ଆସୁଛି ସାବିତ୍ରୀ: ଫଳ ବଜାରରେ ତାତି

ଆମ୍ବ ୧୦୦, ସେଓ ୧୮୦ ଉଭୟ ବେପାରୀ ଓ ଖାଉଟି ହନ୍ତସନ୍ତ

ଖଣ୍ଡଗିରି: ମୁହଁ ଦେଇ ହଉନି ଫଳ ବଜାରରେ। ସାବିତ୍ରୀ ପୂଜା ଅବ୍ୟବହିତ ପୂର୍ବରୁ ବଜାରରେ ସବୁ ଫଳ ଅମୂଲ ମୂଲ ହୋଇଛି। ଆମ୍ବ ସିନା ୧୦୦ ଟଙ୍କା ଛୁଇଁବାକୁ ବାକି ଅଛି ନହେଲେ କମଳା, ସେଓ ଓ ଅଙ୍ଗୁର ଭଳି ଆଗଧାଡ଼ିର ଫଳ ସବୁ ୧୫୦ ଟପିବାକୁ ବସିଛି। ଏବେ ସେଓ ତ ୧୮୦ ଟଙ୍କା ରହିଛି, ମାତ୍ର ସାବିତ୍ରୀ ବେଳକୁ ୨୦୦ ଟଙ୍କା ହୋଇପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା କଲେଣି। ତେଣୁ ଚଳିତ ବର୍ଷ ଫଳ ବଜାରର ତାତି ଉଭୟ ଉପଭୋକ୍ତା ଓ ବେପାରୀଙ୍କ ପାଇଁ କାଳ ପାଲଟିଛି। ଖାଉଟିମାନେ ମାପିଚୁପି କିଣିବାକୁ ବାଧ୍ୟ ହେଉଥିବାରୁ ବେପାରୀଙ୍କ ବେପାର ମାନ୍ଦା ରହୁଛି। ସାବିତ୍ରୀ ପାଖେଇ ଆସିଲାଣି। ବନ୍ଧୁ ଘରକୁ ବୋଝଭାର ପଠାଇବା ପାଇଁ ସମସ୍ତେ ବାହାରି ପଡ଼ିଲେଣି। ତେଣୁ ଏବେଠାରୁ ଫଳ ବଜାରରେ ଧରିଲାଣି ନିଅାଁ। ରାଜଧାନୀରେ ଆଜି ଫଳ ବଜାର ତାତି ବେଶ୍‌ ପରିଲକ୍ଷିତ ହୋଇଥିଲା। ବିଶେଷକରି ଆମ୍ବ ଦର ଚଳିତ ବର୍ଷ ଆକାଶଛୁଅାଁ ହୋଇଛି। ଭଲ ଆମ୍ବ କିଲୋ ପିଛା ୧୦୦ ଟଙ୍କା। ଅବଶ୍ୟ କିଛି କିଛି ସ୍ଥାନରେ କିଲୋ ୮୦ ଟଙ୍କାରେ ମିଳୁଛି। ମାତ୍ର ତାହା ସାମାନ୍ୟ ନିମ୍ନମାନର। ସେହିଭଳି ସେଓ କିଲୋ ୧୮୦ ଟଙ୍କା ଥିବା ବେଳେ ଅଙ୍ଗୁର କିଲୋ ୧୨୦ ଟଙ୍କାରୁ ଆରମ୍ଭ କରି ୧୪୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଲିଚୁ ୧୫୦ ଟଙ୍କା ଓ କମଳା ୧୦୦ରୁ ୧୨୦ ଟଙ୍କା ଦରରେ ବିକ୍ରି ହେଉଛି। କଦଳୀ ଡଜନ ୫୦ ଟଙ୍କାରୁ ତଳକୁ ନାହିଁ। ସପୁରୀ ଗୋଟା ୩୦ ଟଙ୍କା। ଫଳ କିଣୁଥିବା ଉପଭୋକ୍ତାମାନଙ୍କ କହିବା କଥା ନିଜ ପୂଜା ପାଇଁ ସିନା କମ୍‌ କିଣିଲେ ଚଳିଯିବ, କିନ୍ତୁ ବନ୍ଧୁଘରକୁ ପଠାଇବା ବେଳକୁ ମୁଣ୍ଡ ଘୂରାଇ ଦେଉଛି। ସେହିଭଳି ବେପାରୀମାନଙ୍କ କହିବା କଥା ଦର ବଢ଼ିଲେ ଲାଭ କମ୍‌। ଅଧିକ ପରିମାଣରେ ବିକିଲେ ସିନା ଦି ପଇସା ଲାଭ ମିଳନ୍ତା! ଏବେ ଆକାଶଛୁଅାଁ ଦର ହୋଇଥିବାରୁ ଲୋକେ କିଲୋଟିଏ ସ୍ଥାନରେ ଅଧ କିଲୋ କିଣି କାମ ଚଳାଇବାକୁ ଇଚ୍ଛା କରୁଛନ୍ତି। ତେଣୁ ଲାଭ ପରିମାଣ ପ୍ରଭାବିତ ହେଉଛି। ବହୁ ଦାମ ଦେଇ ଫଳ କିଣି ବିକିବା ବେଳକୁ ସମସ୍ୟା ହେଉଛି। ଏମିତିରେ ଗରମ ପାଗ ଯୋଗୁଁ ବହୁ ପରିମାଣରେ ଫଳ ନଷ୍ଟ ହୋଇ ଯାଉଥିବାରୁ କ୍ଷତି ହେଉଛି ସିନା ଲାଭ ନାହିଁ କହିଲେ ଚଳେ। ବଡ଼ କଥା ହେଉଛି ଏବେ ବଜାରରେ ମିଳୁଥିବା ସମସ୍ତ ପ୍ରକାର ଫଳ କେବଳ ବାହାର ରାଜ୍ୟରୁ ଆମଦାନୀ ହେଉଛି।

ଶାଢ଼ି ବଜାରରେ ଭିଡ଼ ଅସମ୍ଭାଳ

 

ଭୁବନେଶ୍ୱର: ମାତ୍ର ୩ ଦିନ ପରେ ସାବିତ୍ରୀ ଅମାବାସ୍ୟା। ବିଶେଷକରି ହିନ୍ଦୁ ନାରୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ସାବିତ୍ରୀ ଯମରାଜଙ୍କ କବଳରୁ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିବା ପୁରାଣରେ ବର୍ଣ୍ଣିତ ରହିଛି। ସେଥିପାଇଁ ଏହି ଦିନଟିକୁ ସାବିତ୍ରୀ ଓଷା ରୂପେ ପାଳନ କରାଯାଇଥାଏ। ତେବେ ନୂଆ ଶାଢ଼ି ପିନ୍ଧି ଏହି ଓଷା କରିବାର ପରମ୍ପରା ଥିବାରୁ ରାଜଧାନୀର ସବୁ ଶାଢ଼ି ଦୋକାନରେ ଏବେ ନାହିଁ ନଥିବା ଗହଳି। ଛୋଟ ଶାଢ଼ି ଦୋକାନଠାରୁ ଆରମ୍ଭ କରି ବଡ଼ ସୋ’ରୁମ୍‌, ସପିଙ୍ଗ୍‌ ମଲ୍‌ ପର୍ଯ୍ୟନ୍ତ ସବୁଠି ଭିଡ଼। ସକାଳୁ ରାତି ଯାଏଁ ଗହଳି ଲାଗି ରହୁଛି। ସନ୍ଧ୍ୟାରେ ମାର୍କେଟ୍‌ ବିଲ୍‌ଡିଂରେ ତ ପାଦ ପକାଇବାକୁ ଜାଗା ନାହିଁ। ପୁଣି ଆସନ୍ତାକାଲି ଦ୍ୱିତୀୟ ଶନିବାର ଓ ପରଦିନ ରବିବାର ଥିବାରୁ ଗହଳି ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଧାରଣତଃ ଓଡ଼ିଶାରେ ଶାଢ଼ି ଓ ପୋଷାକ ବଜାର ସାବିତ୍ରୀ ଓଷାଠାରୁ ଆରମ୍ଭ ହୋଇ ରଜ ଯାଏଁ ଚାଲେ। ପ୍ରାୟ ପ୍ରତିଟି ଓଡ଼ିଆ ଘରେ ଝିଅ, ବୋହୂମାନେ ଶାଢ଼ି ଓ ପୋଷାକ କିଣନ୍ତି। ଗ୍ରାହକଙ୍କ ଏହି ଚାହିଦାକୁ ଆଖି ଆଗରେ ରଖି ବ୍ୟବସାୟୀମାନେ ମଧ୍ୟ ନୂଆ ନୂଆ ଡିଜାଇନ୍‌ର ଶାଢ଼ି ଓ ଡ୍ରେସର ପସରା ମେଲାଇଛନ୍ତି। ସେହିପରି ଗ୍ରାହକଙ୍କୁ ନିଜ ଦୋକାନ ପ୍ରତି ଆକୃଷ୍ଟ କରିବା ପାଇଁ ରିହାତି ଦେବାରେ କେହି କାର୍ପଣ୍ୟ ପ୍ରକାଶ କରୁନାହାନ୍ତି। ରିହାତି ନେଇ ବ୍ୟବସାୟୀମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ‘ବୟନିକା’ର ଜଣେ ଆଟେଣ୍ଡାଣ୍ଟ ଲକ୍ଷ୍ମୀଧର ଦାସଙ୍କ କହିବା ଅନୁସାରେ, ସାବିତ୍ରୀକୁ ଦୃଷ୍ଟିରେ ରଖି ଏବେ ଶାଢ଼ି ଉପରେ ୨୫% ରିହାତି ଦିଆଯାଉଛି। ଆଜିକାଲିର ଆଧୁନିକ ଯୁଗରେ ମଧ୍ୟ ପାରମ୍ପରିକ ଶାଢ଼ିର ଚାହିଦା ଅଧିକ ରହିଛି। ଆମ ଦେକାନର ପାଟ ଶାଢ଼ି, ବାପ୍‌ତା ଶାଢ଼ି, ସୂତା ଶାଢ଼ି, ଟସର ଶାଢ଼ିର ଚାହିଦା ଅଧିକ ରହଛି। ଏହାର ଦାମ୍‌ ୫୦୦ଟଙ୍କାରୁ ଆରମ୍ଭ ହୋଇ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଠାରେ ଦିନକୁ ୧୦ଲକ୍ଷ ଟଙ୍କାରୁ ଅଧିକ ଶାଢ଼ି ବିକ୍ରି ହେଉଛି ବୋଲି ଶ୍ରୀ ଦାସ କହିଥିଲେ। ସେହିପରି ମାର୍କେଟ୍‌ ବିଲ୍‌ଡିଂକୁ ଶାଢ଼ି କିଣିବାକୁ ଆସିଥିବା ସହିଦଗରର ମୋନାଲିସା ମହାନ୍ତି କହନ୍ତି, ସବୁ ବର୍ଷ ସାବିତ୍ରୀ ବେଳେ ଅଧିକ ଶାଢ଼ି କିଣିଦେଉ। କାରଣ ନୂଆ ନୂଆ ଡିଜାଇନ୍‌ର ଶାଢ଼ି ଏହି ସମୟରେ ମିଳେ। ପୁଣି ଦର ବି କିଛିଟା କମ୍‌ ଥାଏ। ତେଣୁ ଭଲ ଶାଢ଼ି କିଣିବା ପାଇଁ ସବୁ ବର୍ଷ ସାବିତ୍ରୀକୁ ଅପେକ୍ଷା କରିଥାଉ।

ସମ୍ବନ୍ଧିତ ଖବର