ନୂଆ ଗାଡ଼ି‌ରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ୍‌, ପୁରୁଣା ଗାଡ଼ିରେ କେବେ?

ଭୁବନେଶ୍ୱର: ଗାଡ଼ିର ନମ୍ବର ପ୍ଲେଟ୍‌ ପରିବର୍ତ୍ତନ କରି ଅପରାଧୀ ଖସି ପାରିବନି। ସରକାରୀ ଟ୍ୟାକ୍ସ ଫାଙ୍କି ଗାଡ଼ି ଚଳାଇ ହେବନି। ସବୁ ନମ୍ବର ପ୍ଲେଟ୍‌ରୁ ହିଁ ଧରାପଡ଼ିଯିବ। ଏଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ରାଜ୍ୟରେ ମେ’ ମାସରୁ ଆରମ୍ଭ ହୋଇଛି। ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି (ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍‌) ବ୍ୟବହୃତ ହେଉଛି। ଲେଜର କୋଡ୍‌ ସହ ଏହାକୁ ସୁରକ୍ଷିତ କରାଯାଇଛି। ଏପ୍ରିଲ ପରଠାରୁ ଯେଉଁ ଗାଡ଼ିଗୁଡ଼ିକ ବିକ୍ରି ହେଉଛି, ସେଥିରେ ଏହି ଏଚ୍‌ଏସ୍‌ଆର୍‌ପି ବାଧ୍ୟତାମୂଳକ ହୋଇଛି। ଗାଡ଼ି ବିକ୍ରି କରୁଥିବା ଡିଲର୍‌ ହିଁ ଗାଡ଼ି ସହ ଏହି ନମ୍ବର ପ୍ଲେଟ୍‌ ‌ଯୋଗାଇ ଦେଉଛି। କେନ୍ଦ୍ରୀୟ ମୋଟର ଯାନ ଆଇନ ବଳରେ ଏପ୍ରିଲ ୧ ତାରିଖରୁ ଏହାକୁ ପୁରୁଣା ଓ ନୂଆ ଗାଡ଼ି ପାଇଁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଓଡ଼ିଶାରେ ମେ’ ୧ ତାରିଖରୁ କେବଳ ନୂଆ ଗାଡ଼ି ପାଇଁ ଏହା କାର୍ଯ୍ୟକ୍ଷମ ହୋଇଛି। ଟେଣ୍ଡରକୁ ନେଇ ମାମଲା ହାଇକୋର୍ଟରେ ଝୁଲିଥିବାରୁ ପୁରୁଣା ଗାଡ଼ିଗୁଡ଼ିକରେ ଏହି ବ୍ୟବସ୍ଥା କେବେ ହେବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଯେଉଁ ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥା କରାଯାଇଥିଲା, ତାହା ଓଡ଼ିଶାରେ ସଫଳ ହୋଇ ପାରୁନାହିଁ।

।କୋର୍ଟରେ ଝୁଲିଛି ମାମଲା
ବାସ୍ତବରେ ଏହି ଏଚ୍‌ଏସ୍‌ଆର୍‌ପି ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର୍‌ କରାଯାଇଥିଲା। ପ୍ରଥମେ ସିଙ୍ଗିଲ ଟେଣ୍ଡର୍‌ ହେବାରୁ ଏହାକୁ ବାତିଲ କରାଯାଇ ଦ୍ବିତୀୟ ପର୍ଯ୍ୟାୟରେ ଟେଣ୍ଡର୍‌ ହୋଇଥିଲା। ଏଥିରେ ଦୁଇଜଣ ଭାଗୀଦାର ଥିଲେ। ଚୟନ ପ୍ରକ୍ରିୟାରେ ଯେଉଁ ଠିକାଦାର ‘ଏଲ୍‌-୨’(ଲେବୁଲ-୨ ବା ଦ୍ବିତୀୟ ସ୍ଥାନ) ହୋଇଥିଲେ ସେ ‘ଏଲ୍‌-୧’(ଲେବୁଲ-୧ବା ପ୍ରଥମ ସ୍ଥାନ) ହେବା ପାଇଁ ଯୋଗ୍ୟ ଦାବି କରି କୋର୍ଟ ଯାଇଥିଲେ। କୋର୍ଟ ଟେଣ୍ଡର ପ୍ରକ୍ରିୟା ଉପରେ ସ୍ଥିତାବସ୍ଥା ଜାରି କରିଥିଲେ, ଯାହା ଏବେ ମଧ୍ୟ ବଳବତ୍ତର ରହିଛି। ଫଳରେ ଭେଣ୍ଡର ସ୍ଥିର ହୋଇ ପାରୁନଥିବାରୁ ପୁରୁଣା ଗାଡ଼ିରେ ଏହି ଏଚ୍‌ଏସ୍‌ଆର୍‌ପି ଲାଗିବା ସମ୍ଭବ ହୋଇପାରୁନାହିଁ।

