ନକଲି ପୁଲିସ ବେଶରେ ହାଇୱେ ଲୁଟେରା: ବ୍ୟବସାୟୀଙ୍କୁ ଲୁଟି ରାସ୍ତା କଡ଼ରେ ଫିଙ୍ଗିଦେଲେ

ସୁନ୍ଦରପଦାରୁ ୨ ଗିରଫ, ଚକେଇସିହାଣିରୁ ଗାଡ଼ି ଉଦ୍ଧାର

ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ପରିଚୟ ଦେଇ ୪ ଜଣ ଲୁଟେରା ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ବ୍ୟବସାୟୀଙ୍କୁ ଲୁଟିଛନ୍ତି। ଧନିଆ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଧମକ ଦେଇ ପ୍ରଥମେ ଅଟକାଇଥିଲେ। ପରେ ବ୍ୟବସାୟୀଙ୍କୁ ଥାନାକୁ ନେବା ବାହାନାରେ ଏକ ନିଛାଟିଆ ସ୍ଥାନରେ ଲୁଟିବା ସହ ତାଙ୍କୁ ଗାଡ଼ିରୁ ବାହାରକୁ ଫିଙ୍ଗି ଦେଇ ଫେରାର୍ ହୋଇଯାଇଥିଲେ। ତେବେ ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସୁନ୍ଦରପଦା ଅଞ୍ଚଳରୁ ୨ ଲୁଟେରାଙ୍କୁ ଉଠାଇଥିବା ବେଳେ ଚକେଇସିହାଣିରୁ ପିକ୍‌ଅପ୍‌ ଭ୍ୟାନ୍‌କୁ ଉଦ୍ଧାର କରିଛି। କିନ୍ତୁ ଅନ୍ୟ ଦୁଇ ଲୁଟେରା ଏବେ ବି ଫେରାର୍ ଅଛନ୍ତି। ପୁଲିସ ବେଶରେ ଲୁଟୁଥିବା ଏହି ଗ୍ୟାଙ୍ଗ୍‌ ପାଇଁ କମିସନରେଟ୍‌ ପୁଲିସ ବଦନାମ୍‌ ହେବାକୁ ଥିବାରୁ ଫେରାର୍‌ ଦୁଇ ଲୁଟେରାଙ୍କୁ ଗିରଫ କରିବା ପାଇଁ ପୁଲିସ ଜୋର୍‌ଦାର୍‌ ଚଢ଼ଉ ଜାରି ରଖିଛି।

ସୂଚନା ମୁତାବକ, ବୁଧବାର ରାତିରେ କଟକ ଶଙ୍କରପୁର ଅଞ୍ଚଳର ବ୍ୟବସାୟୀ ପ୍ରହଲ୍ଲାଦ ସାହୁ ଓରଫ ପୁପୁନ୍‌ ‌କୋରାପୁଟରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଡି-୦୫-ଏଡବ୍ଲ୍ୟୁ-୬୧୨୬) ଯୋଗେ ଧନିଆଁ ପତ୍ର ନେଇ କଟକ ଫେରୁଥିଲେ। ରାତି ପ୍ରାୟ ୨ଟା ବେଳେ ସେ ବରମୁଣ୍ଡା ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ବ‌େଳେ ଦୁଇ ବାଇକ୍‌ରେ ଥିବା ଚାରି ଜଣ ତାଙ୍କୁ ପିଛା କରୁଥିବା ସେ ଲକ୍ଷ୍ୟ କରିଥିଲେ। କିଛି ବାଟ ପରେ ଅର୍ଥାତ୍ ଜୟଦେବବିହାର ଓଭରବ୍ରିଜ୍‌ ଉପରେ ହଠାତ୍ ବାଇକ୍‌ ଦୁଇଟି ପୁପୁନ୍‌ଙ୍କ ଗାଡ଼ିକୁ ଅତିକ୍ରମ କରିବା ସହ ଅଟକାଇବା ଢ଼ଙ୍ଗରେ ପିକ୍ଅପ୍‌ ଭ୍ୟାନ୍‌ ସମ୍ମୁଖରେ ଆଗରେ ବ୍ରେକ୍ କରିଥିଲା। ପୁପୁନ୍‌ ଗାଡ଼ି ଅଟକାଇବା ପରେ ୪ ଜଣଯାକ ନିଜକୁ ଭୁବନେଶ୍ବର ସ୍ପେସାଲ୍‌ ସ୍କ୍ବାଡ୍‌ ଟିମ୍‌ ବୋଲି ପରିଚୟ ଦେଇଥିଲେ। ସେମାନଙ୍କ ଠାଣି ମଧ୍ୟ ପୁଲିସ ଭଳି ଥିବାରୁ ପୁପୁନ୍ ସନ୍ଦେହ କରିନଥିଲେ। ତେବେ ସେ କୋରାପୁଟରୁ ଧନିଆ ଆଣିଥିବା କହିଥିଲେ ବି ଦୁଇ ଜଣ ଗାଡ଼ି ଯାଞ୍ଚ କରିବା ଅଭିନୟ କରିଥିଲେ ଓ ଭିତରେ ଗଞ୍ଜେଇ ରହିଛି ବୋଲି ପୁପୁନ୍‌ଙ୍କୁ ଧମକାଇଥିଲେ। ଏହା ପରେ ଦୁଇ ଜଣ ପିକ୍‌ଅପ୍‌ ଭ୍ୟାନ୍‌ରେ ଚଢ଼ି ଯାଇଥିଲେ ଓ ଗାଡ଼ିକୁ ସହିଦନଗର ଥାନାକୁ ଚଲା ବୋଲି ପୁପୁନ୍‌କୁ ନିର୍ଦ୍ଦେଶ ଦେଇଥିଲେ।

ପୁପୁନ୍‌ ବାଧ୍ୟ ହୋଇ ଗାଡ଼ି ଚଳାଇଥିଲେ। କିନ୍ତୁ ପୁପୁନ୍‌ଙ୍କ କହିବା କଥା ଦୁର୍ବୃତ୍ତମାନେ ଗାଡ଼ିକୁ ରସୁଲଗଡ଼ ଓଭରବ୍ରିଜ୍‌ ପୂର୍ବରୁ ସର୍ଭିସ୍‌ ରୋଡ୍‌କୁ ନେଇ କୌଣସି ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ତାଙ୍କ ପାଖରେ ଥିବା ୧୦ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ସେତେବେଳେ ପୁପୁନ୍ ବୁଝିଥିଲେ ଯେ ସେ ପୁଲିସ ନୁହେଁ, ଲୁଟେରାମାନଙ୍କ ହାବୁଡ଼ରେ ପଡ଼ିଛନ୍ତି। ଏହା ପରେ ସେମାନେ ତାଙ୍କୁ ଗାଡ଼ିରୁ ବାହାରକୁ ଠେଲି ଦେଇ ପଳାଇଥିଲେ। ଗାଡ଼ିରୁ ତଳେ ପଡ଼ି ପୁପୁନ୍‌ ସଂଜ୍ଞାହୀନ ହୋଇପଡ଼ିଥିଲେ। ସୌଭାଗ୍ୟକୁ ମଞ୍ଚେଶ୍ବର ଥାନା ପିସିଆର୍‌ ତାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରାଇଥିଲା। ଏହା ପରେ ପୁପୁନ୍ ପୁଲିସକୁ ସବୁ କଥା ଜଣାଇଥିଲେ। ଘଟଣା ଜଣାପଡ଼ିବା ପରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ୍‌ ଏହି ନକଲି ସ୍ପେସାଲ୍‌ ସ୍କ୍ବାଡ୍‌କୁ ପିଛା କରିଥିଲା। ପୁପୁନ୍‌ଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରି ଦୁଇ ଦୁର୍ବୃତ୍ତଙ୍କୁ ଏୟାର୍‌ଫିଲ୍‌ଡା ଥାନା ସୁନ୍ଦରପଦାରୁ ଉଠାଇଥିଲା। ସେମାନଙ୍କ ସୂଚନା ଆଧାରରେ ମଞ୍ଚେଶ୍ବର ଥାନା ଚକେଇସିହାଣି ଅଞ୍ଚଳରେ ଚଢ଼ଉ କରାଯାଇ ଏକ ପରିତ୍ୟକ୍ତ ଘରୁ ପିକ୍‌ଅପ୍‌ ଭ୍ୟାନ୍‌କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର