ଭୁବନେଶ୍ବର: ବାତ୍ୟା ଫନି ତ ଯାହା କଲବଲ କଲା। ତା’ ପରର ଅବସ୍ଥା ଏବେ ଯେମିତି ସହିବାର ସବୁ ସୀମା ଟପିଗଲାଣି। ବିଜୁଳି ବିନା ଲୋକେ ଅସହ୍ୟ ଗୁଳିଗୁଳିରେ ଭାଜି ହେଉଛନ୍ତି। ଏଥିସହ ସୂର୍ଯ୍ୟଙ୍କ କୋପ ଲୋକଙ୍କୁ ଯେମିତି ଅସ୍ତବ୍ୟସ୍ତ କରି ପକାଇଲାଣି। ଭୁବନେଶ୍ବରରେ ସ୍ଥିତି ଏମିତି ହେଲାଣି ଯେ ଲୋକେ ଘର ଭିତରେ ରହିପାରୁ ନାହାନ୍ତି କି ବାହାରକୁ ଆସିପାରୁ ନାହାନ୍ତି। ସାରା ରାଜ୍ୟରେ ଏବେ ବି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶା ତତଲା ତାୱାରେ ଭାଜି ହେଉଥିବା ବେଳେ ଆଜି ଉପକୂଳ ବି ତାତିଛି। ବିଶେଷକରି ଭୁବନେଶ୍ବର ତାପମାତ୍ରା ହଠାତ୍ ଚଳିତବର୍ଷର ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ଲାଗି ଏଥର ମେ’ ମାସରେ ଏହି ସହରର ତାପମାତ୍ରା ୩୯ ଡିଗ୍ରି ପାର୍ ହୋଇଛି। ବାତ୍ୟା ସମୟରେ ଏଠାରେ ତାପମାତ୍ରା ୩୦ଡିଗ୍ରି ତଳକୁ ଆସିଥିଲା। ଏହାପରେ ତାପମାତ୍ରା ବଢ଼ିଥିଲେ ମଧ୍ୟ କେବେ ବି ୩୯ ଡିଗ୍ରି ଟପି ନଥିଲା। ସପ୍ତାହେ ହେଲା ଦିନର ସର୍ବୋଚ୍ଚ ତାପମାତ୍ରା ଲଗାତାର ଭାବେ ୩୬ରୁ ୩୯ ଡିଗ୍ରି ଭିତରେ ରହିଥିଲା। ତେବେ ଆଜି ତାହା ୩୯.୪ ଡିଗ୍ରିରେ ପହଞ୍ଚିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ପାରଦ ୪୦ ଡିଗ୍ରି ଆଖପାଖରେ ରହୁଥିଲେ ମଧ୍ୟ ୫୦ଡିଗ୍ରି ଉପରେ ରହିଲା ଭଳି ଅନୁଭୂତ ହେଉଛି। ବାୟୁମଣ୍ଡଳରେ ଆର୍ଦ୍ରତା ବି କମ୍ ରହୁଛି। ତେଣୁ ଗୁଳୁଗୁଳି ଅନୁଭୂତ ହେଉଛି।
ସହରର ସବୁ ଅଞ୍ଚଳରେ ଏ ପର୍ଯ୍ୟନ୍ତ ବିଜୁଳି ପହଞ୍ଚିପାରି ନାହିଁ। ଉପକଣ୍ଠ ସମେତ କେତେକ ସ୍ଥାନରେ ଲାଇନ୍ ନ ଥିବାରୁ ଲୋକେ ତାତିରେ ଡହଳବିକଳ ହେଉଛନ୍ତି। ଘର ଭିତରେ ରହିବା କାଠିକର ହୋଇପଡ଼ୁଛି। ଫ୍ୟାନ୍ ଚାଲୁନି କି ଏସି କାମ କରୁନି। ତେଣୁ କିଛି ଲୋକଙ୍କ ଲାଗି ବିଞ୍ଚଣା ଭରସା ପାଲଟିଛି। ଯେଉଁ ଅଞ୍ଚଳରେ ବିଜୁଳି ସଂଯୋଗ ସମ୍ଭବପର ହୋଇଛି, ସେଠାରେ ପାୱାର କଟ୍ ବି ଲୋକଙ୍କ ଆଖିରୁ ପାଣି ବାହାର କରିଦେଉଛି। ଦିନ ସମୟରେ ସହରର ଅଧିକାଂଶ ସ୍ଥାନରେ ବିଜୁଳି ଯୋଗାଣ ହେଉ ନଥିବାରୁ ଲୋକଙ୍କୁ ନାକେଦମ ହେବାକୁ ପଡ଼ୁଛି। ସହର ଉପକଣ୍ଠରେ ତ ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିପାରିନି। ପୂର୍ବ ଭଳି ରାସ୍ତା ଉପରେ ଗଛ ପଡ଼ିଛି। ବିଦ୍ୟୁତ୍ ଖୁଣ୍ଟ ଉଠିପାରିନି। ବାଲିଅନ୍ତା, ଜଟଣୀ ସମେତ ଭୁବନେଶ୍ବର ବ୍ଲକର ଅଧିକାଂଶ ପଞ୍ଚାୟତରେ ଏଭଳି ଅବସ୍ଥା ଲାଗି ରହିଛି। ଯାହାକି ତାତିର ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଇଯାଇଛି। ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪ ଜଣ ବ୍ୟକ୍ତି ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବଡ଼ କଥା ହେଉଛି ଯେ ବସ୍ତିବାସିନ୍ଦା ତଥା ଭଙ୍ଗା ଘରେ ଦିନ କାଟୁଥିବା ଲୋକଙ୍କ ଅବସ୍ଥା ଏବେ ନ କହିବା ଭଲ। ବିଜୁଳି, ଫ୍ୟାନ୍ କଥା ଦୂରରେ ଥାଉ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ବି ନାହିଁ। ଗଛ ବି ସାହାରା ଯୋଗାଇ ପାରୁନି। ସୂର୍ଯ୍ୟଙ୍କ କୋପ ସିଧାସଳଖ ଲୋକଙ୍କ ଘର ଭିତରେ ପଡ଼ୁଛି। ସରକାରଙ୍କ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ବି ତାତି ଅଟକାଇବାରେ ସକ୍ଷମ ହୋଇପାରୁନି। ଆଗକୁ ଆହୁରି ତାତି ବଢ଼ିବ। ଆସନ୍ତାକାଲି ମଧ୍ୟ ୩୯ ଡିଗ୍ରି ରହିବ। ୧୭ ତାରିଖ ବେଳକୁ ୪୦ ଡିଗ୍ରି ଟପିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-13-9.jpg)