ଭୁବନେଶ୍ବର: ମାତିଛନ୍ତି ହାଇୱେ ଲୁଟେରା। ଦୁଇଦିନରେ ୪ ଚାରିଟି ଲୁଟ୍ ଜାତୀୟ ରାଜପଥ ଅସୁରକ୍ଷିତ ଥିବା ପ୍ରମାଣିତ କରିଛି। କେଉଁଠି କଟୁରି ଦେଖାଇ ତ’ କେଉଁଠି ପାଣି ମାଗିବା ଆଳରେ ଲୁଟେରା ସର୍ବସ୍ବ ଲୁଟି ନେଉଛନ୍ତି। ମର୍ଣ୍ଣିଂ ୱାକ୍ରେ ଯାଉଥିବା ଲୋକଙ୍କ ଚେନ୍ ଓ ମୁଦି ଝାମ୍ପି ନେଉଛନ୍ତି। ଫନି ମାଡ଼ରେ ଆଘାତପ୍ରାପ୍ତ ଜନସାଧାରଣ ଅଣ୍ଟା ସଳଖୁଥିବା ବେଳେ ଅସୁରକ୍ଷିତ ହାଇୱେ ସେମାନଙ୍କ ପାଇଁ ନୂଆ ଅଡୁଆ ଛିଡ଼ା କରିଛି। ଏଣେ ଫନି ପ୍ରଭାବରେ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ପୁନରୁଦ୍ଧାର କାମରେ ବେଶ୍ ପ୍ରଶଂସା ଗୋଟାଇଥିବା ପୁଲିସ୍କୁ ମଧ୍ୟ ଏହି ଘଟଣା ଚିନ୍ତାରେ ପକାଇଛି। ହାଇୱେର ଅନେକ ଜାଗାରେ ଅଦ୍ୟାବଧି ଷ୍ଟ୍ରିଟ୍ ଲାଇଟ୍ ଜଳିନାହିଁ। ଫଳରେ ଲୁଟେରାଙ୍କୁ ଏହା ବେଶ୍ ସୁହାଉଛି। ଅତି ସହଜରେ ଲୁଟ୍ କରି ଖସି ଯାଉଛନ୍ତି ଲୁଟେରା। ଲୁଟେରା ଏବେ ଓଭରବ୍ରିଜ୍କୁ ପ୍ରକୃଷ୍ଟ ସ୍ଥାନ ଭାବେ ବାଛିଛନ୍ତି। ପୁରୀ-ଭୁବନେଶ୍ବର ରାସ୍ତାକୁ ମଧ୍ୟ ଲୁଟେରା କବ୍ଜା କରିଛନ୍ତି।
ଦୁଇଦିନରେ ୪ଘଟଣା
ଦୁଇ ଦିନରେ ଭୁବନେଶ୍ବରରେ ୪ଟି ଲୁଟ୍ ଘଟଣା ଘଟିଛି। ଗତକାଲି ମଞ୍ଚେଶ୍ବର ଓ ନୟାପଲ୍ଲୀ ଥାନା ଅଧୀନରେ ଦୁଇଟି ଘଟଣା ଘଟିଥିବା ବେଳେ ଆଜି ଖଣ୍ଡଗିରି ଓ ଧଉଳି ଥାନା ଅଧୀନରେ ଦୁଇଟି ଘଟଣା ଘଟିଛି। ଧଉଳି ଥାନା ଅଧୀନରେ ଦୁଇଟି ଘଟଣାରେ ୭ଜଣଙ୍କଠାରୁ ୪ଟି ସୁନା ମୁଦି, ଗୋଟିଏ ଘଣ୍ଟା ଓ ଦୁଇଟି ଚେନ୍ ଲୁଟ୍ ହୋଇଛି। ମର୍ଣ୍ଣିଂ ୱାକ୍ରେ ଦଶ’ରା ପଡ଼ିଆକୁ ଆସୁଥିବା ଗଙ୍ଗୋତ୍ରୀ ନଗରର ବିଜୟ ପଟ୍ଟାୟତ ଓ ପ୍ରଫୁଲ୍ଲ ନାୟକ, ନୂଆଗାଁର ଯତୀନ ମହାନ୍ତି, ଗୌରୀ ବିହାରର ବୀରେନ୍ ମହାନ୍ତିଙ୍କୁ ୫ଜଣ ଯୁବକ ଦୁଇଟି ବାଇକ୍ରେ ଆସି କଟୁରି ଦେଖାଇ ୪ଟି ସୁନା ଚେନ୍ ଓ ଗୋଟିଏ ହାତଘଣ୍ଟା ଲୁଟି ନେଇଛନ୍ତି। ଏହି ଘଟଣା ସକାଳ ୭ଟା ବେଳେ ଘଟିଥିବା ବେଳେ ଠିକ୍ ୧୫ମିନିଟ ପରେ ପେଟ୍ରୋଲ ଟାଙ୍କି ନିକଟରେ ତିନିଜଣ ମହିଳା ମର୍ଣ୍ଣିଂ ୱାକ୍ରୁ ଫେରୁଥିବା ବେଳେ ଏହି ୫ଜଣ ଯୁବକ ଦୁଇଟି ସୁନା ଚେନ୍ ଝାମ୍ପି ନେଇଛନ୍ତି। ସେହିଭଳି ମଞ୍ଚେଶ୍ବର ଥାନା ଅଧୀନରେ ଏଭଳି ଘଟଣା ଘଟିଛି। କାର୍ରେ ଯାଉଥିବା ଦମ୍ପତିଙ୍କୁ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ସେମାନଙ୍କର କାର୍ ଲୁଟି ନେଇଥିଲେ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିବା ସହ ଗୋଟିଏ ମାଉଜର୍ ଓ କାର୍ ଜବତ କରିଛି। ସେହିଭଳି ଗତକାଲି ନୟାପଲ୍ଲୀ ଥାନା ଅଧୀନ କ୍ରାଉନ୍ ହୋଟେଲ ସାମ୍ନା ରାଜପଥରେ ଆଉ ଏକ ଅଘଟଣ ଘଟିଛି। ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ବେଳେ ଏକ ଦମ୍ପତିଙ୍କୁ ଅଟକାଇ ଦୁଇଜଣ ବାଇକ୍ ଆରୋହୀ ସୁନା ଚେନ୍ ଲୁଟ୍ କରିଥିଲେ। ମଧ୍ୟାହ୍ନରେ ଏହି ଅଘଟଣ ଘଟିଥିଲା। ଆଜି ଭୋର୍ରୁ ଖଣ୍ଡଗିରି ଥାନା ଅଧୀନରେ ଆଉ ଏକ ଅଘଟଣ ଘଟିଛି। ମର୍ଣ୍ଣିଂ ୱାକ୍ ବେଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। ହେଲ୍ମେଟ୍ ପିନ୍ଧି ବାଇକ୍ରେ ଦୁଇଜଣ ଆସି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି।
ଗ୍ୟାଙ୍ଗ୍ ନୁହେଁ, ଫନି ପ୍ରଭାବ
ହାଇୱେରେ ବଢ଼ୁଥିବା ଅପରାଧ ପଛରେ ଏକ ଗ୍ୟାଙ୍ଗ୍ ରହିଛି। ଏଠାରୁ ଲୁଟ୍ କରିବା ପରେ ଜିଲ୍ଲା ପାର ହୋଇଯାଉଛନ୍ତି। ପୁଣି ସମୟ ସୁବିଧା ଦେଖି ଲୁଟ୍ କରିବାକୁ ହାଇୱେରେ ପହଞ୍ଚୁଛନ୍ତି। ଏଭଳି ଅନୁମାନ କରୁଛି ପୁଲିସ। କିନ୍ତୁ ବାସ୍ତବରେ ଏହା ପଛରେ ଫନିର ପ୍ରଭାବ ଅଛି ବୋଲି କହିଛନ୍ତି ଆଇନଜୀବୀ ଲଲାଟେନ୍ଦୁ ଦାସ। ତାଙ୍କ କହିବା କଥା ହେଲା, ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ପରେ ଏଭଳି ଲୁଟ୍ପାଟ୍ ବଢ଼ିଥିଲା। ପୁରୀରୁ ଭୁବନେଶ୍ବର ରାଜପଥରେ ଲୁଟେରାମାନେ ଯାତ୍ରୀଙ୍କୁ ପିଛା କରି ଲୁଟ୍ କରୁଥିଲେ। ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ଏକ ନିଆରା ଢ଼ଙ୍ଗରେ ଲୁଟୁଥିଲେ। ବାଇକ୍ କିମ୍ବା କାର୍ରେ ଆସୁଥିବା ଲୋକର ସୁନା ଅଳଙ୍କାର ବା ଟଙ୍କା ଥିବା ଅନୁମାନ କରି ଗୋଟିଏ ଗୋଷ୍ଠୀ ଯାତ୍ରୀ ସମ୍ବନ୍ଧରେ ଖଣ୍ଡେ ଦୂରରେ ଛିଡ଼ା ହୋଇଥିବା ଅନ୍ୟ ଏକ ଲୁଟେରା ଗୋଷ୍ଠୀକୁ ଖବର ଦେଉଥିଲା। ଖବର ପାଇବା ପରେ ସେହି ଗୋଷ୍ଠୀ ଯାତ୍ରୀଙ୍କୁ ଅଟକାଇ ଲୁଟ୍ କରୁଥିଲେ। ପରେ ଏହି ଲୁଟ୍ ସାମଗ୍ରୀ ବା ଅର୍ଥ ଭାଗ ହେଉଥିଲା। ଏଭଳି ଅପରାଧ ବଢ଼ିବା ପଛରେ କାରଣ ଥିଲା ଯେ, ଯେଉଁମାନେ ଛୋଟ ଛୋଟ ବ୍ୟାବସାୟ କରି ପେଟ ପୋଷୁଥିଲେ ତାହା ହଠାତ୍ ମହାବାତ୍ୟାରେ ଭାଙ୍ଗି ଯିବାରୁ ସେମାନେ ବେରୋଜଗାର ହୋଇଯାଇଥିଲେ। ରହିବା ଘର ମଧ୍ୟ ପ୍ରଭାବିତ ହୋଇଥିଲା। ଏକ ସମୟରେ ଉଭୟପଟୁ ଏଭଳି କ୍ଷତି ସେମାନଙ୍କୁ ଅପରାଧ ବାଟକୁ ଟାଣି ଆଣିଥିଲା। ଏବେ ଫନି ପ୍ରଭାବରେ ମଧ୍ୟ ଅନୁରୂପ ଆଶଙ୍କା ସୃଷ୍ଟି ହୋଇଛି। ଛୋଟ ଛୋଟ ଦୋକାନ କରି ପେଟ ପୋଷୁଥିବା ଯୁବକଙ୍କୁ ଚିହ୍ନଟ କରି ସେମାନଙ୍କୁ ଆର୍ଥିକ ସହାୟତା ସହ ପୁରୀ ଓ କମିସନରେଟ୍ ପୁଲିସ ମିଳିତ ଭାବେ ଏହି ଅପରାଧର ଦମନ ପାଇଁ କାର୍ଯ୍ୟ କଲେ ଏହାର ନିୟନ୍ତ୍ରଣ ସମ୍ଭବ ହେବ।
ହାଇୱେରେ ପାଟ୍ରୋଲିଂ କମିଛି
ଏଭଳି ଘଟଣାକୁ କମିସନରେଟ୍ ପୁଲିସ ଗୁରୁତ୍ବର ସହ ନେଇଛି। ଫନି ପରେ ହାଇୱେରେ ପାଟ୍ରୋଲିଂ କମିଥିବା ସ୍ବୀକାର କରିଛନ୍ତି ଡିସିପି ଅନୁପ କୁମାର ସାହୁ। ସେ କହିଛନ୍ତି, ଆମେ ଏହି ହାଇୱେରେ ପାଟ୍ରୋଲିଂ କଡ଼ାକଡ଼ି କରିବୁ। ସବୁ ଲୁଟ୍ ପଛରେ ଏକ ଗ୍ୟାଙ୍ଗ୍ କାମ କରୁଥିବା ଆମର ସନ୍ଦେହ ହେଉଛି। ସିସିଟିଭି ଫୁଟେଜ୍ ଆଧାରରେ ଅପରାଧୀଙ୍କୁ ଖୋଜା ଚାଲିଛି। ଧରାପଡ଼ିବା ପରେ ଏ ସମସ୍ତ ଘଟଣାର ପର୍ଦାଫାଶ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-13-12.jpg)