ଭୁବନେଶ୍ବର: ରିଜିଓନାଲ୍ କଲେଜ ଅଫ୍‌ ମ୍ୟାନେଜମେଣ୍ଟ (ଆରସିଏମ୍‌)ରେ ବିଭିନ୍ନ ଜାଲିଆତିର ତଦନ୍ତ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ଶିକ୍ଷାନୁଷ୍ଠାନରେ ହୋଇଥିବା ବିଭିନ୍ନ ଠକେଇ ଓ ଆର୍ଥିକ ଅନିୟମିତତା ସମ୍ପର୍କରେ କଲେଜର ସମ୍ପାଦକ ବ୍ରଜକିଶୋର ଦାଶଙ୍କ ପିଟିସନ୍‌(ସିଆରଏଲ୍‌ଏମ୍‌ପି ୨୦୬/୨୦୨୦)ର ଶୁଣାଣି କରି ହା‌ଇକୋର୍ଟ ତଦନ୍ତ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା‌ ଆଇପିସିର ଧାରା ୪୨୦, ୪୦୬, ୪୦୮, ୪୬୮, ୪୬୭, ୪୭୧, ୧୨୦(ଖ) ଓ ଧାରା ୩୪ ଅନୁଯାୟୀ ମାମଲା ପଞ୍ଜୀକୃତ ହେବା ସହ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Advertisment

ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ ଜାଲ୍‌ କାଗଜପତ୍ର ଜରିଆରେ ଆର୍‌ସିଏମ୍‌ର ପୂର୍ବତନ ନିର୍ଦେଶକ ପ୍ରବୀର ପାଲ୍‌ ଓ ତାଙ୍କର କିଛି ସହଯୋଗୀ ୫ଟି ଜାଲ୍‌ ଟ୍ରଷ୍ଟ ଜରିଆରେ ଆରସିଏମ୍‌ର ୨୦୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଭୂଆଁ ବୁଲାଇ ବିନା ଆଫିଲେସନରେ ବିବିଏ, ବିସିଏ, ଏମ୍‌ଏଫ୍‌ସି ଆଦି ପାଠ୍ୟକ୍ରମ ଖୋଲାଯାଇ ୪ ବର୍ଷ‌ରେ ପ୍ରାୟ ୨ ହଜାର ପିଲାଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ମୁଖ୍ୟ ଗୋପୀକୃଷ୍ଣ ପଣ୍ଡା, ନୀତୁ ଦାସ, ବିଶ୍ବଜିତ୍‌ ରାଉତ, କଲେଜ ଅଧ୍ୟକ୍ଷ ପ୍ରୀତିରଞ୍ଜନ ମାଝିଙ୍କ ସହ ଆକାଉଣ୍ଟାଣ୍ଟ ଅରିନ୍ଦମ ଦାସଗୁପ୍ତା ମଧ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା‌ ଅଭିଯୋଗ କରିଛନ୍ତି। କଲେଜ ପିଲାଙ୍କ ନାମଲେଖା ଫି’, ଟ୍ୟୁସନ ଫି’ ଓ ହଷ୍ଟେଲ ଦେୟ ବାବଦ ଟଙ୍କାକୁ ପ୍ରବୀର ପାଲ୍‌, ତାଙ୍କ ପୁଅ ପ୍ରୀତମ୍‌ ପାଲ୍‌ ଓ ଅନ୍ୟ ସହଯୋଗୀମାନେ ଜାଲ୍‌ ଆକାଉଣ୍ଟ ବା ବ୍ୟକ୍ତିଗତ ଆକାଉଣ୍ଟକୁ ନେଇ ଯାଇଥିବା ଅଭିଯୋଗ ହୋଇଛି। ଆରସିଏମ୍‌ ସମ୍ପାଦକ ଶ୍ରୀ ଦାଶ ଏନେଇ ଅଭିଯୋଗ କରିବା ପରେ ବିଭିନ୍ନ ବ୍ୟଙ୍କ କର୍ତୃପକ୍ଷ କଲେଜ ନାମରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକୁ ଅଚଳ କରି ଦେଇଛନ୍ତି। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏତଲା ପଞ୍ଜୀକୃତ କରିଥିଲେ ମଧ୍ୟ ତଦନ୍ତକୁ ସେଭଳି ଆଗକୁ ନେଉନି। ବରଂ ତଦନ୍ତ ପ୍ରକ୍ରିୟାକୁ ଶିଥିଳ କରି ପ୍ରବୀର ପାଲ୍‌ ଓ ଅନ୍ୟମାନଙ୍କୁ ଆଗୁଆ ଜାମିନ ଆବେଦନ କରିବାକୁ ସୁଯୋଗ ଦେଉଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ବିଶ୍ବରଞ୍ଜନ ନାୟକ କହିଛନ୍ତି ଯେ ମାମଲା ପଞ୍ଜୀକୃତ ହୋଇଛି। ତଦନ୍ତ ପ୍ରକ୍ରିୟା ବି ‌ଶେଷ ହୋଇଛି। ଆଗରୁ ଏଭଳି କେସ୍‌ କରାଯାଇଥିଲା ଏବଂ ତାହା ବନ୍ଦ ହୋଇଥିଲା। ପୁଣି ସେହି ସମାନ ଢଙ୍ଗରେ କେସ୍‌ କରିଛନ୍ତି।