ପୁଲିସ ହାତରେ ମୋଷ୍ଟ ୱାଂଟେଡ଼ ହାଇପ୍ରୋଫାଇଲ ଠକ; ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ଼ ଠକକୁ ବାନ୍ଧିଲା କମିସନରେଟ ପୁଲିସ । ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୁଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି ଏହି ହାଇପ୍ରୋଫାଇଲ ଠକ ।

ପୁଲିସ ହାତରେ ହାଇପ୍ରୋଫାଇଲ ଠକ । ଠକର ଠକେଇ ଶୁଣି ଚିନ୍ତାରେ କମିସନରେଟ୍ ପୁଲିସ। ନାଁ- ପ୍ରଭାକର ଜେନା । ହଟାକଟା ଦେଖାଯାଉଥିବା ଏହି ବ୍ୟକ୍ତିଙ୍କ ନାମରେ ରହିଛି ୪ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ । ଲୋକଙ୍କ ଝାଳବୁହା ଧନକୁ ସୁଧରେ ଆଣି ଅଧିକ ଦୁଇ ପଇସା ଦେବ କହିଥିଲା ଏହି ୪୨୦ ଠକ । କିନ୍ତୁ ନିଜ ପ୍ରତିଶ୍ରୁତିରେ ଖିଲାପ କରି ଚମ୍ପଟ ହୋଇଯାଇଥିବା ଏହି ଠକକୁ ମଞ୍ଚେଶ୍ୱର ପୁଲିସ ଭୁବନେଶ୍ୱର ସାମନ୍ତରାପୁରରୁ ଗିରଫ କରିଛି ।

କେନ୍ଦ୍ରାପଡା ଆଳି ଅଞ୍ଚଳର ଏହି ଚାଲବାଜ ଠକ ଯୁକ୍ତ ଦୁଇ ପରେ ଚେନ୍ନାଇର ଏକ ବ୍ୟାଗ କମ୍ପାନୀରେ କାମ କରୁଥିଲା । ଧନୀ ହେବା ନିଶାରେ ଚିଟଫଣ୍ଡ କମ୍ପାନୀ ଭଳି ଫର୍ମୁଲା ଆପଣାଇଥିଲା । ଆଉ ଲୋକଙ୍କୁ ଅଧିକ ସୁଧ ଦେବ କହି ଋଣ ଆଣୁଥିଲା । ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଠିକ ସମୟରେ ସୁଧ ଟଙ୍କା ଫେରସ୍ତ କରୁଥିଲା । କିନ୍ତୁ ପରେ ତାର ଅସଲ ଉଦ୍ଦେଶ୍ୟକୁ ସଫଳ କରିବା ଦିଗରେ ବଢିଥିଲା । ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଦେଢ ବର୍ଷ ହେବ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ସମ୍ବନ୍ଧିତ ଖବର