ବସ୍ତିବାସିନ୍ଦା ଥଇଥାନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଦୁଇ ମାସରେ ହିତାଧିକାରୀଙ୍କୁ ଘର ମାଲିକାନା ଦେବାକୁ ନିର୍ଦ୍ଦେଶ

କଟକ: ଭୁବନେଶ୍ବର ଖାରବେଳନଗର ଅଞ୍ଚଳରେ ବସ୍ତିବାସିନ୍ଦା ଥଇଥାନ ଯୋଜନାରେ ଆବଣ୍ଟନ କରାଯାଇଥିବା ଘର ମାଳିକାନା ଆସନ୍ତା ଦୁଇ ମାସ ଭିତରେ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମସି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରବେଳ ନଗର ‌ମ୍ୟୁନିସିପାଲ କଲୋନିର ଶିବନାରାୟଣ ପାତ୍ର ଓ ଅନ୍ୟ ୮୯ ଜଣଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସଂଗ୍ରାମଜିତ ସେନାପତି ସହାୟତା କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ବସ୍ତି ଉଚ୍ଛେଦ କରି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବିଏମ୍‌ସି ଅନ୍ତର୍ଗତ ଖାରବେଳନଗର ଅଞ୍ଚଳରେ ଏ ନେଇ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ପାଣ୍ଠି ଯୋଗାଇ ଦେଇଥିଲେ। ଥଇଥାନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ନୂତନ ଆବାସ ପ୍ରଦାନ କରାଯାଇଥିଲା। ୧୯୭୦ରେ ବସ୍ତି ବାସିନ୍ଦାଙ୍କୁ ଘର ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ କିନ୍ତୁ ଘର ମାଲିକାନା ହିତାଧିକାରୀଙ୍କୁ ଦିଆଯାଇ ନଥିଲା। ୧୯୭୮, ଫେବ୍ରୁଆରି ୯ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ଥଇଥାନ ଯୋଜନାରେ ପ୍ରଦାନ କରାଯାଇଥିବା ଘର ସତ୍ତ୍ବ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। କିନ୍ତୁ ଏହି ବିଜ୍ଞପ୍ତି ଆଧାରରେ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଇ ନଥିଲା। ଏପରି ପରିସ୍ଥିତିରେ ଖାରବେଳ ନଗର ମ୍ୟୁନିସିପାଲ କଲୋନିର ୯୦ଜଣ ବାସିନ୍ଦା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦର୍ଶାଇଥିଲେ‌ ଯେ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଆଧାରରେ ପଦକ୍ଷେପ ନେବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଉ। ଏହା ପୂର୍ବରୁ କଟକରେ ବସ୍ତି ବାସିନ୍ଦା ଥଇଥାନ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଇ ସାରିଛନ୍ତି। ତେଣୁ ସମାନ ପରିସ୍ଥିତିରେ ଥିବା ଆବେଦନକାରୀଙ୍କୁ ଆବଣ୍ଟନ କରାଯାଇଥିବା ଘର ମାଲିକାନା ସତ୍ତ୍ବ ପ୍ରଦାନ ପାଇଁ ବିଏମସିକୁ ନିର୍ଦ୍ଦେଶ ଦେବାରେ କିଛି ବାଧା ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ମାମଲାରେ ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଅର୍ଥ ବିଭାଗ, ରାଜସ୍ବ ବିଭାଗ, ପୌର ପ୍ରଶାସନ ନିର୍ଦ୍ଦେଶକ, ବିଏମସି କମିସନର ଖୋର୍ଦ୍ଧା ଜିଲ୍ଲାପାଳ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର