ଭୁବନେଶ୍ବର: ଓଡ଼ିଶାର ଉଚ୍ଚଶିକ୍ଷାର ଭବିଷ୍ୟତ କେବଳ ଭିତ୍ତିଭୂମି କିମ୍ବା ମାନ୍ୟତା ଉପରେ ନୁହେଁ, ବରଂ ଏହାର ଶିକ୍ଷକମାନଙ୍କୁ ସମ୍ବଳ, ସ୍ୱୀକୃତି ଓ ଶିକ୍ଷାଗତ ସ୍ୱାଧୀନତାରେ ସଶକ୍ତ କରିବା ଉପରେ ନିର୍ଭର କରିଥାଏ ବୋଲି ‘ଓଡ଼ିଶାର ଉଚ୍ଚଶିକ୍ଷା ଦୃଶ୍ୟପଟ୍ଟ ୨୦୩୬: ଆହ୍ବାନ, ସୁଯୋଗ ଓ ରଣନୀତିକ ହସ୍ତକ୍ଷେପ’ ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ୟୁୟୁଟିଏ) ଓ ଅଖିଳ ଓଡ଼ିଶା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ(ଏଓଟିଏ) ସହଯୋଗରେ ବାଣୀବିହାର ପିଜି କାଉନସିଲ ହଲ୍‌ରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଯୋଗଦେଇ ଉଚ୍ଚଶିକ୍ଷାର ମେରୁଦଣ୍ଡ ଭାବେ ପରିଚିତ ମହାବିଦ୍ୟାଳୟର ଶିକ୍ଷକମାନେ ଗବେଷଣାରେ ସମାନ ସୁବିଧା ସୁଯୋଗ ପାଇବା ଉଚିତ ବୋଲି କହିଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଭାରତର ଶିକ୍ଷା ବ୍ୟବସ୍ଥାର ସ୍ତମ୍ଭ ଭାବରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତି ଦକ୍ଷ ଶିକ୍ଷକଙ୍କ ବିନା କୌଣସି ବିନିଯୋଗ ସଫଳ ହୋଇପାରିବ ନାହିଁ ବୋଲି କହିଥିଲେ।

Advertisment

ୟୁୟୁଟିଏ ସଭାପତି ପ୍ରଫେସର ପ୍ରସନ୍ନ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ପ୍ରଫେସର ମନୋରଞ୍ଜନ ମିଶ୍ର ସଙ୍ଗଠନ ସମ୍ପର୍କରେ, ପ୍ରଫେସର ପ୍ରିୟରଞ୍ଜନ ଦାଶ ଅତିଥି ପରିଚୟ ଓ ପ୍ରଫେସର ଉମାକାନ୍ତ ମିଶ୍ର ସମ୍ମିଳନୀ ପାଇଁ ବିଚାରବିମର୍ଶ ପ୍ରସ୍ତୁତ କରିଥିଲେ। ଏଥିରେ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ର କାର୍ଯ୍ୟାନ୍ୱୟନ, ବିଶ୍ୱବିଦ୍ୟାଳୟ-ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ, ଷ୍ଟାର୍ଟଅପ୍ ଇନ୍‌କ୍ୟୁବେସନ୍‌ ସେଣ୍ଟର ପ୍ରତିଷ୍ଠା, ଗବେଷଣା ଓ ବିକାଶର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀର ନିର୍ଯ୍ୟାସ ଏନ୍ଆଇଆର୍‌ଏଫ‍୍ରେ ଓଡ଼ିଶାର ସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ବକ୍ତାମାନେ କହିଥିଲେ। ପ୍ରଫେସର ଶିବ ଶଙ୍କର ମହାନ୍ତି ଧନ୍ୟବାଦ ଦେଇଥିଲେ।