।କ’ଣ ଏହି ଏଚ୍‌ଏସ୍‌ଆର୍‌ପି
ସାଧାରଣ ନମ୍ବର ପ୍ଲେଟ୍‌ଠାରୁ ଭିନ୍ନ ଏହି ନମ୍ବର ପ୍ଲେଟ୍‌ରେ ଏକ ଲେଜର କୋଡ୍‌ ରହିଛି, ଯାହାକୁ ଲେଜର ଗନ୍‌ ଦ୍ବାରା ପଢ଼ି ହେବ। ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ହେବ। ଏହାର ନକଲ କରିହେବ ନାହିଁ। ଗୋଟିଏ ନମ୍ବର ପ୍ଲେଟ୍‌ ପାଇଁ କୋଡ୍‌ ଗୋଟିଏ ରହିବ। ‘ସ୍ନାପ୍‌ ବୋଲ୍ଟିଂ’ ବ୍ୟବସ୍ଥାରେ ଗାଡ଼ିରେ ଖଞ୍ଜାଯାଉଥିବାରୁ ଏହାକୁ ସୁରକ୍ଷିତ ଖୋଲାଯାଇପାରିବ ନାହିଁ। ଖୋଲିବାକୁ ଉଦ୍ୟମ କଲେ, ତାହା ଭାଙ୍ଗିଯିବ। ମାତ୍ର ଶହେରୁ ଦେଢ଼ଶହ ଟଙ୍କା ଏହି ନମ୍ବର ପ୍ଲେଟ୍‌ ପାଇଁ ପଡ଼ିବ, ଯାହାକୁ ଗାଡ଼ିର ବିକ୍ରେତା ଗାଡ଼ି ଦର ସହ ନେଇଯିବ। ଏହି ପ୍ଲେଟ୍‌ବଳରେ ଗାଡ଼ି ଚୋରି ଓ ଟ୍ୟାକ୍ସ ଫାଙ୍କିବା ରୋକି ହେବ।

।ରାଜ୍ୟ ପାଇଁ ଗୋଟିଏ ଡିଲର୍‌
ଗାଡ଼ିରେ ଲାଗୁଥିବା ଏଚ୍‌ଏସ୍‌ଆର୍‌ପି ଯୋଗାଇଦେବା ପାଇଁ ଓଡ଼ିଶାରେ ଭେଣ୍ଡର୍‌ ନାହାନ୍ତି। କୋଲକତାର ଜଣେ ସ୍ବୀକୃତିପ୍ରାପ୍ତ ଡିଲରଙ୍କଠାରୁ ରାଜ୍ୟର ଗାଡ଼ି ବିକ୍ରେତାମାନେ ଏହି ନମ୍ବର ପ୍ଲେଟ୍‌ ଆଣୁଛନ୍ତି। ଭୁବନେଶ୍ବରରେ ଦୁଇଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଆରଟିଓ-୧ ଅଧୀନରେ ମାସକୁ ୪ହଜାରରୁ ୫ ହଜାର ଗାଡ଼ି ପଞ୍ଜୀକୃତ ହେଉଥିବା ବେ‌ଳେ ଆରଟିଓ-୨ ଅଧୀନରେ ୩ ହଜାରରୁ ସାଢ଼େ ୩ ହଜାର ଗାଡ଼ି ପଞ୍ଜୀକୃତ ହେଉଛି। ଅର୍ଥାତ୍‌ କେବଳ ଭୁବନେଶ୍ବରରେ ମାସକୁ ୭ହଜାରରୁ ଊର୍ଦ୍ଧ୍ବ ଗାଡ଼ି ପଞ୍ଜୀକୃତ ହେଉଛି। ସମଗ୍ର ରାଜ୍ୟର ପଞ୍ଜୀକରଣ ତଥ୍ୟ ହିସାବକୁ ନେଲେ, ସଂଖ୍ୟା ୫୦ ହଜାର ଛୁଇଁପାରେ। ଏହି ସବୁ ଗାଡ଼ି ପାଇଁ ନମ୍ବର ପ୍ଲେଟ୍‌ ଯୋଗାଇବାକୁ ଜଣେ ‌ମାତ୍ର ଭେଣ୍ଡର ରହିଥିବାରୁ ନୂଆ ଗାଡ଼ି ସହିତ ନମ୍ବର ପ୍ଲେଟ୍‌ ଯୋଗାଇବାରେ ଘୋର ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଅଦ୍ୟାବଧି କୌଣସି ସମସ୍ୟା ହୋଇନଥିବା କେତେକ ଗାଡ଼ି ବିକ୍ରେତା କହିଛନ୍ତି।

।‘ଖୁବ୍‌ଶୀଘ୍ର ଅଡୁଆ ତୁଟିବ’
ଏଚ୍‌ଏସ୍‌ଆର୍‌ପି ଯୋଗାଇବାକୁ ନେଇ ଭେଣ୍ଡର୍‌ ବିବାଦ ଖୁବ୍‌ଶୀଘ୍ର ତୁଟିବ। ହାଇକୋର୍ଟରେ ବିଭାଗ ପକ୍ଷରୁ ‘ପାରାୱାଇଜ୍‌ କମେଣ୍ଟ’ ଦାଖଲ ହୋଇସାରିଛି। ବିବାଦ ତୁଟିବା ପରେ ଭେଣ୍ଡର୍‌କୁ ନେଇ ନିଷ୍ପତ୍ତି ହେବ। ପୁରୁଣା ଗାଡ଼ି ପାଇଁ ଏଚ୍‌ଏସ୍‌ଆର୍‌ପି ଯୋଗାଇ ଦେବାକୁ ବିଭିନ୍ନ ଆରଟିଓଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ନିର୍ଦ୍ଧାରିତ ତାରିଖ ଭିତରେ ଗାଡ଼ିମାଲିକମାନେ ଏହି ଏଚ୍‌ଏସ୍‌ଆର୍‌ପି ସଂଗ୍ରହ କରିବେ। ତା’ ପରେ ବିନା ନମ୍ବର ଗାଡ଼ି ବା ପୁରୁଣା ନମ୍ବର ପ୍ଲେଟ୍‌ ଥିବା ଗାଡ଼ି ଧରପଗଡ଼ ହେବ ବୋଲି ଆର୍‌ଟିଓ-୨ ସଞ୍ଜୟ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର