ବାଲିପାଟଣା: ବୁଧବାର ସନ୍ଧ୍ୟାରେ ବାଲିପାଟଣା ନରଦା ବଜାରରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। ନୃଶଂସ ଶଳା ଖଣ୍ଡାରେ ହାଣି ଭିଣୋଇକୁ ହତ୍ୟା କରିଥିଲା। ଏହି ମାମଲାରେ ଅଟକ ଥିବା ଅଭିଯୁକ୍ତ ମିର୍ ସୟଦ୍ ଅଲ୍ଲୀ ଓରଫ ଗୁଟୁକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜି ସକାଳୁ ବାଲିପାଟଣା ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଅଭିଯୁକ୍ତ ଗୁଟୁକୁ ନେଇ ନରଦା ବଜାରରେ ପହଞ୍ଚିଥିଲା। ସାଇଣ୍ଟିଫିକ୍ ଟିମ୍ ହତ୍ୟାକାଣ୍ଡ ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିବା ସହ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା। ସେହିଭଳି ପୁଲିସର ଅନ୍ୟ ଏକ ଟିମ୍ ଅଭିଯୁକ୍ତ ଗୁଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଇଥିଲା। କିଭଳି ସେ ଘରୁ ଖଣ୍ଡା ଆଣି ଆସିଲା, ବଡ଼ ଭାଇ ପାନ ଦୋକାନ ସମ୍ମୁଖରେ କିଭଳି ଭିଣୋଇ ମୁସ୍ତାକିନ୍ଙ୍କୁ ଚୋଟ ପରେ ଚୋଟ ପକାଇଲା ଏବଂ ପରେ ଖଣ୍ଡାକୁ ନେଇ ଦଳ ଗାଡ଼ିଆରେ ପକାଇଲା, ସବୁ ଘଟଣାକୁ ସେ ଡେମୋ ଜରିଆରେ ପ୍ରଦର୍ଶନ କରିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଭଉଣୀକୁ ବିଧବା ସଜାଇବା ଭଳି ଭାଇର ଚରମ ନିଷ୍ପତ୍ତିକୁ ନେଇ ସବୁଠି ଆଲୋଚନା ହେଉଛି। ଶଶୁରଘରେ ମୁରବିପଣିଆ ଦେଖାଇବା ହିଁ ମୃତକ ତଥା ଜୋଇଁ ମୁସ୍ତାକିନ୍ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।
ନରଦାବସ୍ତିର ମିର୍ ରହମତ୍ ଅଲ୍ଲୀଙ୍କ ଝିଅ ମୁସ୍ଲିମା ବିବି ନିମାପଡ଼ା ଥାନା ରେଙ୍ଘୋଲ ଗ୍ରାମର ମୁସ୍ତାକିନ୍ ଅଲ୍ଲୀ(୫୦)ଙ୍କୁ ବିବାହ କରିଥିଲେ। ସେ ବିଭିନ୍ନ କଥାକୁ ନେଇ ଶଶୁରଘରେ ମୁରବିପଣିଆ ଦେଖାଉଥିଲେ। ଏହା ଭିତରେ ସାନ ଶଳା ଗୁଟୁଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ସ୍ତ୍ରୀ ଗୁଟୁଙ୍କୁ ଛାଡ଼ି ପଳାଇବା ସହ କୋର୍ଟରେ କେସ୍ କରିଥିଲେ। ଏହି ମାମଲାର ପରିଚାଳନା ଦାୟିତ୍ବ ନେଇଥିଲେ ଭିଣୋଇ ମୁସ୍ତାକିନ୍। ମାତ୍ର କେସ୍ ସମାଧାନ ହେବା ବିଳମ୍ବ ହେଉଥିଲା ଏବଂ ପ୍ରଚୁର ପଇସା ଖର୍ଚ୍ଚ ହେଉଥିଲା। ଏଥିପାଇଁ ଗୁଟୁ ନିଜ ଭିଣୋଇ ମୁସ୍ତାକିନ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲା। ସେହିଭଳି ବଡ଼ଭାଇ ତୟାବ୍ ସହ ମିଶି ଭିଣୋଇ ମୁସ୍ତାକିନ୍ ପୈତୃକ ଜମିବାଡ଼ି ବିକିବାକୁ ଯୋଜନା କରୁଥିବା ନେଇ ମଧ୍ୟ ଗୁଟୁର ସନ୍ଦେହ ଥିଲା। ତେଣୁ ଶଳା-ଭିଣୋଇଙ୍କ ମଧ୍ୟରେ ବିବାଦ ବଢ଼ିବଢ଼ି ଚାଲିଥିଲା ଏବଂ ପରିଣତିସ୍ବରୂପ ମୁସ୍ତାକିନ୍ଙ୍କ ମୁଣ୍ଡ ଗଡ଼ିଲା।