ହୋଟେଲରେ ହାଇପ୍ରୋଫାଇଲ୍‌ ଜୁଆ ଆଡ଼ା: ମାଲିକ, ମଦ ବ୍ୟବସାୟୀ, ବିଲ୍ଡରଙ୍କ ସମେତ ୧୩ ଗିରଫ

ଫିଲ୍ମ ଷ୍ଟାଇଲରେ ଟେବୁଲରେ ଚାଲିଥିଲା ଖେଳ

କୋଲକାତା ଯୁବତୀ ପରଷୁଥିଲେ ମଦ, ଚିକେନ୍‌
୨.୫୩ ଲକ୍ଷ ଟଙ୍କା, ୧୮ ମୋବାଇଲ ଫୋନ୍, କାର ଜବତ

ଭୁବନେଶ୍ବର : କ୍ୟାସିନୋ ଭଳି ଟେବୁଲ୍ ଚାରିକଡ଼େ ବସି ଜୁଆ ଖେଳୁଥିଲେ। କୋଲକାତାରୁ ଆସିଥିବା ସୁନ୍ଦରୀ ତରୁଣୀ ପରଷି ଦେଉଥିଲେ ମଦ, ଚିକେନ୍, ତାସ୍‌, ପ୍ଲାଷ୍ଟିକ୍ କଏନ୍। ରାଜଧାନୀର ଏକ ହୋଟେଲରେ ଏଭଳି ଫିଲ୍ମ ଷ୍ଟାଇଲରେ ଚାଲିଥିବା ଜୁଆ ଆଡ଼ାର ପର୍ଦ୍ଦାଫାସ୍‌ କରିଛି କମିସନରେଟ୍‌ ପୁଲିସ। ଲକ୍ଷ୍ମୀସାଗର ଥାନା ପୁଲିସ, ସ୍ପେସାଲ ସ୍କ୍ବାଡ୍ ଅତର୍କିତ ଚଢ଼ଉ କରି ଏହି ହାଇପ୍ରୋଫାଇଲ୍‌ ଗ୍ୟାଙ୍ଗର ୩ ଯୁବତୀ, ପେଣ୍ଟାଗନ୍ ବାର୍ ଓ ହୋଟେଲ ମାଲିକ ଅରବିନ୍ଦ ମିଶ୍ର ଓରଫ୍ ଅରୁ, ମଦ ବ୍ୟବସାୟୀ ପିଣ୍ଟୁ ମହାନ୍ତି, ବିଲ୍ଡରଙ୍କ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ନଗଦ ୨ଲକ୍ଷ ୫୩ ହଜାର ୬୫୫ ଟଙ୍କା, ୧୮ ମୋବାଇଲ୍ ଫୋନ୍, ଦାମୀ କାର, ତାସ୍‌ ଆଦି ସାମଗ୍ରୀ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ପୁଲିସ ସୂଚନା ଅନୁସାରେ, ରାଜଧାନୀରେ ଏଭଳିଧରଣର ଜୁଆ ଆଡ଼ା ଧରାପଡ଼ିବା ପ୍ରଥମ। ହୁଏତ ହୋଟେଲରେ ଏଭଳି ଖେଳ ଲୁଚାଛପାରେ ଚାଲୁ ଥାଇପାରେ। କିନ୍ତୁ ପ୍ରଥମ ଥର ପାଇଁ ପୁଲିସ ହାତରେ ଧରା ପଡ଼ିଛି ଏଭଳି ହାଇ ପ୍ରୋଫାଇଲ ଗ୍ୟାଙ୍ଗ। କଟକ ରୋଡ୍‌ରେ ଥିବା ପେଣ୍ଟାଗନ୍ ବାର୍ ଓ ହୋଟେଲରେ ୪ ଦିନ ହେଲା ରୁମ୍ ନଂ-୪୧୦, ୪୧୧, ୪୧୨ ବୁକିଂ ହୋଇଥିଲା। ମାଲିକ ଅରବିନ୍ଦ ମିଶ୍ର ଏହି ଜୁଆ ଆଡ଼ାର ଥିଲେ କାର୍ପଟଦାର। ଚାରିଦିନ ଧରି ଖେଳ ଜମୁଥିଲା। ବଡ଼ବଡ଼ ବ୍ୟବସାୟୀ ଆସୁଥିଲେ, ଯାଉଥିଲେ। ଆଜି ସଟଡାଉନ୍ ସତ୍ତ୍ବେ ହୋଟେଲ ସମ୍ମୁଖରେ ୫ରୁ ଅଧିକ କାର୍ ଲାଗିଥିଲା। ସକାଳୁ ଖେଳ ଆରମ୍ଭ ହୋଇଥିଲା। ଜଣେ ବ୍ୟକ୍ତି ଏ ସମ୍ପର୍କରେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଜୋନ୍-୪ ଏସିପି ରଜତ ରାୟ, ଲକ୍ଷ୍ମୀସାଗର ପୁଲିସ, ସହିଦନଗର ଆଇଆଇସି ହିମାଂଶୁ ସ୍ବାଇଁ, ସ୍ପେସାଲ ସ୍କ୍ବାଡ୍ ମିଳିତ ଭାବରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଯାହା ଦେଖିଲେ ତାଜୁବ୍ ହୋଇଯାଇଥିଲେ। କୌଣସି ଫିଲ୍ମ କିମ୍ବା କ୍ୟାସିନୋଠାରୁ ଏହି ଦୃଶ୍ୟ କମ୍ ନ ଥିଲା। ଟେବୁଲ ଚାରିକଡ଼େ ବସି ଜୁଆ ଖେଳୁଥିଲେ। ଏହି ରୢାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରୁଛି ପୁଲିସ।

ରାଜଧାନୀରେ ଆହୁରି ୧୦ରୁ ଅଧିକ ଜାଗାରେ ଚାଲିଛି!
କେବଳ ପେଣ୍ଟାଗନ୍ ହୋଟେଲ ନୁହେଁ, ଆହୁରି ୧୦ରୁ ଅଧିକ ଜାଗାରେ ଜୁଆ ଖେଳ ଚାଲିଥିବା କୁହାଯାଉଛି। ଏକାଧିକ ହୋଟେଲରେ ଖେଳ ଚାଲିବାକୁ ନେଇ ପୁଲିସ ମଧ୍ୟ ସନ୍ଦେହ କରୁଛି। ଏଭଳି ନୂଆଧରଣର ଜୁଆ ଖେଳ ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲକଡାଉନ୍‌ରେ ଅଧିକାଂଶ ବେପାର ମାନ୍ଦା ହୋଇଯାଇଥିବା ବେଳେ ଜୁଆରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଛନ୍ତି ମଦ ବ୍ୟବସାୟୀ, ବିଲ୍ଡର, ଠିକାଦାର। ଅନ୍ୟ କେଉଁ ଜାଗାରେ ଖେଳ ଚାଲିଛି, ତାହା ଉପରେ ପୁଲିସ ନଜର ରଖିବା ସହ ଗୁଇନ୍ଦା ଖବର ସଂଗ୍ରହ କରୁଛି।

ଜଣେ ଯୁବତୀଙ୍କୁ ଦିନକୁ ୫ ହଜାର
କୋଲକାତାରୁ ଭଡ଼ାରେ ଆସିଥିବା ଜଣେ ଯୁବତୀଙ୍କର ଦିନକୁ ଦାମ୍ ୫ହଜାର ଟଙ୍କା। ଖାଇବା, ରହିବା, ଯିବା ଆସିବା ଛାଡ଼ି ଦିନକୁ ୫ହଜାର ଟଙ୍କା ଦିଆଯାଉଥିବା ପୁଲିସ ଜାଣିବାକୁ ପାଇଛି। ଏହି ଯୁବତୀମାନଙ୍କର ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି। ସେମାନେ ପୂର୍ବରୁ ଅନ୍ୟ କେଉଁ କାମ କରୁଥି‌‌ଲେ କି ନାହିଁ, ସେ ସମ୍ପର୍କରେ ଖୋଳତାଡ଼ ଚାଲିଛି। ଆସନ୍ତାକାଲି ସବୁ ତଥ୍ୟ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ବାର୍‌ରୁ ଆସିଥିଲା ଦାମୀ ମଦ
ସଟ୍‌ଡାଉନରେ ବାର୍ ବନ୍ଦ ରହିଥିଲେ ବି ସବୁ ନିୟମକାନୁନକୁ ଦଳି ମକଚି ବାର୍‌ରୁ ଦାମୀ ମଦ ଅଣା ଯାଇଥିଲା। ବାର୍‌ ମାଲିକ ଏହି ଗ୍ୟାଙ୍ଗ ଚଲାଉଥିବାରୁ ସେ ନିଜେ ମଦ ଆଣିଥିବା ପୁଲିସ ଜାଣିବାକୁ ପାଇଛି। ଏପରିକି ଗୋଟିଏ ଗୋଟିଏ ବୋତଲର ଦାମ୍ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ। ଅବକାରୀ ଅଧୀକ୍ଷକଙ୍କୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଚିଠି ଲେଖାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସିସିଟିଭି ଫୁଟେଜ୍‌ ଜବତ
ହୋଟଲର ସିସିଟିଭି ଫୁଟେଜ୍‌କୁ ପୁଲିସ ଜବତ କରିଛି। ଏହି ଜୁଆ ଆଡ଼ାକୁ ୪ଦିନ ହେଲା କେଉଁମାନେ ଆସୁଥିଲେ, ଆଉ କେଉଁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତନାଘନା ଚଳାଇଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ସେମାନଙ୍କ ସମ୍ପର୍କରେ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ତିନି ପତାର ଖେଳ, ପ୍ଲାଷ୍ଟିକ କଏନ୍‌ରେ ଲାଗୁଥିଲା ବାଜି
ଜୁଆ ଖେଳିବାକୁ ଗୋଟିଏ ଟେବୁଲରେ ଚାରିଜଣ ବସୁଥିଲେ। ସେମାନଙ୍କୁ ତାସ ପତା ବଣ୍ଟା ଯାଉଥିଲା। ଏକାସାଙ୍ଗରେ ସମସ୍ତେ ବାଜି ଡାକୁଥିଲେ। ଗୋଟିଏ ପ୍ଲାଷ୍ଟିକ କଏନକୁ ୧ ହଜାର ଟଙ୍କା ହିସାବରେ ଗଣା ଯାଉଥିଲା। ଯିଏ ଯେତେ ଟଙ୍କାର ବାଜି ଡାକୁଥିଲା ସେ ସେହି ଅନୁଯାୟୀ ପ୍ଲାଷ୍ଟିକ କଏନକୁ ଗୋଟିଏ ଜାଗାରେ ରଖୁଥିଲା। ସମସ୍ତଙ୍କ କଏନ୍ ଗୋଟିଏ ଜାଗାରେ ଠୁଳ ହେଉଥିଲା। ଯିଏ ବାଜି ଜିତୁଥିଲା ସିଏ ପ୍ଲାଷ୍ଟିକ କଏନ୍ ହିସାବରେ ଟଙ୍କା ପାଉଥିଲା। ଏକା ରଙ୍ଗ, ଏକା ନମ୍ବରର ୩ଟି କାର୍ଡ, ଯାହାର ମେଳ ଖାଉଥିଲା ସିଏ ବାଜି ଜିତୁଥିଲା।

ସମ୍ବନ୍ଧିତ ଖବର