ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ରାଜ୍ୟକୁ ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର ସୁଫଳ ମିଳୁନାହିଁ। ତାହାର ମୂକସାକ୍ଷୀ ଭାବରେ ଗାଡ଼କଣରେ ଛିଡ଼ା ହୋଇଛି ଆବର୍ଜନାର ପାହାଡ଼। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ପ୍ରତିଟି ବିଭାଗର ମୁଖିଆମାନେ ରହୁଥିବା ରାଜଧାନୀରେ ଲୋକମାନେ ଦୁର୍ଗନ୍ଧରେ ତ୍ରାହି ତ୍ରାହି ଡାକୁଛନ୍ତି। ଏହା ଆବର୍ଜନାର ପାହାଡ଼ ନୁହେଁ ବରଂ ଭ୍ରଷ୍ଟାଚାର, ବ୍ୟଭିଚାର ଓ ଦୁର୍ନୀତିର ପାହାଡ଼ ବୋଲି କହିଛି ବିଜେପି। ଗାଡ଼କଣରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ଚାଲିଥିବା ସତ୍ୟାଗ୍ରହକୁ ଆଜି ୧୨ ଦିନ ପୂରିଛି। ଏହି ଅବସରରେ ବିଜେପିର ବିଧାୟକମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ବି ଦୁର୍ଗନ୍ଧରେ ସମଗ୍ର ଅଞ୍ଚଳ ଫାଟି ପଡ଼ୁଥିବା ସେମାନେ କହିଛନ୍ତି। ବିଜେପି ବିଧାୟକ ଦଳ ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି, ସାରା ସହର ଏବେ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଅସଂଖ୍ୟ ଲୋକ ଡେଙ୍ଗୁରେ ମୃତ୍ୟୁବରଣ କରିଛନ୍ତି। ଯେଉଁମାନଙ୍କ ଅବହେଳାରୁ ଲୋକଙ୍କ ଜୀବନ ଯାଇଛି, ଆଇନ ଅନୁଯାୟୀ ସେମାନେ ଦଣ୍ଡିତ ହେବା ଉଚିତ୍। ସରକାର ତୁରନ୍ତ ଗାଡ଼କଣସ୍ଥ କୃତ୍ରିମ ଅଳିଆ ପାହାଡ଼ର ସ୍ଥାୟୀ ସମାଧାନ କରନ୍ତୁ ‌ବୋଲି ସେ ଦାବି କରିଛନ୍ତି। ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଭୁବନେଶ୍ବର ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଅତ୍ୟନ୍ତ ଜରୁରୀ ଥିଲା ବୋଲି ନବ ମାଝୀ କହିଛନ୍ତି।

Advertisment

ଅନ୍ୟପଟେ ସତ୍ୟାଗ୍ରହକୁ ୧୨ ଦିନ ବିତିଥିଲେ ବି କର୍ତ୍ତୃପକ୍ଷ ତତ୍ପର ହେଉନାହାନ୍ତି। ଆବର୍ଜନାର ତ୍ବରିତ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଉ ନାହାନ୍ତି କିମ୍ବା ଘଟଣାସ୍ଥଳରେ ଦେଖା ଯାଉ ନାହାନ୍ତି। ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ ମଧ୍ୟ କାହାରି ନିଦ ନଭାଙ୍ଗିବା ଦୁର୍ଭାଗ୍ୟଜନକ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି, ଦେଶର ଛୋଟିଆ ସହରମାନେ ସୁବ୍ୟବସ୍ଥିତ ଢଙ୍ଗରେ ବର୍ଜ୍ୟବସ୍ତୁ ପରିଚାଳନା କରି ସହରକୁ ସଫା ସୁତୁରା ରଖୁଛନ୍ତି। ତାହାକୁ ଦେଖିବା ପାଇଁ ଏଠାରୁ ଜନପ୍ରତିନିଧି ଓ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ୍ସପୋଜର ଭିଜିଟ୍‌ରେ ଯାଉଛନ୍ତି। କିନ୍ତୁ ଏଠାରେ କ’ଣ କାମରେ ଲଗାଉଛନ୍ତି? ବରଂ ଏମାନେ ଲକ୍ଷଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରି ଦେଶ ବୁଲୁଛନ୍ତି, ଏଠାରେ ଅଳିଆ ଗଦା କରି ପରିବେଶକୁ ଗନ୍ଧମୟ କରୁଛନ୍ତି। ବଡ଼କଥା ହେଉଛି ଏଥିରୁ ବାହାରୁ ଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁଁ ଗଛ ପୋଡ଼ିଯାଉଛି, ଚର୍ମ ଓ ଶ୍ୱାସ ରୋଗ ବ୍ୟାପୁଛି। ବର୍ଷା ପରେ ଭୁବନେଶ୍ୱରର ଭୂତଳ ଜଳ ମଧ୍ୟ ଏଥିପାଇଁ ପ୍ରଦୂଷିତ ହେଲାଣି। ଜଳ ଯୋଗାଣ ପାଇପରେ ପୋକ ପଶିଲାଣି। ଗନ୍ଧ ଯୋଗୁଁ ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ଶିକ୍ଷାନୁଷ୍ଠାନ, ଡାକ୍ତରଖାନାକୁ ଆସୁଥିବା ଛାତ୍ରଛାତ୍ରୀ ଓ ରୋଗୀ ହନ୍ତସନ୍ତ ହେଉଛନ୍ତି। ପର୍ଯ୍ୟଟକ ନାକରେ ହାତ ଦେଇ, ମାସ୍କ ପିନ୍ଧି ବୁଲିଲେଣି। ଏହା ଅତ୍ୟନ୍ତ ଲଜ୍ଜାଜନକ। ଭୁବନେଶ୍ୱରବାସୀଙ୍କ ମୌଳିକ ସୁବିଧା ଓ ଅଧିକାର ପାଇଁ ଏହି ସତ୍ୟାଗ୍ରହ ଜାରି ରହିବ ବୋଲି ସେ କହିଛନ୍ତି।