ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ତଦନ୍ତର ସ୍ଥିତି ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତର ସ୍ଥିତି ନେଇ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ତଦନ୍ତର କେଉଁ ସ୍ଥିତିରେ ରହିଛି ସେ ନେଇ ଆସନ୍ତା ୩୦ ତାରିଖ ଦିନ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନ‌ିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ଆବେଦନରେ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଉ ବୋଲି ଦର୍ଶାଯାଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଭୁବନେଶ୍ବରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ନେଇ ଏତଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ବିଭାଗ କର୍ମଚାରୀଙ୍କ ସହିତ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ସଂପୃକ୍ତ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ କମିସନରେଟ୍ ପୁଲିସ ତଦନ୍ତ ସନ୍ତୋଷଜନକ ନୁହେଁ। ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବା ବେଳେ ଏବେ ରାଜନୈତିକ ରଂଙ୍ଗ ମଧ୍ୟ ଏହାକୁ ଦିଆଯାଉଥିବା ଅଭିଯୋଗ ହେଉଛି। ତଦନ୍ତକୁ ପ୍ରଭାବିତ କରିବାକୁ ଓ ବାଟବଣା କରିବାକୁ ଉଦ୍ୟମ ହେଉଛି। ଏଭଳି ସ୍ଥିତିରେ କମିସନରେଟ ପୁଲିସର ସ୍ବତନ୍ତ୍ର ଦଳ ଘଟଣାର ଉପଯୁକ୍ତ ତଦନ୍ତ କରିବା ଭଳି ଆଶା ନାହିଁ। ଏହି ଘଟଣାର ତଦନ୍ତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ପ୍ରଦାନ କରାଯାଉ। ନଚେତ ସବିଆଇ ଭଳି ସ୍ବାଧୀନ ଏଜେନ୍ସକୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ବର ଡିସିପି ଓ ମହିଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର