ହାଇଓ୍ଵା ଧକ୍‌କାରେ ଯୁବକ ମୃତ, ଜଣେ ଗୁରୁତର

ଖଣ୍ଡଗିରି ଯାତ୍ରା ହେଲା ଶେଷ ଯାତ୍ରା

ଭୁବନେଶ୍ୱର: ମଙ୍ଗଳବାର ଥିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭର ବିଦାୟ ରଜନୀ। ତେବେ ଏହି ରାତି ଜଣେ ଯୁବକଙ୍କ ପାଇଁ ଶେଷ ରାତି ପାଲଟି ଯାଇଛି। ବିଳମ୍ବିତ ରାତିରେ ରାଜଧାନୀର ସିଆର୍‌ପି ଛକ ଓରଭବ୍ରିଜ୍‌ ଉପରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଚିପ୍ସ ବୋଝେଇ ହାଇଓ୍ଵା ଧକ୍‌କାରେ କଟକ ଢିଅସାହିରେ ସମୀର କୁମାର ରାଉତ(୨୨ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଜଣେ ଏବେ ବି ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକ ଖଣ୍ଡଗିରିରୁ ରସୁଲଗଡ଼ ପଟ ରାସ୍ତାକୁ ଅବରୋଧ କରି ରଖିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ, ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଇନ୍ସପେକ୍ଟର ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, କଟକରୁ ସମୀର ଓ ତାଙ୍କ ସାଙ୍ଗ ଇସଲାମ ଜବର ଖଣ୍ଡଗିରିକୁ ଯାତ୍ରା ଦେଖିବାକୁ ଆସିଥିଲେ। ରାତି ପ୍ରାୟ ୨ଟାବେଳେ ଦୁହେଁ ଯାତ୍ରାରେ ମେଲୋଡ଼ି ଦେଖି ସାରି ଏକ ଆପାଚି ବାଇକ୍‌ରେ କଟକ ଫେରୁଥିଲେ। ତେବେ ସିଆର୍‌ପି ଛକ ନିକଟରେ ଖଣ୍ଡଗିରି ପଟୁ ଏକ ହାଇଓ୍ଵା ଦ୍ରୁତ ବେଗରେ ଆସି ଦୁହିଁଙ୍କୁ ପଛପଟୁ ଧକ୍‌କା ଦେଇଥିଲା। ଫଳରେ ବାଇକ୍‌ରୁ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ସମୀରଙ୍କ ମୃତ୍ୟୁ ଘଟିଥିଲା। ଇସମାଇଲ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ। ଏହା ଦେଖି ସେତିକିବେଳେ କିଛି ପଥଚାରୀ ଇସମାଇଲଙ୍କୁ ହସ୍ପିଟାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସ ଓ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ। ତେବେ ପୁଲିସ ବିଳମ୍ବରେ ପହଞ୍ଚିବା ଅଭିଯୋଗ କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏପରିକି ଘଟଣାସ୍ଥଳରେ ପହଞ୍ଚିଥିବା ପିସିଆର କର୍ମଚାରୀମାନଙ୍କ ସହିତ ଲୋକଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଶେଷରେ ଇନ୍ସପେକ୍ଟର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଦୁର୍ଘଟଣା ପରେ ହାଇଓ୍ଵା ଚାଳକ ଫେରାର ହୋଇ ଯାଇଛି। ପୁଲିସ ହାଇଓ୍ଵା ଏବଂ ଆପାଚି ବାଇକ୍‌ ଜବତ କରିଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ସୀମରଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ସମୀରଙ୍କ ସମ୍ପର୍କୀୟମାନେ ପହଞ୍ଚିବା ପରେ ସେଠାରେ ଏକ ପ୍ରକାର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ହାଇଓ୍ଵା ଚାଳକକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର