ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ଶାଖା ଓ ଶ୍ରୀସତ୍ୟସାଇ ସେବା ସଙ୍ଗଠନର ମିଳିତ ସହଯୋଗରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ କେବଳ ଚାରାଟିଏ ପୋତିଦେଲେ ହେବ ନାହିଁ, ବରଂ ତାହାକୁ ବୃକ୍ଷରେ ରୂପାନ୍ତରିତ କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅଭିଯାନରେ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାରା ରାଜ୍ୟରେ ୫ ଲକ୍ଷ ଚାରାରୋପଣ କରାଯିବ।
ଏକାମ୍ର ବିଧାୟକ ବାବୁ ସିଂହ, ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ଶ୍ରୀସତ୍ୟସାଇ ସେବା ସଙ୍ଗଠନର ରାଜ୍ୟ ସଭାପତି ସତ୍ୟସ୍ୱରୂପ ପଟ୍ଟନାୟକ, ରାଜ୍ୟ ଏନ୍ଏସ୍ଏସ୍ ତଥା ଉଚ୍ଚଶିକ୍ଷା ବିଭାଗ ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଂପ୍ରୀତ୍ ପଣ୍ଡା ଧନ୍ୟବାଦ ଦେଇଥିଲେ। ଶୁଭ୍ରାଂଶୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଜଧାନୀର ୧୪ଟି ମହାବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଏକ ମାନବଶୃଙ୍ଖଳ କରାଯାଇଥିଲା।