ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ଛକଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ କଂଗ୍ରେସ ଯୁବନେତା ସାନ ବାବୁ ଓରଫ ଭବାନୀ ଶଙ୍କର ମୁଦୁଲି (୩୨)ଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ସେ ବନ୍ଧୁ ଘରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏକ ହାଇୱା ପଛପଟୁ ତାଙ୍କ ବାଇକ୍କୁ ଧକ୍କା ଦେବା ସହ ଚଢ଼ି ଯିବାରୁ ଘଟଣାସ୍ଥଳରେ ଭବାନୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଆହତ ତାଙ୍କ ମା’ଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ହାଇୱା କାଚ ଭାଙ୍ଗିବା ସହ ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ୨ପ୍ଲାଟୁନ୍ ପୁଲିସ ଫୋର୍ସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଶ୍ରୀଲିଙ୍ଗରାଜ ଥାନା ଦାୟିତ୍ଵରେ ଥିବା ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍, ଏୟାର ଫିଲଡ୍ ଥାନା ଅଧିକାରୀ ଦେବୀ ଶଙ୍କର ପ୍ରସାଦ, ଏସିପି ଫଗୁଆ ସିଂ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଭବାନୀ ତାଙ୍କ ମା’ ଅଇଁଠା ମୁଦୁଲିଙ୍କ ସହ ନିମାପଡ଼ା ବନ୍ଧୁଘରୁ କିଛି ନଡ଼ିଆ ଧରି ଫେରୁଥିଲେ। ସେ ଶ୍ରୀରାମ ନଗର ମଧ୍ୟ ଦେଇ କପିଳେଶ୍ୱର ମୁଖ୍ୟ ରାସ୍ତାରେ ବାଇକ୍ (ଓଡି୩୩ଏ୮୪୯୧)ରେ ଘରକୁ ଫେରୁଥିବା ବେଳେ ଏକ ହାଇୱା (ଓଡି୦୨ଏଚ୍୦୭୦୦) ପଛପଟୁ ଧକ୍କା ଦେଇଥିଲା।
ହାଇୱା ଧକ୍କାରେ କଂଗ୍ରେସ ଯୁବନେତାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/06/linga-accident.jpg)