ଭୁବନେଶ୍ୱର: ବିକଶିତ ହେଉଛି ଭୁବନେଶ୍ୱରର ସହରତଳି ଅଞ୍ଚଳ। ଏଥିପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ୪୫ଟି ଟାଉନ୍ ପ୍ଲାନିଂର ରୂପରେଖ ପ୍ରସ୍ତୁତ ହୋଇଛି। ଜଣାଶୁଣାଣି ପରେ ଏ ଭିତରେ ଟାଉନ ପ୍ଲାନିଂ ୧. ୨, ୩ ଓ ୪ କାମ ଜୋର୍ସୋରରେ ଚାଲିଛି। ଅପରପକ୍ଷେ ଅନ୍ଧାରୁଆ ଓ ଦାସପୁରକୁ ନେଇ ହେଉଥିବା ଟାଉନ ପ୍ଲାନିଂ-୮ର କାମ ଆରମ୍ଭ କରିବାକୁ ଯାଉଛି ବିଡିଏ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରଦାନ ପାଇଁ ନିର୍ମାଣ ଖର୍ଚ୍ଚର ପ୍ରାଥମିକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏଉପରେ ଆଜି କଳିଙ୍ଗବିହାର ବିଡିଏ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଡେପୁଟି କମିସନର(ଟାଉନ ପ୍ଲାନିଂ) ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଏ ପ୍ଲାନିଂ ସଦସ୍ୟ ଲିଆକତ ଅଲ୍ଲୀ, ନିର୍ବାହୀ ଯନ୍ତ୍ରୀ ଅମ୍ବିକା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସୀ ମହାନ୍ତିଙ୍କ ସମେତ ପୂର୍ତ୍ତ ବିଭାଗ, ୱାଟ୍କୋ, ଟିପିସିଓଡିଏଲ ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀମନେ କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ଉପସ୍ଥାପନ କରିଥିଲେ। ଅଧିକାରୀମାନଙ୍କ ରିପୋର୍ଟ ଭିତ୍ତିରେ ଟାଉନ୍ ପ୍ଲାନିଂ-୮ର ଭିତ୍ତିଭୂମି ପ୍ରସ୍ତୁତି ତଥା ନିର୍ମାଣ ଖର୍ଚ୍ଚର ଆଜି ପ୍ରାଥମିକ ବ୍ୟୟ ଅଟକଳର ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ଅନୁମୋଦନ ପରେ ପ୍ରକଳ୍ପ କାମ ଆଗେଇବ।
ସୂଚନାଯୋଗ୍ୟ, ଅନ୍ଧାରୁଆ ଓ ଦାସପୁର ମୌଜାର ୩୬୦୦ ପ୍ଲଟ୍ର ୫୬୦ ଏକର ଜମିରେ ଟାଉନ୍ପ୍ଲାନିଂ-୮ ପ୍ରକଳ୍ପ ହେବ। ଅନ୍ଧାରୁଆର ୨୮୯୨ଟି ପ୍ଲଟ୍ ଓ ଦାସପୁରର ୭୫୩ଟି ପ୍ଲଟ୍ରୁ ଜମି ସଂଗ୍ରହ ପ୍ରକ୍ରିୟାରେ ପ୍ରକଳ୍ପ କାମ ଆରମ୍ଭ ହେବ। ପ୍ରକଳ୍ପରେ ପୂର୍ତ୍ତ ବିଭାଗ ୩୦ ମିଟର ଓ ୬୦ ମିଟର ଚଉଡା ରାସ୍ତା କରିବ। ବିଡିଏ ୯, ୧୨, ୧୫ ଓ ୧୮ ମିଟର ଚଉଡା ରାସ୍ତା କରିବ।