ଼ିକ ପକ୍ଷରୁ ସେଠାରେ ଯାତ୍ରା ପରିବେଷଣ କରାଯାଇଥାଏ। ଚଳିତ ବର୍ଷ ବିଭିନ୍ନ କମିଟି ଅପେରା ପ୍ରଦର୍ଶନ କରିବା ପାଇଁ ଅନୁମତି ଲୋଡି କମିସନରେଟ୍ ପୁଲିସର ଭୁବନେଶ୍ୱର ଡିସିପି ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରିଥିଲେ। ତେବେ କମିଟିଗୁଡିକୁ ଅନୁମତି ପ୍ରଦାନ ପ୍ରସଂଗରେ କମିସନରେଟ୍ ପୁଲିସ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟାନ୍ୟ ବିଭାଗ ନିକଟରେ ତଥ୍ୟ ଦାଖଲ କରାଯାଇଥିଲା। ଏହାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାତ୍ର ୪ଟି କମିଟିକୁ ଏଥିପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦକୁ ଏଥର ଅନୁମତି ପ୍ରଦାନ କରାଯାଥଇ ନ ଥିଲା। ସାଧାରଣ ପ୍ରଶାସନ ବିଭାଗର ଏପରି ମନମୁଖୀ କାର୍ଯ୍ୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପରିଷଦ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ପରଷଦ ଯେଉଁ ଜମିରେ ଅପେରା ପାଇଁ ଅନୁମତି ଲୋଡ଼ିଥିଲା, ତାହା ଖଣ୍ଡଗିରି ସରକାରୀ ହାଇସ୍କୁଲକୁ ଦିଆଯାଇଥିବା ବେଳେ ଏହି ଜମିକୁ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ନକରିବା ପାଇଁ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଏପରି ପରିସ୍ଥିତିରେ ଏହି ଜମିରେ ଅପେରା ପାଇଁ ଅନୁମତି ଦିଆ ଯାଇ ନଥିଲା ବୋଲି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଜମିରେ ଅପେରା ପାଇଁ ପୂର୍ବଭଳି ଅନୁମତି ପ୍ରଦାନରେ କିଛି ପ୍ରତିବନ୍ଧକ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ହାଇକୋର୍ଟ ସରକାରଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ପରିଷଦକୁ ଅନୁମତି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/khandagiri-mela.jpg)