ଖଣ୍ଡଗିରି ମେଳାରେ ଉଚ୍ଚଶିକ୍ଷିତ ସାଧୁସନ୍ଥ : ଇଂଜିନିୟର, ଡାକ୍ତର ସହିତ ଅଛନ୍ତି ଏମ୍‌ବିଏ ଡିଗ୍ରିଧାରୀ

ସିଦ୍ଧି ପାଇଁ ବହୁରାଷ୍ଟ୍ରୀୟ କମ୍ପାନିର ବଡ଼ ଚାକିରି ବି ଛାଡ଼ିଛନ୍ତି

ଖଣ୍ଡଗିରି : ବିଜ୍ଞାନରେ ସ୍ନାତକ ସହିତ ଆର୍ୟୁବେଦରେ ଏମ୍‌ଡି। ମଧ୍ୟପ୍ରଦେଶ ସ୍ଥିତ ଏକ ଗାଁର ଜମିଦାର ପରିବାରର ପୁଅ। ଯୌବନବେଳେ ନିଜ ଗୁଣ୍ଡା ପ୍ରକୃତି ଯୋଗୁଁ ପରିବାରକୁ ଦିନେ ଅଥୟ କରିଦେଇଥିବା ବ୍ୟକ୍ତି ମୋକ୍ଷ ସନ୍ଧାନରେ ନାଗା ସାଧୁ ପାଲଟି ଯାଇଇଛନ୍ତି। ସେ ହେଲେ ମହନ୍ତ ମୋହନଗିରିର ନାଗା ସନ୍ନ୍ୟାସୀ(୭୦)। ଏମ୍‌ବିଏ ପାଠ ପଢ଼ି ହାଇଦ୍ରାବାଦସ୍ଥିତ ବହୁରାଷ୍ଟ୍ରୀୟ କମ୍ପାନିରେ କାର୍ଯ୍ୟ କରି ମାସିକ ଏକ ଲକ୍ଷ ଟଙ୍କା ଦରମାର ଚାକିରି କରୁଥିଲେ। ତେବେ ହଠାତ୍ ଚାକିରି, ସ୍ତ୍ରୀ, ୨ ପୁଅଙ୍କୁ ଛାଡ଼ି ସନ୍ନ୍ୟାସ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ କାଳକ୍ରମେ ନାଗା ସନ୍ନ୍ୟାସୀ ପାଲଟି ଯାଇଥିଲେ।

ଅମର ଯୋଗ ସାଧକ

ଆଉ ଜଣେ ବାବା ହେଉଛନ୍ତି ଭୁବନେଶ୍ବରର ଅମର(୪୦)। ସ୍ବଚ୍ଛଳ ଚାଷୀ ପରିବାରର ପୁଅ, ୧୯୮୫ ମସିହାର ଇଂଜିନିୟରିଂ ଡିପ୍ଲୋମାଧାରୀ। ଏବେ କିନ୍ତୁ ସେ ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ଭୈରବକୁଣ୍ଡର ଅଗ୍ନିହୋତ୍ରୀ ଭୈରବାନନ୍ଦ ଭାବରେ ଜଣାଶୁଣା। ସେମାନଙ୍କ ସହିତ ଦିନତମାମ ଛିଡ଼ା ହୋଇ ରହୁଥିବା କାଶୀର ଷ୍ଟାଣ୍ଡିଂ ବାବା, ଦେହରେ ପାଉଁଶ ବୋଳି ହୋଇଥିବା ବମବମପୁରୀ ବାବା, ମହନ୍ତ ପ୍ରହଲ୍ଲାଦ ସମେତ କାହିଁରେ କେତେ ବାବା, ସନ୍ନ୍ୟାସୀ ମାଘ ମେଳା ଅବସରରେ ଖଣ୍ଡଗିରିକୁ ଛୁଟି ଆସିଛନ୍ତି। କୌପୀନ ପିନ୍ଧି, ଜଟାମାଳ ଧାରଣ କରି ହାତରେ ତ୍ରିଶୂଳ, ଡମ୍ବରୁ ଧରି ଖଣ୍ଡଗିରି ପାହାଡ଼ରେ ଯଜ୍ଞ କରୁଛନ୍ତି। ଆସିଥିବା ପ୍ରତ୍ୟେକ ସାଧୁଙ୍କ ନିଆରା କାହାଣୀ ରହିଛି। ଯାହାକି ଭାରତର ଧାର୍ମିକ ସଂସ୍କୃତିର ଏକ ଚିତ୍ର ପ୍ରଦର୍ଶିତ କରୁଛି। ଏମାନେ କେବଳ ଭଗବାନଙ୍କ ବିଷୟରେ କହୁ ନାହାନ୍ତି ରାଜ୍ୟ, କେନ୍ଦ୍ର ସରକାରଙ୍କ ନୀତି ବିଷୟରେ ବି ଆଲୋଚନା କରିପାରୁଛନ୍ତି। ଘରର କଥା ପଚାରିଲେ ସାଧୁର କୌଣସି ଠିକଣା ନଥାଏ କହନ୍ତି କିନ୍ତୁ ମୋବାଇଲ, ଇଣ୍ଟରନେଟଠାରୁ ଦୂରେଇ ଯାଇ ନାହାନ୍ତି।

ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀ କହନ୍ତି, ସେ ଖୁବ ଦୁଷ୍ଟ ଥିଲେ, ଅଚାନକ ତାଙ୍କ ବାପା ଜଣେ ନାଗା ସାଧୁଙ୍କ ସହିତ ତାଙ୍କୁ ଭେଟ କରାଇ ଦେଇଥିଲେ। ସେଦିନ କଣ ହେଲା କେଜାଣି ବୈରାଗ୍ୟ ଭାବ ହେଲା, ତାଙ୍କ ସହିତ ଯେଉଁ ଚାଲି ଆସିଲେ ଆଉ ଘରକୁ ଫେରି ନାହାନ୍ତି। ରିଦ୍ଧି, ସିଦ୍ଧି ପ୍ରାପ୍ତି ପାଇଁ ସାଧନା କଲେ। ଦିନଦିନ ଧରି ନ ଖାଇ ଗୁମ୍ଫାରେ ରହନ୍ତି, ଜଙ୍ଗଲରେ ବୁଲିଛନ୍ତି, ବରଫରେ କିଲୋମିଟର-କିଲୋମିଟର ଚାଲିଛନ୍ତି। ନାଗା ସାଧୁଙ୍କ ମଧ୍ୟରେ ବର୍ତ୍ତମାନ ସେ ଜମାତିଆ ମହନ୍ତର ଆଖ୍ୟା ପାଇଛନ୍ତି। ମଝିମଝିରେ ଓଡ଼ିଶା ଆସି ମଣ୍ଡଳ ଗଠନ କରୁଛନ୍ତି। ଏଠାରେ କିଛି ବ୍ୟକ୍ତି ମଣ୍ଡଳେଶ୍ବରୀ କହୁଛନ୍ତି। ଜୀବନରେ କୌଣସି ସମସ୍ୟା ହେଲେ ଚିକିତ୍ସା ଠାରୁ କୃଷି ଯାହା ପଚାରିଲେ ସେ ଉପଯୁକ୍ତ ମାର୍ଗ ଦେଖାଇ ପାରିବେ। ଏଥିପାଇଁ ଇଟାଲି, ବ୍ରିଟେନ, ଅଷ୍ଟ୍ରେଲିଆରେ ତାଙ୍କ ଶିଷ୍ୟ ଥିବା ମହନ୍ତ କହନ୍ତି।

ବାବା ମହନ୍ତ ପ୍ରହ୍ଲାଦ

ଖଣ୍ଡଗିରି ପାହାଡ଼ରେ ଦୋଳି ସହାୟତାରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିବା ଷ୍ଟାଣ୍ଡିଂ ବାବା ବା ମହନ୍ତ ନାଗା ଚନ୍ଦନ ଗିରି କହନ୍ତି ଉତ୍ତରପ୍ରଦେଶର ଚିତ୍ରକୂଟରେ ତାଙ୍କ ଜନ୍ମ। ଜନ୍ମ ସମୟରୁ ମା’ଙ୍କ ଦେହାନ୍ତ ହୋଇଛି, ଚତୁର୍ଥ ଶ୍ରେଣୀ ପଢୁଥିବା ବେଳେ ବାପା ଚାଲିଗଲେ। ସପ୍ତମ ଶ୍ରେଣୀରୁ ପାଠ ଛାଡ଼ିବାକୁ ପଡ଼ିଲା, ସେହି ଅବସରରେ କେତେବେଳେ ବୈରାଗ୍ୟ ଭାବନା ଆସିଲା, ନାଗା ସାଧୁଙ୍କ ମେଳକୁ ଚାଲିଗଲେ। ଏହାପରେ ପରିବାର ପକ୍ଷରୁ ତାଙ୍କର ପିଣ୍ଡଦାନ କରିଦିଆଯାଇ ଥିଲା। ପ୍ରେମ ଯେମିତି କେତେବେଳେ ହୁଏ ଜଣାପଡ଼େନି, ପ୍ରେମରେ ପଡ଼ିଥିବା ବ୍ୟକ୍ତି ସବୁ କିଛି ଭୁଲି ଯାଏ ସେହିଭଳି ବୈରାଗ୍ୟ ଆସିଥିବା ମୁହୂର୍ତ୍ତ ବିଷୟରେ ବର୍ଣ୍ଣନା କରିବା କଷ୍ଟକର। ତାଙ୍କ ଗୁରୁ ପାୟଲଟ ବାବାଙ୍କ ଦେଶ, ବିଦେଶରେ ଅନେକ ନାମଡାକ ରହିଛି। ଭକ୍ତମାନେ ମୋଟା ଅଙ୍କର ପ୍ରାପ୍ୟ ଦେଇ ତାଙ୍କୁ ଆମନ୍ତ୍ରଣ କରୁଥିବା ଷ୍ଟାଣ୍ଡିଂ ବାବା କହନ୍ତି। କାଶୀରେ ଅବସ୍ଥାନ କରୁଥିବା ହରିଆଣା ନିବାସୀ ମହନ୍ତ ପ୍ରହଲ୍ଲାଦଙ୍କ ପିତା ଅଢତିଆ ଥିଲେ। ୩୦ ବର୍ଷରେ ବୈରାଗ୍ୟ ଜାଗ୍ରତ ହେବାରୁ ସାଧୁ ହୋଇଯାଇଥିବା କହନ୍ତି ସେ। ପ୍ରଥମ ଥର ପାଇଁ ସେ ଖଣ୍ଡଗିରି ମେଳାକୁ ଆସିଥିବା କହନ୍ତି। ମୟୂରଭଞ୍ଜର ଇଂଜିନିୟର ବାବା ଅଗ୍ନିହୋତ୍ରୀ ଭୈରବାକୁଣ୍ଡ, ଯଜ୍ଞରେ ଅଗ୍ନି ସଂଯୋଗ ପାଇଁ ଦିଆସିଲିର ବ୍ୟବହାର କରନ୍ତି ନାହିଁ। ଯବକାଚ ଜରିଆରେ ସୂର୍ଯ୍ୟ ଆଲୋକରୁ ନିଆଁ ସଂଯୋଗ କରନ୍ତି, ଯାହା ତାଙ୍କୁ ଅନ୍ୟଠୁ ଅଲଗା କରିଦିଏ।

