ଜଳୁ ଜଳୁ ଅଳ୍ପକେ ବର୍ତିଗଲା ହାଇଓ୍ଵା

ଖଣ୍ଡଗିରି: ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାରଠାରେ ଏକ ହାଇଓ୍ଵାରେ ନିଅାଁ ଲାଗିଯାଇଥିଲା। କିନ୍ତୁ ବଡ଼ ଧରଣର କ୍ଷତି ଘଟିବା ପୂର୍ବରୁ ଦମକଳ ବାହିନୀ ନିଅାଁକୁ ଆୟତ୍ତ କରି ନେଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଅଟକି ରହିଥିବା ଏହି ଗାଡ଼ିର ଷ୍ଟେପିନ୍‌ରେ କେହି ଦୁର୍ବୃତ୍ତ ନିଅାଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
ସୂଚନାନୁସାରେ ଭୁବନେଶ୍ୱରରୁ ଖୋର୍ଧା ଅଭିମୁଖେ ଯାଉଥିବା ଏକ ହାଇଓ୍ଵା(ଓଡି୦୫ଓ୍ଵାଇ- ୦୪୩୪) ଯାଁଳା ବଜାରର ଓଭରବ୍ରିଜ୍‌ ଉପରେ ପହଞ୍ଚିଥିବାବେଳେ ପଛ ଚକା ପଙ୍କଚର୍‌ ହୋଇ ଯାଇଥିଲା। ଡ୍ରାଇଭର ଗାଡ଼ିକୁ ସେହିଠାରେ ଅଟକାଇ ଚକା ଖୋଲି ମରାମତି କରିବାକୁ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ହେଲ୍‌ପର ନଥିବା ଏହି ଗାଡ଼ିଟି ସେମିତି ରାଜପଥ ଉପରେ ଅଟକି ରହିଥିଲା। ହଠାତ୍‌ ଲୋକେ ଦେଖିଲେ ଗାଡ଼ିରେ ନିଅାଁ ଲାଗି ଯାଇଛି। ଷ୍ଟେପିନ୍‌ଟି ହୁତ୍‌ହୁତ୍‌ ହୋଇ ଜଳୁଥିଲା ଓ ଇଂଜିନ୍‌ ପାଖକୁ ନିଅାଁ ଧରିବାକୁ ଯାଉଥିଲା। ତୁରନ୍ତ ଦମକଳ ବାହିନୀ ଓ ସ୍ଥାନୀୟ ଫାଣ୍ଡିକୁ ଲୋକେ ଖବର ଜଣାଇଥିଲେ। ଏତିକିବେଳେ ରାଜପଥରେ ଲାଗିଥିବା ଗଛମାନଙ୍କରେ ପାଣି ଦେଉଥିବା ଟ୍ୟାଙ୍କର ସେଠାରେ ପହଞ୍ଚି ଯାଇଥିଲା। ଜଟଣୀରୁ ଦମକଳ ଗାଡ଼ି ମଧ୍ୟ କିଛି ମିନିଟ୍‌ରେ ପହଞ୍ଚି ଯାଇଥିଲା। ଫଳରେ ଖୁବ୍‌ ଶୀଘ୍ର ନିଅାଁକୁ ଆୟତ୍ତ କରାଯାଇପାରିଥିଲା। ଡ୍ରାଇଭର ନଥିବାବେଳେ ପୁଣି ଇଂଜିନ୍‌ ବନ୍ଦ ଥିବା ଅବସ୍ଥାରେ ଷ୍ଟେପିନ୍‌ରେ ନିଅାଁ ଲାଗିଥିବାରୁ କେହି ଦୁର୍ବୃତ୍ତ ଏଭଳି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର