ଟ୍ରଲର୍‌ ପଛରେ ପିଟିହେଲା ହାଇଓ୍ଵା, ଡ୍ରାଇଭର୍‌ ମୃତ

ଖଣ୍ଡଗିରି: ମଙ୍ଗଳବାର ରାତି ପ୍ରାୟ ସାଢ଼େ ୩ଟାରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍‌ରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଡ୍ରାଇଭ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଗୋଡ଼ିମଡ଼ା ଗାଁର ସରୋଜକାନ୍ତ ପ୍ରଧାନ(୩୫)। ପୁଲିସ ସୂଚନାନୁସାରେ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଏକ ଲୁହା ପାଇପ୍‌ ବୋଝେଇ ଟ୍ରଲର୍‌(ଓଆର୍‌-୦୨ ବିଏଫ୍‌-୫୨୯୮) ଆଇଗିଣିଆ ଓଭରବ୍ରିଜ୍‌ ଉପରେ ଅଟକିଥିଲା। ଟ୍ରଲର୍‌ର ଡ୍ରାଇଭର ରଞ୍ଜିତ ରାଉତରାୟ ଗାଡ଼ିରେ ବସିଥିବାବେଳେ ହେଲ୍‌ପର୍‌ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟରେ ପଛରୁ ଦ୍ରୁତବେଗରେ ଆସୁଥିବା ଏକ ହାଇଓ୍ଵା(ଓଡି୦୨ଏଟି-୬୧୧୧) ଟ୍ରଲର୍‌ ପଛରେ ପିଟି ହୋଇଯାଇଥିଲା। ଧକ୍କା ଏତେ ଜୋର୍‌ ଥିଲା ଯେ ହାଇଓ୍ଵାର କ୍ୟାବିନ୍‌ ଚୂରମାର ହୋଇଯାଇଥିଲା ଓ ଡ୍ରାଇଭର୍‌ ସରୋଜକାନ୍ତ ଭିତରେ ଚାପି ହୋଇରହିବା ସହ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। କିନ୍ତୁ ସେହି ସମୟରେ ହାଇଓ୍ଵା ଚଳାଉଥିବା ଅନ୍ୟ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲା। ଅପରପକ୍ଷେ ଟ୍ରଲର୍‌ରୁ ଲମ୍ବା ଲୁହା ପାଇପ୍‌ଗୁଡ଼ିକ ବିଛାଡ଼ି ହୋଇ ତଳେ ପଡ଼ିଥିଲା ଓ ଡ୍ରାଇଭର ରଞ୍ଜିତ କ୍ୟାବିନ୍‌ ଭିତରେ ପିଟି ହୋଇ ଗୁରୁତରଭାବେ ଆହତ ହୋଇଥିଲେ। ସୌଭାଗ୍ୟକୁ ସେହି ସମୟରେ ରାଜପଥରେ ଅନ୍ୟ ଗାଡ଼ି ନଥିବାରୁ ଲମ୍ବା ଲୁହା ପାଇପ୍‌ ଯୋଗୁଁ ଆଉ ଦୁର୍ଘଟଣା ଘଟି ନଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ଵା ଭିତରୁ ମୃତ ସରୋଜଙ୍କୁ ବାହାର କରିଥିଲେ।

ସମ୍ବନ୍ଧିତ ଖବର