ରାଜାପୁତ୍ରରୁ ସନ୍ନ୍ୟାସୀ: ମହାପୁରୁଷ ଅରକ୍ଷିତ ଦାସ

ଖଣ୍ଡଗିରି : ଇତିହାସ କହେ, ରାଜପୁତ୍ରରୁ ସନ୍ନ୍ୟାସୀ ହୋଇଥିଲେ ଗୌତମବୁଦ୍ଧ। ସେହିଭଳି ଆଉ ଜଣେ ଥିଲେ ମହାପୁରୁଷ ଅରକ୍ଷିତ ଦାସ। ଏ ନେଇ କିଛି ବିଧିବଦ୍ଧ ଇତିହାସ ନ ଥିଲେ ମଧ୍ୟ ଖଣ୍ଡଗିରି କୁମ୍ଭମେଳାକୁ ନେଇ ରହିଥିବା ଅନେକ କିଂବଦନ୍ତି ମଧ୍ୟରୁ ଏହା ‌ଲୋକମୁଖରେ ଏଯାଏ ପ୍ରଚାର ହୋଇ ଆସୁଛି, ଯାହା ଖୁବ୍‌ ବିଶ୍ବାସଯୋଗ୍ୟ ମନେ ହୁଏ। ମହିମଣ୍ଡଳ ଗୀତା ଲେଖିଥିବା ଏହି ମହାପୁରୁଷଙ୍କୁ ଏବେବି ସାଧୁସନ୍ଥ ଅତି ଶ୍ରଦ୍ଧାର ସହ ସ୍ମରଣ କରନ୍ତି। ଅରକ୍ଷିତ ଦାସ ପାଦୁକାଶ୍ରମର ପୂଜକ ନବକିଶୋର ଦାସ କହନ୍ତି, ପ୍ରାୟ ୩୦୦ ବର୍ଷ ତଳର କଥା, ଦିଗପହଣ୍ଡି ରାଜାଙ୍କ ପୁଅ ଅରକ୍ଷିତ ମାତ୍ର ୧୮ ବର୍ଷ ବୟସରେ ସିଦ୍ଧଗିରିକୁ ଆସିଥିଲେ ତପସ୍ୟା ପାଇଁ। ୭୫୨ଟି ଯାକ ଗୁମ୍ଫାରେ ସାଧୁମାନେ ତପସ୍ୟା କରୁଥିଲେ। ତେଣୁ ଖାଲି ପଡ଼ିଥିବା ଅନନ୍ତ ଗୁମ୍ଫାକୁ ଆସି ସେ ତପସ୍ୟା ଆରମ୍ଭ କଲେ। ଏହି ସମୟରେ ସେ ‘ମହିମଣ୍ଡଳ ଗୀତା’ର ୩୪ ଅଧ୍ୟାୟ ଲେଖିଥିଲେ। ଏହାପରେ ତାଙ୍କୁ ଓଳାସୁଣୀ (ବର୍ତ୍ତମାନର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ)କୁ ଯିବାକୁ ନିର୍ଦେଶ ହେଲା। ଏହାପରେ ସେ ମହିମଣ୍ଡଳ ଗୀତାର ସମୁଦାୟ ୯୩ ଅଧ୍ୟାୟ ଲେଖିଲେ। ଏଥିସହିତ ଆହୁରି ଅନେକ ପୋଥି ଲେଖିଥିଲେ। ସେଠାରେ ସାଧନା କରୁଥିବା ବେଳେ ୪୮ ବର୍ଷ ବୟସରେ ସେ ଦେହତ୍ୟାଗ କରିଥିଲେ। ତେବେ ସିଦ୍ଧଗିରି ସ୍ଥିତ ଅନନ୍ତ ଗୁମ୍ଫାରେ ତାଙ୍କ ପାଦୁକା ସହିତ ଅନେକ ପୋଥି ଛାଡ଼ି ଦେଇଗଲେ। ପରେ ଅରକ୍ଷିତ ଦାସଙ୍କ ସ୍ମୃତିରେ ପାଦୁକାଶ୍ରମ ତିଆରି କରାଗଲା।

ସମ୍ବନ୍ଧିତ ଖବର