ଚନ୍ଦ୍ରଶେଖରପୁର: ଆଜି ଥିଲା ଶନିବାର। ସକାଳୁଆ ସ୍କୁଲ। ଦୁଇ ସାଙ୍ଗ ଖୁସିରେ ବ୍ୟାଗ୍ ଧରି ବାହାରିଥିଲେ ପାଠପଢ଼ି। କିଛି ସମୟ ପରେ ପହଞ୍ଚିଥାନ୍ତେ ସ୍କୁଲରେ। ହେଲେ ବେପରୁଆ ଗାଡ଼ି ଚାଳକ ଉଜାଡ଼ି ଦେଲା ଉଭୟଙ୍କ ସୁନେଲି ଭବିଷ୍ୟତ। ମୃତ୍ୟୁ ମୁଖରୁ ତ ବର୍ତ୍ତି ଗଲେ, ହେଲେ ଜଣେ ସାରା ଜୀବନ ପାଇଁ ପଙ୍ଗୁ ହୋଇଗଲା, ଆଉ ଜଣଙ୍କ ଅବସ୍ଥା ସଙ୍ଗିନ। ସେମାନେ ହେଲେ ପଟିଆ ଅଞ୍ଚଳରେ ରହୁଥିବା ସନ୍ଧ୍ୟାରାଣୀ ବାରିକ ଓ ସୁଇଟି ମଲ୍ଲିକ। ଉଭୟ ନିକଟସ୍ଥ କାନନବାଳା ବିଦ୍ୟାଳୟର ତୃତିୟ ଶ୍ରେୀଣରେ ପଢ଼ନ୍ତି। ସୁଇଟିର ଗୋଡ଼ ଛିଡ଼ି ଯାଇଥିବା ବେଳେ ସନ୍ଧ୍ୟାରାଣୀଙ୍କ ଗୋଡ଼ରୁ ମାଂସ ବାହାରି ହାଡ଼ ଦେଖାଯାଉଛି। ଏଭଳି ଘଟଣା ଆଉ କେଉଁଠି ନୁହେଁ। ଖୋଦ୍ ରାଜଧାନୀରେ ଘଟିଛି। ସବୁଠାରୁ ବିପଜ୍ଜନକ ଓ ଜନଗହଳିପୂର୍ଣ୍ଣ ଜୟଦେବ ବିହାର ଓ ନନ୍ଦନକାନନ ରାସ୍ତାର ଏଭଳି ଲୋମ ଟାଙ୍କୁରା ଦୁର୍ଘଟଣାର ଦୃଶ୍ୟ ଯିଏ ଦେଖିଛି, ସିଏ ବିଚଳିତ ହୋଇଯାଇଛି। ଅନ୍ୟପକ୍ଷରେ ଘଟଣାକୁ ୨୪ ଘଣ୍ଟା ବିତିବାକୁ ବସିଲାଣି। କାର୍ଯ୍ୟାନୁଷ୍ଠାନ କହିଲେ କେବଳ ହାଇୱା ଚାଳକକୁ ଗିରଫ କରାଯାଇଛି।
ଜଣେ ଛାତ୍ରୀ ଗୋଡ଼ ହରାଇଲେ
ଆଉ ଜଣଙ୍କ ସ୍ଥିତି ସଙ୍ଗିନ୍
ପୁଲିସକୁ ଖାତିର ନାହିଁ, ବାବୁ ବି ଚୁପ୍
/sambad/media/post_attachments/wp-content/uploads/2018/12/Untitled-27-5-249x300.jpg)
ଏହି ରାସ୍ତା ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ବିପର୍ଯ୍ୟସ୍ତ ଟ୍ରାଫିକ୍ ଅବସ୍ଥା ନା ସୁଧୁରୁଛି, ନା ଲୋକଙ୍କ ଦୁର୍ଦ୍ଦଶା କମୁଛି। ବରଂ ବାରମ୍ବାର ଘଟି ଚାଲିଛି ଏଭଳି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା। ଅକାଳରେ ଝଡ଼ିଯାଉଛି ନିରୀହ ଜୀବନ। ଭୁଶୁଡ଼ି ଯାଉଛି ଭବିଷ୍ୟତ। ଏଭଳି କ୍ଷେତ୍ରରେ ପ୍ରଶାସନ ଓ ପୁଲିସ ସତେ ଯେପରି ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛି। ଟ୍ରାଫିକ୍ ବ୍ୟବସ୍ଥା ସଜାଡ଼ିବା ନେଇ ନା ଧରୁନି କମିସନରେଟ୍ ପୁଲିସ। ଆଜି ସକାଳ ପ୍ରାୟ ୭ଟା ବେଳେ ପଟିଆ କୋୟଲ୍ କ୍ୟାମ୍ପସ୍ ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ଶନିବାର ସକାଳୁ ସ୍କୁଲ୍ ଯିବା ପାଇଁ ରାସ୍ତା ପାର ହେଉଥିବା ବେଳେ ହାଇୱା (ଓଡି-୦୨-ଏଜେଡ଼୍-୨୭୩୭)ଟି ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟ ପଡ଼ିଯିବା ପରେ ଗାଡ଼ିର ଆଗ ଚକ ଉଭୟଙ୍କ ବାମ ଗୋଡ଼ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକ ଗାଡ଼ି ଚାଳକ ଅନ୍ତର୍ଯ୍ୟାମୀ ପାଣି(୪୨)କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ପୁଲିସ ହାଇୱାକୁ ଜବତ କରିବା ସହିତ ଅନ୍ତର୍ଯ୍ୟାମୀକୁ କୋର୍ଟ ଚାଲାଣ କରିଛି। ଦୁର୍ଘଟଣା ପରେ ଉଭୟ ସନ୍ଧ୍ୟାରାଣୀ ଓ ସୁଇଟି ଅଚେତ ହୋଇ ପଡ଼ିଥିଲେ। ପୁଲିସ ଉଭୟଙ୍କୁ ପ୍ରଥମେ କିମ୍ସରେ ଭର୍ତି କରିଥିଲା। ଅବସ୍ଥା ସଂଗିନ ହେବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରାଣୀଙ୍କ ବାପାଙ୍କର କିଛି ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ମା’ ପର ଘରେ କାମ କରି ପରିବାର ଚଳାଉଛନ୍ତି। ଏପରି କ୍ଷେତ୍ରରେ ଉଭୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଉଲ୍ଲେଖନୀୟ ଯେ, ନନ୍ଦନକାନନ ରାସ୍ତାରେ ଯାତାୟାତ କରିବା ଏବେ ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇ ପଡ଼ିଛି। ଅନ୍ୟପକ୍ଷରେ ଭାରୀଯାନଗୁଡ଼ିକର ବେପରୁଆ ଗାଡ଼ିଚାଳନା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ଭୟର କାରଣ ସାଜିଛି। କିଛି ଟ୍ରକ୍ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଧନଜୀବନ ହାନି ଘଟୁଛି। ଆଜି ଏପରି ଜଣେ ଗାଡ଼ି ଚାଳକଙ୍କ ପାଇ ୨ କୋମଳମତି ନାବାଳିକାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି। ଜୀବନ କ’ଣ ଜାଣିବା ପୂର୍ବରୁ ଜୀବନ ସହିତ ଯୁଦ୍ଧ କରୁଛନ୍ତି। ନନ୍ଦନକାନନରୁ ପଟିଆ ଦିଗକୁ ଆସୁଥିବା ଏହି ହାଇୱା ଚାଳକ ନାମରେ ପୂର୍ବରୁ ଦୁଇଟି ଅଭିଯୋଗ ରହିଛି। ସେ ମ୍ୟାଗ୍ନେଟ୍ ଛକ ଓ ରଘୁନାଥପୁର ଛକରେ ଗତ ଦୁଇ ମାସ ତଳେ ଏମିତି ଦୁଇଟି ପୃଥକ ପୃଥକ ସ୍ଥାନରେ ସ୍କୁଲ୍ ପିଲାଙ୍କ ସାଇକେଲ୍କୁ ଧକ୍କା ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Untitled-26-5.jpg)