ମାତିଲେଣି ରାଜପଥ ଲୁଟେରା, ଘଣ୍ଟାକରେ ୪ ଲୁଟ୍‌

ଏସ୍‌ପି କାର୍ଯ୍ୟାଳୟ ନିକଟରେ ଟ୍ରକ୍‌ରୁ ଲୁଟ୍‌, ୨ ଗୁରୁତର

ଖୋର୍ଦ୍ଧା: ମାତିଲେଣି ରାଜପଥ ଲୁଟେରା। ରାତି ୭ରୁ ସକାଳ ୫ଟା ପର୍ଯ୍ୟନ୍ତ ୧୦ ଘଣ୍ଟିଆ କର୍ଫ୍ୟୁର ସୁଯୋଗ ନେଇ ଲୁଟ୍‌ପାଟ୍‌ ଆରମ୍ଭ କଲେଣି। ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଚଳାଚଳ କରୁଥିବା ଟ୍ରକ୍‌ଗୁଡ଼ିକ ଏବେ ସେମାନଙ୍କ ଟାର୍ଗେଟ୍‌ରେ। ଟ୍ରକ୍‌ ଚାଳକ ଓ ହେଲପର୍‌ଙ୍କୁ ଆକ୍ରମଣ କରି ଟଙ୍କା, ମୋବାଇଲ୍‌ ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଜିନିଷ ଲୁଟ୍‌ପାଟ୍‌ କରୁଛନ୍ତି। ଗତ ରାତି‌ରେ ଲୁଟେରାମାନେ ମାତ୍ର ଘଣ୍ଟାକ ମଧ୍ୟରେ ଏହିଭଳି ଭାବେ ୪ଟି ପୃଥକ୍‌ ପୃଥକ୍‌ ସ୍ଥାନରୁ ଲୁଟ୍‌ କରି ଆତଙ୍କ ଖେଳାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ହରପ୍ରସାଦ ଦାସ(୫୦) ଓ ନିର୍ମଳ ନାୟକ(୨୨) କୋଇଡାରୁ ଗଞ୍ଜାମର ଗୋପାଳପୁର ବନ୍ଦରକୁ ଏକ ଲୁହାପଥର ବୋଝେଇ ଟ୍ରକ୍ (ଓଡି ୦୭ ଏଏଫ୍ ୨୪୧୮) ନେଇ ଯାଉଥିଲେ। ଖୋର୍ଦ୍ଧା ଏସ୍‌ପି ଅଫିସ୍‌ ନିକଟ ୧୬ନମ୍ବର ଜାତୀୟ ରାଜପଥ କଡ଼ରେ ଟ୍ରକ୍ ରଖି ସେମାନେ ବିଶ୍ରାମ ନେଉଥିଲେ। ରାତି ପ୍ରାୟ ସାଢେ଼ ଗୋଟାଏରେ ୪/୫ଟି ବାଇକ୍‌ରେ ୧୦ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଉଠାଇ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଲୁହାରଡ୍‌, ଛୁରିରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ପରେ ଚାଳକ ହର ପ୍ରସାଦ ନିଜ ପାଖରେ ଥିବା ୩୦ହଜାର ଟଙ୍କା ତାଙ୍କୁ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଟ୍ରକ୍‌ରେ ଥିବା ଗ୍ୟାସ୍‌ ଚୁଲା, ହାଣ୍ଡି ଓ ଅନ୍ୟ ସାମଗ୍ରୀ ମଧ୍ୟ ନେଇ ଚାଲି ଯାଇଥିଲେ। ଚାଳକ ଓ ହେଲ୍‌ପରଙ୍କ ପାଟି ଶୁଣି ନିକଟରେ ଥିବା ଫଳ ଦୋକାନୀମାନେ ଉଠିଥିଲେ। ଆହତ ଟ୍ରକ୍‌ ଚାଳକ ଓ ହେଲ୍‌ପରଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ସୂଚନା ପାଇବା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଅନୁସନ୍ଧାନ କରିବା ସହ ୧୯୨/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହା ପରେ ଦୁର୍ବୃତ୍ତମାନେ ଗଙ୍ଗପଡ଼ା ପୁରୁଣା ଟୋଲ୍ ଗେଟ୍, ଜଟଣୀ ଗେଟ୍, ପିତାପଲ୍ଲୀ ବାଇପାସ୍‌ଠାରେ ମଧ୍ୟ ଅନୁରୂପ ଭାବେ ୩/୪ଟି ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରି ଲୁଟ୍‌ କରିଥିବା ଜଣାଯାଇଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ ଗତକାଲି ଏସ୍‌ପି ଅଫିସ ନିକଟସ୍ଥ ଜାତୀୟ ରାଜପଥ କଡ଼ରେ ଟ୍ରକ୍ ମଧ୍ୟରେ ଶୋଇଥିବା ଚାଳକ ଓ ହେଲ୍‌ପରଙ୍କୁ ମାଡ଼ ମାରି ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଏନେଇ ମାମଲା ରୁଜୁ ହୋଇଛି। ଘଟଣା ସମ୍ପର୍କରେ ତ୍ବରିତ ଅନୁସନ୍ଧାନ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ଜଣକୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ଜଣକ ଜଟଣୀ ବେଣାପଞ୍ଜରୀ ଅଞ୍ଚଳର ରଜାକ୍‌ ଦଳବେହେରା ଓ ତା’ର ଗ୍ୟାଙ୍ଗ୍ ବୋଲି ଜଟଣୀ ପୁଲିସ୍‌ ସୂଚନା ଦେଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର